ପୂର୍ଣ୍ଣିମାଙ୍କୁ ସ୍ୱର୍ଣ୍ଣ, ଜଉନାଙ୍କୁ କାଂସ୍ୟ

ଫେଡେରେସନ୍‌ କପ୍‌ ଦୌଡ଼କୁଦ

କଟକ: ପଟିଆଲାରେ ଶେଷ ହୋଇଥିବା ୨୨ତମ ଫେଡେରେସନ୍‌ କପ୍‌ ଦୌଡ଼କୁଦ ପ୍ରତିଯୋଗିତାର ଶେଷ ଦିନରେ ଓଡ଼ିଶାକୁ ଦୁଇଟି ପଦକ ମିଳିଛି। ମହିଳା ହେପ୍‌ଟାଥଲନ୍‌ରେ ପୂର୍ଣ୍ଣିମା ହେମ୍ବ୍ରମ୍‌ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମୋଟ ୫୮୧୫ ପଏଣ୍ଟ ସହ ସେ ଏହି ସଫଳତା ପାଇଛନ୍ତି। ତାଙ୍କ ପଛକୁ ୫୨୯୯ ପଏଣ୍ଟ ସହ କେରଳର ଲିକ୍‌ସି ଜୋସେଫ୍‌ ଦ୍ୱିତୀୟ ଓ ୫୧୭୩ ପଏଣ୍ଟ ସହ ତାମିଲନାଡୁର ଏମ୍‌ ସୌମ୍ୟ ତୃତୀୟ ସ୍ଥାନରେ ରହି ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଥିଲେ। ଅନ୍ୟପକ୍ଷରେ ମହିଳା ୨୦୦ ମିଟର ଦୌଡ଼ରେ ଓଡ଼ିଆ ଝିଅ ଜଉନା ମୁର୍ମୁ ୨୪.୬୪ ସେକେଣ୍ଡ ସହ କାଂସ୍ୟ ପଦକ ପାଇଛନ୍ତି। ଏହି ଇଭେଣ୍ଟରେ ଆସାମର ହିମା ଦାସ ୨୩.୩୭ ସେକେଣ୍ଡ ସହ ସ୍ୱର୍ଣ୍ଣ ଓ କର୍ଣ୍ଣାଟକର ପିଜେ ସ୍ନେହା ୨୪.୪୭ ସେକେଣ୍ଡ ସହ ରୌପ୍ୟ ପଦକ ହାସଲ କରିଛନ୍ତି। ଶେଷଦିନର ଦୁଇ ପଦକ ସହିତ ଓଡ଼ିଶା ପ୍ରତିଯୋଗିତାରେ ମୋଟ ୩ ପଦକ (୨ ସ୍ୱର୍ଣ୍ଣ ଓ ଗୋଟିଏ କାଂସ୍ୟ) ପାଇବାରେ ସକ୍ଷମ ହୋଇଛି। ପ୍ରଥମ ଦିନରେ ଦୂତି ଚାନ୍ଦ ୧୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ଉପରେ କବ୍‌ଜା କରିଥିଲେ।

ସମ୍ବନ୍ଧିତ ଖବର