ପୂର୍ଣ୍ଣିମା ପାଇଲେ ପ୍ରଥମ ଓସ୍‌ଜା ପୁରସ୍କାର

ଦେବ ପ୍ରସାଦ ସିଂହଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ୱର: ହେପ୍ଟାଥଲନ୍‌ ତାରକା ପୂର୍ଣ୍ଣିମା ହେମ୍ବ୍ରମ୍‌ ବୁଧବାର ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ତରଫରୁ ପ୍ରଦତ୍ତ ପ୍ରଥମ ଓସ୍‌ଜା ବାର୍ଷିକ ପୁରସ୍କାର ପାଇଛନ୍ତି। ୨୦୧୭-୧୮ ମସିହାର ପ୍ରଦର୍ଶନ ଆଧାରରେ ପୂର୍ଣ୍ଣିମା ଏହି ସମ୍ମାନ ଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଥିଲେ। ତେବେ ସଂପ୍ରତି ସେ ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ପ୍ରସ୍ତୁତି ଚଳାଇଥିବାରୁ ତାଙ୍କ ପିତା ଦୁଖିଆ ହେମ୍ବ୍ରମ୍‌ ପୁରସ୍କାର ଗ୍ରହଣ କରିଥିଲେ। ଅନ୍ୟ ପକ୍ଷରେ ଓଡ଼ିଶା ଫୁଟ୍‌ବଲ୍‌ର କିମ୍ବଦନ୍ତୀ ପୁରୁଷ ଦେବ ପ୍ରସାଦ ସିଂହ ବ୍ୟକ୍ତିଗତ ଭାବେ ଜୀବନବ୍ୟାପୀ ସାଧନା ସମ୍ମାନ ଗ୍ରହଣ କରିଥିଲେ। ବୁଧବାର ଏକ ସ୍ଥାନୀୟ ହୋଟେଲରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଉଭୟ ଏହି ପୁରସ୍କାର ଗ୍ରହଣ କରିଥିଲେ। ଦୁଇ ଜଣଙ୍କୁ ୨୫,୦୦୦ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ସହିତ ମାନପତ୍ର ଏବଂ ଫଳକ ପ୍ରଦାନ କରାଯାଇଥିଲା। ଓସ୍‌ଜାର ଏକ ୫ ଜଣିଆ ବିଚାରକ ମଣ୍ଡଳି ଉଭୟଙ୍କ ଚୟନକୁ ଚୂଡାନ୍ତ କରିଥିଲେ। ବିଗତ ଆର୍ଥିକ ବର୍ଷ ଭିତରେ ୨୪ ବର୍ଷୀୟା ମୟୂରଭଞ୍ଜ ଝିଅ ପୂର୍ଣ୍ଣିମା ଭୁବନେଶ୍ୱରରେ ଅନୁଷ୍ଠିତ ଏସୀୟ ଦୌଡ଼କୁଦରେ ହେପ୍ଟାଥଲନ୍‌ କାଂସ୍ୟ ପଦକ ଏବଂ ତୁର୍କମେନିସ୍ତାନର ଆଶଗବତରେ ଅନୁଷ୍ଠିତ ଏସୀୟ ଇନ୍‌ଡୋର୍‌ ଆଣ୍ଡ୍‌ ମାର୍ସାଲ୍‌ ଆର୍ଟ ଗେମ୍‌ସରେ ପେଣ୍ଟାଥଲନ୍‌ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଚଳିତ ମାସରେ ପାତିଆଲାରେ ୨୨ତମ ଫେଡେରେସନ୍‌ କପ୍‌ରେ ହେପ୍ଟାଥଲନ୍‌ ସ୍ୱର୍ଣ୍ଣ ଜିତିବା ସହିତ ଆସନ୍ତା ମାସର ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ମଧ୍ୟ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଜାତୀୟ ସ୍ତରରେ ନିଜ ପ୍ରାଧାନ୍ୟ ଅବ୍ୟାାହତ ରଖି ପୂର୍ଣ୍ଣିମା ବିଗତ ୧୨ ମାସ ମଧ୍ୟରେ ୬ ସ୍ୱର୍ଣ୍ଣ ସହିତ ୧୦ ପଦକ ମଧ୍ୟ ଜିତିଥିଲେ।

ଅନ୍ୟପକ୍ଷରେ ରାଜ୍ୟ ଫୁଟ୍‌ବଲ୍‌କୁ ଢ଼େର ଅବଦାନ ରଖିଥିବା ୭୦ ବର୍ଷୀୟ ଦେବ ସିଂହ ରାଜ୍ୟ ସନ୍ତୋଷ ଟ୍ରଫି ଦଳରୁ ଖେଳିବା ଏବଂ ନେତୃତ୍ୱ ନେବା ସହିତ ବର୍ମା (ବର୍ତମାନ ମ୍ୟାଁମାର) ବିପକ୍ଷରେ ଅନ୍ତର୍ଜାତୀୟ ବଂଧୁତ୍ୱପୂର୍ଣ୍ଣ ଫୁଟ୍‌ବ୍‌ଲ ମ୍ୟାଚ୍‌ ଖେଳିବାର ଗୌରବମୟ ଅଧ୍ୟାୟ ସଂଯୋଗ କରିଥିଲେ। ପୁଲିସ୍‌ରୁ ଅବସରପ୍ରାପ୍ତ ଶ୍ରୀଯୁକ୍ତ ସିଂହ ନିଜ ପୁଅ ରାଜେନ୍ଦ୍ର ପ୍ରସାଦ ସିଂହଙ୍କୁ ମଧ୍ୟ ରାଜ୍ୟର ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଳି ଭାବେ ଗଢ଼ି ତୋଳିବାରେ ସଫଳ ହୋଇଥିଲେ। ବୁଧବାରର ପୁରସ୍କାର ବିତରଣୀ ଉତ୍ସବରେ କ୍ରୀଡ଼ା ସଚିବ ବିଶାଲ ଦେବ, ଭାରତୀୟ ଭାରୋତ୍ତୋଳନ ଦୁନିଆର ଦୁଇ ସୁପରିଚିତ ବ୍ୟକ୍ତିିତ୍ୱ ପଲ ସିଂହ ସାନ୍ଧୁ ଓ ହଂସା ମନରାଲ (ଶର୍ମା) ଅତିଥି ଭାବେ ଯୋଗଦେଇଥିଲେ। ଓସ୍‌ଜା ସାଧାରଣ ସଂପାଦକ ସନାତନ ପାଣି, ସଭାପତି କେ ରବି, କାର୍ଯ୍ୟକାରୀ ସଭାପତି ସନ୍ଦୀପ ମିଶ୍ର, ଉପସଭାପତି ସୁରେଶ ସ୍ୱାଇଁ, ସମ୍ବିତ ମହାପାତ୍ର, ଯୁଗ୍ମ ସମ୍ପାଦକ ଦେବୀ ପ୍ରସନ୍ନ ମହାନ୍ତି, ସମୀକ୍ଷା ପଟ୍ଟନାୟକ, କୋଷାଧ୍ୟକ୍ଷ ହିମାଂଶୁ ପତି ମିଶ୍ର ଏବଂ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ହଂସା ଓ ସାନ୍ଧୁ ପୂର୍ଣ୍ଣିମାଙ୍କ ପ୍ରତିଭା ଏବଂ ଓଡ଼ିଶା ଫୁଟ୍‌ବଲ୍‌ ପାଇଁ ଦେବ ସିଂହ କରିଥିବା ଅବଦାନକୁ ଭୂୟଶୀ ପ୍ରଶଂସା କରିଥିଲେ। ସଂପାଦକ ଶ୍ରୀ ପାଣି ରାଜ୍ୟରେ କାର୍ଯ୍ୟରତ କ୍ରୀଡ଼ା ସାମ୍ବାଦିକଙ୍କୁ ଉନ୍ନତ କାର୍ଯ୍ୟ ପରିବେଶ ଯୋଗାଇଦେବା ସହ ସେମାନଙ୍କୁ ଆନୁଷ୍ଠାନିକ ସ୍ୱୀକୃତି ଦେବାକୁ ରାଜ୍ୟ ସରକାରଙ୍କୁ ଏହି ଅବସରରେ ଆହ୍ଵାନ କରିଥିଲେ।

କ୍ରୀଡ଼ା ବିକାଶ ଲାଗି ହଂସା ଦେଲେ ଚାରି ସୂତ୍ରୀ ମନ୍ତ୍ର

ଓସ୍‌ଜା ବାର୍ଷିକ ପୁରସ୍କାର ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ଭାରତୀୟ ଭାରୋତ୍ତୋଳନର ପ୍ରଥମ ମହିଳା ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜୟିନୀ ହଂସା ମନାରାଲ (ଶର୍ମା) କ୍ରୀଡ଼ାର ବିକାଶ ଲାଗି ଏହି ଅବସରରେ ଚାରି ସୂତ୍ରୀ ଯୋଜନା ପ୍ରଣୟନ କରିବାକୁ ରାଜ୍ୟ ସରକାରଙ୍କୁ ଆହ୍ଵାନ କରିଥିଲେ। ସେ କହିଥିଲେ, ବିକଶିତ ଦେଶରେ କ୍ରୀଡ଼ାର ବିକାଶ ଲାଗି ସୁଚିନ୍ତିତ କ୍ରୀଡ଼ା ଯୋଜନାର ପ୍ରଣୟନ କରାଯାଇଥାଏ। କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କ ପ୍ରତିଭାକୁ ଆହୁରି ଶାଣିତ କରିବା ଲାଗି ପ୍ରୟାସ ହୋଇଥାଏ। ପରିବର୍ତିତ ପରିସ୍ଥିତିରେ ପ୍ରଶିକ୍ଷକ କେମିତି ନିଜ ଜ୍ଞାନର ସ୍ରୋତକୁ ବଢ଼ାଇ ପାରିବେ ସେ ଦିଗରେ ଧ୍ୟାନ ଦିଆଯାଇଥାଏ। ସେଥିପାଇଁ ସେମାନେ ଅଲିମ୍ପିକ୍ସ ଭଳି ବୃହତ୍‌ କ୍ରୀଡ଼ା ପ୍ରତିଯୋଗିତାରେ ଆମଠାରୁ ଯଥେଷ୍ଟ ଅଧିକ ସଫଳତା ଲାଭ କରୁଛନ୍ତି। ଆମେ ମଧ୍ୟ ଏଭଳି ସଫଳତା ପାଇ ପାରିବା। ହେଲେ ଆମକୁ ଏଥିଲାଗି ଚାରିଟି ଦିଗ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ସେ କହିଥିଲେ ଅଲିମ୍ପିକ୍ସ ପଦକ ଜିତିବା ଲାଗି ପ୍ରଥମେ କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ କରିବାକୁ ହେବ। ସେଥିପାଇଁ ଆଗ ଏକ ସମିତି ଗଠନ କରିବାକୁ ପଡ଼ିବ। ଏହି ସମିତି ବର୍ଷସାରା ପ୍ରତିଭା ଅନେ୍ଵଷଣ କରିବ। ବଛା ବଛା ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରିବ। ସେହିପରି ପ୍ରଶିକ୍ଷକଙ୍କ ସଂଖ୍ୟା ଆହୁରି ବଢ଼ାଇବାକୁ ହେବ। ସେମାନଙ୍କ ଜ୍ଞାନକୁ ସାଂପ୍ରତିକ ପରିସ୍ଥିତି ଅନୁଯାୟୀ ସଂପ୍ରସାରିତ କରିବାକୁ ହେବ। ତା’ ସମୟ ସମୟରେ କ୍ରୀଡ଼ା ସମ୍ମିଳନୀ ଆୟୋଜନ କରାଯିବା ଦରକାର। ତୃତୀୟ କଥାଟି ହେଲା ବିଜ୍ଞାନ ସମ୍ମତ ସମର୍ଥନ। କେଉଁ ଖେଳାଳିଙ୍କୁ କିଭଳି ଭାବେ ପ୍ରଶିକ୍ଷଣ ଦେବାକୁ ହେବ ତାହା ବିଜ୍ଞାନ ସମ୍ମତ ଉପାୟରେ ବାଛିବାକୁ ହେବ। କ୍ରୀଡ଼ା ସଫଳତାର ଚତୁର୍ଥ ତଥା ଶେଷ ମନ୍ତ୍ର ହେଲା କ୍ରୀଡ଼ା କ୍ଷେତ୍ରରେ ସାଂଗଠନିକ ଦକ୍ଷତା ବଢ଼ାଇବାକୁ ହେବ। ସଠିକ୍‌ ଲୋକଙ୍କୁ ସଠିକ୍‌ ସ୍ଥାନରେ ବସାଇବାକୁ ହେବ। କ୍ରୀଡ଼ା ବିଭାଗର ବରିଷ୍ଠ ପଦରେ ରହୁଥିବା ବ୍ୟକ୍ତି କ୍ରୀଡ଼ାକୁ ବୁଝିବାକୁ ହେବ। ଭାରତୀୟ ଭାରୋତ୍ତୋଳନର ଇତିହାସ ଉପରେ ହଂସା ମଧ୍ୟ ଏହି ଅବସରରେ ଆଲୋକପାତ କରିଥିଲେ।

ଓଡ଼ିଶାର ଭାବମୂର୍ତି ବଦଳୁଛି: ବିଶାଲ ଦେବ

କ୍ରୀଡ଼ା ସଚିବ ଶ୍ରୀ ଦେବ କହିଥିଲେ ଯେ ଓସ୍‌ଜା ପରିବାର ସହ କାମ କରିବା ମୋତେ ବହୁତ ଅନନ୍ଦ ଦେଇଛି। ମୁଁ ଆପଣଙ୍କ ସବୁ ସଦସ୍ୟଙ୍କୁ ବହୁତ ସମ୍ମାନ କରେ। ସାମ୍ବାଦିକମାନେ ସବୁବେଳେ ଗଠନ ମୂଳକ କାର୍ଯ୍ୟରେ ମନ ଲଗାଇବା ଦରକାର। ମୁଁ ଆଶା କରୁଛି ଭବିଷ୍ୟତରେ ମଧ୍ୟ ଆମ ଭିତରେ ଥିବା ଏହି ସୁ ସପର୍କ ଆହୁରି ସୁଦୃଢ଼ ହେବ। ସୁପରକପ୍‌ ଓଡ଼ିଶାକୁ ଆସିବା ଏକ ଐତିହାସିକ ଘଟଣା। ମୁଁ ଓଡ଼ିଶାରେ ମୋ ଚାକିରି ଜୀବନ ଆରମ୍ଭ କରିଥିଲି। ଓଡ଼ିଶାର ବିକାଶ ଲାଗି ଯାହା ଦରକାର ସବୁ କରିବି। ଓଡ଼ିଶା ଆଗରୁ କେବଳ ନାକାରାତ୍ମକ ଘଟଣା ପାଇଁ ପରିଚିତ ଥିଲା। ଏସୀୟ ଦୌଡ଼କୁଦ ଆୟୋଜନ ପରେ ଏହି ଧାରା ବଦଳିଛି। ସାରା ବିଶ୍ୱରେ ଆମକୁ ଅଭିନନ୍ଦନ ମିଳିଛି। ବାହାରେ ଓଡ଼ିଶାର ଭାବମୂର୍ତି କ୍ରମଶଃ ବଦଳିବାରେ ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହ ଅନୁସାରେ ଆମେ କାମ କରୁଛୁ। ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ା କିମ୍ବା ୨୦୩୨ ଅଲିମ୍ପିକ୍ସ କେମିତି ଭୁବନେଶ୍ୱରରେ ଆୟୋଜନ ହେବ ଏବଂ ଭାରତ ଯଦି କେବେ ଅଲିମ୍ପିକ୍ସ ଆୟୋଜନ କରେ ଭୁବନେଶ୍ୱର ଯେମିତି ପ୍ରଥମ ପସନ୍ଦ ହେବ ସେହି ସ୍ୱପ୍ନ ପୂରଣ ପାଇଁ ଚେଷ୍ଟା କରୁଛୁ। କ୍ରୀଡ଼ା ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମାଧାନ ଲାଗି ସେ ନିଶ୍ଚିତ ଚେଷ୍ଟା କରିବେ ବୋଲି ଶ୍ରୀ ଦେବ ଏହି ଅବସରରେ ପ୍ରତିଶ୍ରୁତି ଦେଇଥିଲେ।

ଗଣମାଧ୍ୟମର ଭୂମିକା ଉପରେ ସାନ୍ଧୁଙ୍କ ଗୁରୁତ୍ୱାରୋପ
ଯେ କୌଣସି ଦେଶରେ କ୍ରୀଡ଼ାର ବିକାଶ ପାଇଁ ସେଠାକାର ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ। ହେଲେ କେବେ କେବେ ଗଣମାଧ୍ୟମ କେବଳ ନକାରାତ୍ମକ ଖବର ଉପରେ ଗୁରୁତ୍ୱ ଦେଇଥାଏ। ମୋର ଅନୁରୋଧ ଗଣମାଧ୍ୟମ ସବୁ ଖେଳର ସକାରାତ୍ମକ ଦିଗ ଉପରେ ଧ୍ୟାନ ଦିଅନ୍ତୁ। ଏହା ହେଲେ ଦେଶରେ କ୍ରୀଡ଼ାର ବିକାଶ ହେବା ସହ ଅଧିକରୁ ଅଧିକ ପିଲା କ୍ରୀଡ଼ା କ୍ଷେତ୍ରକୁ ଆସିବା ଲାଗି ଅନୁପ୍ରେରିତ ହୋଇପାରିବେ। ଓସ୍‌ଜା ବାର୍ଷିକ କ୍ରୀଡ଼ା ପୁରସ୍କାର ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ତଥା ଜାତୀୟ ଭାରୋତ୍ତୋଳନ ଦଳର ପୂର୍ବତନ ପ୍ରଶିକ୍ଷକ ପଲ ସିଂ ସାନ୍ଧୁ ଏହା କହିଥିଲେ। ଓଡ଼ିଶା ସହ ତାଙ୍କର ନିବିଡ଼ ସଂପର୍କ ଥିବା ଏବଂ ସେ ହିଁ ଅର୍ଜୁନ ପୁରସ୍କାର ବିଜେତା ବିଜୟ ଶତପଥୀଙ୍କୁ ସର୍ଭିସେସରେ ଯୋଗ ଦେଇ କ୍ରୀଡ଼ା ଜୀବନକୁ ଆଗେଇ ନେବା ଲାଗି ପରାମର୍ଶ ଦେଇଥିବା ଏହି ଅବସରରେ ସାନ୍ଧୁ କହିଥିଲେ। ଓଡ଼ିଶାରୁ ସୃଷ୍ଟି ହୋଇଥିବା ଦୁଇ ଅର୍ଜୁନ ପୁରସ୍କାର ବିଜେତା ଭାରୋତ୍ତୋଳକ ଶ୍ରୀ ଶତପଥୀ ଏବଂ କେ ରବି କୁମାରଙ୍କ ଖେଳ ଜୀବନରେ କେତେକ ଅକୁହା କଥା ଉପରୁ ପରଦା ଉଠାଇଥିଲେ। ସେହିଭଳି ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସ୍ଥାନୀୟ ଭାରୋତ୍ତୋଳକଙ୍କ ପାଇଁ ରିଫ୍ରେସର ପାଠ୍ୟକ୍ରମ ପ୍ରଦାନ କରୁଥିବାରୁ ସାନ୍ଧୁ ଏହି ଅବସରରେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ। ଓଡ଼ିଶା ଖେଳାଳିଙ୍କ ଉତ୍ସାହ ତାଙ୍କୁ ଆତ୍ମସନ୍ତୋଷ ଦେଇଛି ଏବଂ ଆଗକୁ ଓଡ଼ିଶା ନିଶ୍ଚିତ ଭାବେ ଉଭା ହେବ ବୋଲି ସେ ମତ ରଖିଥିଲେ। ସାଂପ୍ରତିକ ଏବଂ ଅତୀତ କ୍ରୀଡ଼ାବିତଙ୍କୁ ସମ୍ମାନିତ କରୁଥିବାରୁ ଓସ୍‌ଜାକୁ ସେ ସାଧୁବାଦ ଦେଇଥିଲେ।

ସମ୍ବନ୍ଧିତ ଖବର