ଓସିଏକୁ ଫେରିଲେ ପୂର୍ଣ୍ଣେନ୍ଦୁ, ଶ୍ରୀକାନ୍ତଙ୍କ ନିଯୁକ୍ତିକୁ ଅନୁମୋଦନ

ଗୀତା ମହିଳା ଚୟନ ସମିତି ଅଧ୍ୟକ୍ଷ

କଟକ: ଆସନ୍ତା ୨୦୨୨-୨୩ ଋତୁ ପାଇଁ ଓଡ଼ିଶା କ୍ରିକେଟ୍‌ର ନୂତନ ପ୍ରଶିକ୍ଷକ ଭାବେ ଆର‌୍‌ ଶ୍ରୀକାନ୍ତଙ୍କ ନିଯୁକ୍ତିକୁ ଓସିଏ ଆପେକ୍ସ କାଉନସିଲ ଅନୁମୋଦନ କରିଛି। ଦୁଇ ଦିନ ତଳେ କ୍ରିକେଟ୍‌ ପରାମର୍ଶଦାତା ସମିତି ଵାସିମ ଜାଫରଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ ଶ୍ରୀକାନ୍ତଙ୍କୁ ପରବର୍ତ୍ତୀ ପ୍ରଶିକ୍ଷକ ନିଯୁକ୍ତ କରିବା ପାଇଁ ଓସିଏକୁ ସୁପାରିସ କରିଥିଲା। ଏହା ଉପରେ ଆପେକ୍ସ କାଉନସିଲ ସୋମବାର ମୋହର ମାରିଛି। ଏହାବ୍ୟତୀତ ଓସିଏର ପୂର୍ବତନ ଟ୍ରେନର ତଥା ମଣିପୁରର ମୁଖ୍ୟ ଟ୍ରେନର ଭାବେ କାର୍ଯ୍ୟ କରୁଥିବା ପୂର୍ଣ୍ଣେନ୍ଦୁ ଜେନା ୫ ବର୍ଷ ପରେ ଓସିଏକୁ ପ୍ରତ୍ୟାବର୍ତ୍ତନ କରୁଥିବା ସୂଚନା ଦିଆଯାଇଛି। ତାଙ୍କୁ ଓସିଏର ମୁଖ୍ୟ ପ୍ରଶିକ୍ଷକ (ଷ୍ଟ୍ରେନ୍ଥ ଆଣ୍ତ କଣ୍ତିସନି˚) ଭାବେ ନୂଆ ନିଯୁକ୍ତି ମିଳିଛି। ଓସିଏର ପ୍ରଶିକ୍ଷକମାନଙ୍କୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯିବ। ବରିଷ୍ଠ ଓ କନିଷ୍ଠ ଦଳ ପାଇଁ ଏମାନେ ଉଭୟ ରାଜ୍ୟ ଦଳ ଏବ˚ କ୍ରିକେଟ୍‌ ଏକାଡେମୀରେ ଜଡ଼ିତ ରହିବେ ବୋଲି ଆପେକ୍ସ କାଉନସିଲରେ ନିଷ୍ପତ୍ତି ହୋଇଛି।

ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ସଭାପତିତ୍ବରେ ଓସିଏ କାର୍ଯ୍ୟାଳୟରେ ହୋଇଥିବା ଏହି ବୈଠକରେ ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ସଫଳତାର ସହ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ, କ୍ରୀଡ଼ାମନ୍ତ୍ରୀ, ୫ଟି ସଚିବ, କ୍ରୀଡ଼ା ସଚିବ, ବିସିସିଆଇ କର୍ମକର୍ତ୍ତା, ଆର‌୍‌ଡିସି, କଟକ ଜିଲ୍ଲା ପ୍ରଶାସନ, ସିଏମ୍‌ସି ଅଧିକାରୀମାନଙ୍କୁ କୃତଜ୍ଞତା ଜଣାଯାଇଥିଲା। ଏଥିସହିତ ମ୍ୟାଚ୍‌ ପରିଚାଳନାରେ ସହଯୋଗ କରିଥିବା ଓସିଏର ସଦସ୍ୟମାନଙ୍କୁ ମଧ୍ୟ କାଉନସିଲ ଧନ୍ୟବାଦ ଜଣାଇଛି। ଆଗକୁ ବିସିସିଆଇର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଓସିଏର ପ୍ରସ୍ତୁତି ଉପରେ ମଧ୍ୟ ଆଲୋଚନା ହୋଇଛି। ହାଇବ୍ରିଡ ଲେଭଲ-୧ ପ୍ରଶିକ୍ଷକ ପାଠ୍ୟକ୍ରମ ପାଇଁ ଓଡ଼ିଶାରୁ ୧୦ଜଣଙ୍କୁ ପଠାଯିବ। ଏହାବାଦ୍‌ କ୍ୟୁରେଟର କର୍ମଶାଳା ପାଇଁ ଜଣେ, ଅମ୍ପାୟାର ଲେଭଲ-୨ ପାଠ୍ୟକ୍ରମ ପାଇଁ ୫ଜଣ, ଏନ୍‌ସିଏ ଲେଭଲ-୧ ଷ୍ଟ୍ରେନ୍ଥ ଆଣ୍ତ କଣ୍ତିସନି˚ ପ୍ରଶିକ୍ଷକ ପାଠ୍ୟକ୍ରମ ପାଇଁ ୩ଜଣଙ୍କୁ ପଠାଯିବ। ଆଗକୁ ଓଡ଼ିଶାରେ ଅମ୍ପାୟାର, ପ୍ରଶିକ୍ଷକ, ସ୍କୋରର ଓ ଆନାଲିସିଷ୍ଟ କ୍ଷେତ୍ରରେ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଆଗକୁ କଳାହାଣ୍ତି କପ୍‌ର ସୁପରଲିଗ୍‌ ଏବ˚ ମହିଳା ଟି-୨୦ ଲିଗ୍‌ ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସ˚ଜୟ ବେହେରା, ଯୁଗ୍ମ ସମ୍ପାଦକ ମେହେତାବ ଖାନ୍‌, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଅବକାଶ ଖଟୁଆ, ରଶ୍ମିତା ମହାନ୍ତି, ସିଇଓ ସୁବ୍ରତ କୁମାର ବେହେରା ଉପସ୍ଥିତ ଥିଲେ।

ଗୀତା ମହିଳା ଚୟନ ସମିତି ଅଧ୍ୟକ୍ଷ
ଗୀତା ସାମନ୍ତରାୟ ଓଡ଼ିଶା ମହିଳା କ୍ରିକେଟ୍‌ ଦଳର ଚୟନ ସମିତି ଅଧ୍ୟକ୍ଷ ଭାବେ ନୂଆ ନିଯୁକ୍ତି ପାଇଛନ୍ତି। ତାଙ୍କ ବ୍ୟତୀତ ସସ୍ମିତା ପଟ୍ଟନାୟକ, ମଧୁସ୍ମିତା ମହାପାତ୍ର, ସୁଧା˚ଶୁବାଳା ସାହୁ, ଗଙ୍ଗୋତ୍ରୀ ବେହେରା ଚୟନ ସମିତିର ସଦସ୍ୟ ଭାବେ ରହିଛନ୍ତି। କ୍ରିକେଟ୍‌ ପରାମର୍ଶଦାତା ସମିତିର ସୁପାରିସକ୍ରମେ ଏମାନଙ୍କୁ ନୂଆ ନିଯୁକ୍ତି ଦିଆଯାଇଥିବା ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଏହି ନୂତନ ଚୟନ ସମିତିକୁ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଓ ସମ୍ପାଦକ ସ˚ଜୟ ବେହେରା ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର