ପୂର୍ଣ୍ଣିମା ହେମ୍ବ୍ରମ, ଦେବ ପ୍ରସାଦ ସିଂହ ‘ଓସ୍‌ଜା ଆଓ୍ଵାର୍ଡ’ ପାଇଁ ମନୋନୀତ

ଓସ୍‌ଜା ପ୍ରତିଷ୍ଠା ଦିବସରେ ମାର୍ଚ୍ଚ ୨୧ରେ କରିବେ ପୁରସ୍କାର ଗ୍ରହଣ

ଭୁବନେଶ୍ୱର: ହେପ୍‌ଟାଥ୍ଲେଟ ପୂର୍ଣ୍ଣିମା ହେମ୍ବ୍ରମ ଓ ପୂର୍ବତନ ଫୁଟବଲ୍‌ ଖେଳାଳି ଦେବ ପ୍ରସାଦ ସିଂହଙ୍କୁ ‘ଓସ୍‌ଜା ଆଓ୍ଵାର୍ଡ’ ପାଇଁ ମନୋନୀତ କରାଯାଇଛି। ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଗଠନ(ଓସ୍‌ଜା)ର ବାର୍ଷିକ ପୁରସ୍କାର ୨୦୧୭-୧୮ ପାଇଁ ଏହି ପୁରସ୍କାର ଦିଆଯିବ। ଆଗାମୀ ମାର୍ଚ୍ଚ ୨୧ରେ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ସମାରୋହରେ ପୂର୍ଣ୍ଣିମାଙ୍କୁ ଚଳିତ ବର୍ଷ ଶ୍ରେଷ୍ଠ ଖେଳାଳି ଭାବରେ ଏହି ପୁରସ୍କାର ଦିଆଯିବା ପାଇଁ ଚୟନ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସେହିଭଳି କ୍ରୀଡା କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ଯୋଗୁଁ ଦେବ ପ୍ରସାଦ ସିଂହଙ୍କୁ ଆଜୀବନ ସାଧନା ପୁରସ୍କାର ଦିଆଯାଉଛି।

ଓସ୍‌ଜାର ପ୍ରତିଷ୍ଠା ଦିବସ ଅବସରରେ ପ୍ରଥମ ଥର ପାଇଁ ଉପରୋକ୍ତ ପୁରସ୍କାର ଦିଆଯାଉଛି। ଏଥି ପାଇଁ ଉଭୟ ପ୍ରତିଭାଙ୍କୁ ୨୫୦୦୦ ଟଙ୍କା ଓ ଉପଢ଼ୌକନ ସହିତ ପ୍ରମାଣପତ୍ର ଦିଆଯିବ।

ବର୍ଷ ୨୦୧୭-୧୮ ହେଉଛି ମୟୁରଭଞ୍ଜର ୨୪ ବର୍ଷିଅ ମହିଳା ଆଥଲେଟ୍‌ ପୂର୍ଣ୍ଣିମାଙ୍କ ପାଇଁ ସ୍ମରଣୀୟ ବର୍ଷ। ୨୦୧୭ ଜୁନ୍‌ରେ ତୁର୍କମେନିସ୍ଥାନର ଆଶଗାବାଦ୍‌ ଠାରେ ଅନୁଷ୍ଠତ ୫ମ ଏସୀୟ ଇଣ୍ଡୋର ଓ ମାର୍ସଲ ଆର୍ଟସ ଗେମ୍ସରେ ପୂର୍ଣ୍ଣିମାଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିଲା। ସେହିପରି ସେ ୨୦୧୭ ଜୁଲାଇରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ୨୨ତମ ଏସୀୟ ଆଥଲେଟିକ୍‌ ଚମ୍ପିଅନ୍‌ସିପ୍‌ରେ ପୂର୍ଣ୍ଣିମା କାଂସ୍ୟ ପଦକ ହାସଲ କରିଥିଲେ।

ବିଗତ ଗୋଟିଏ ବର୍ଷ ମଧ୍ୟରେ ଜାତୀୟ ପ୍ରତିଯୋଗିତାରେ ପୂର୍ଣ୍ଣିମାଙ୍କୁ ୧୦ଟି ପଦକ ମିଳିଛି। ଏଥିରୁ ୧୦ଟି ହେଉଛି ସ୍ୱର୍ଣ୍ଣପଦକ। ରେଳବାଇର କର୍ମଚାରୀ ପୂର୍ଣ୍ଣିମାଙ୍କୁ ପଞ୍ଜାବର ପଟିଆଲା ଠାରେ ଅନୁଷ୍ଠିତ ୨୨ତମ ଫେଡେରେସନ କପ୍‌ ସିନିଅର ନ୍ୟାସନାଲ ଆଥଲେଟିକ୍‌ ଚମ୍ପିଅନ୍‌ସିପ୍‌ରେ ସ୍ୱର୍ଣ୍ଣ ପଦକ ମିଳିଛି।

ସନ୍ତୋଷ ଟ୍ରଫି ସିନିଅର ନ୍ୟାସନାଲ ଫୁଟବଲ୍‌ ଚମ୍ପିଅନ୍‌ସିପ୍‌ରେ ଓଡ଼ିଶା ଦଳର ନେତୃତ୍ୱ ନେଇଥିଲେ ଦେବ ପ୍ରସାଦ ସିଂହ। ସେ ଭାରତୀୟ ଫୁଟବଲ ଟିମ୍‌ର ଜଣେ ସଦସ୍ୟ ଭାବରେ ମିଅାଁମାର ବିପକ୍ଷରେ ଏକ ମ୍ୟାଚ୍‌ ଖେଳିଥିଲେ। ଜଣେ ପୁଲିସ କର୍ମଚାରୀ ଭାବେ ଅବସର ନେଇଥିବା କଟକ ନିବାସୀ ଦେବ ପ୍ରସାଦଙ୍କ ପୁଅ ରାଜେନ୍ଦ୍ର ପ୍ରସାଦ ସିଂହ ମଧ୍ୟ ଜଣେ ଫୁଟବଲ ଖେଳାଳି।

ସମ୍ବନ୍ଧିତ ଖବର