ମୁମ୍ବାଇ: ନିଜ କ୍ରିକେଟ୍‌ ସ୍ବପ୍ନ ସାକାର କରିବା ଏବଂ ପରିବାରର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ମୁମ୍ବାଇ କ୍ରିକେଟର୍‌ ପୁଷ୍କର ଶର୍ମା ଘର ଛାଡ଼ି କେନିଆ ପାଇଁ କ୍ରିକେଟ୍‌ ଖେଳୁଛନ୍ତି। ପୁଷ୍କରଙ୍କ ବାପା ୨୦୧୭ରେ କର୍କଟରେ ପୀଡ଼ିତ ହୋଇ ଆରପାରିକୁ ଚାଲିଯାଇଥିଲା ବେଳେ ଘରେ ମା’ ଓ ଦୁଇ ଭଉଣୀ ଅଛନ୍ତି। ହେଲେ ପରିବାର ଚଳାଇବା ମା’ଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼ୁଥିବା ବେଳେ କରଜରେ ବୁଡ଼ିଯାଇଥିଲେ। ଯେଉଁଥିପାଇଁ ତାଙ୍କ ଖେଳଜୀବନ ମଧ୍ୟ ଶେଷ ହୋଇଯିବା ନେଇ ସେ ଆଶଙ୍କା କରିଥିଲେ। ସହାୟତା ପାଇଁ ବରିଷ୍ଠ ଖେଳାଳି ଓ ପ୍ରଶାସନ ନିକଟରେ ଗୁହାରି କରିଥିଲେ ବି କିଛି ଫଳ ମିଳିନଥିଲା। ତଥାପି ସେ ହାର୍‌ ନମାନି ଆଗକୁ ବଢ଼ିବା ପାଇଁ ଚିନ୍ତା କରିଥିଲେ।

Advertisment

ଟେଷ୍ଟ‌ ଖେଳୁନଥିବା ରାଷ୍ଟ୍ରମାନଙ୍କ ସହିତ ସେ ଯୋଗାଯୋଗ କରିବା ଆରମ୍ଭ କରିଦେଇଥିଲେ। ଶେଷରେ ଗୋଟିଏ ଦିନ କେନିଆ କ୍ରିକେଟ୍‌ ପକ୍ଷରୁ ତାଙ୍କୁ ପ୍ରସ୍ତାବ ଆସିଥିଲା। କେନିଆ କ୍ରିକେଟ୍‌ ସହିତ ସେ ଚୁକ୍ତି କରିଥିଲେ ବି ସେଠାକାର ନିୟମ ଅନୁସାରେ ଅନ୍ୟୁନ ୩ ବର୍ଷ ଦେଶରେ ରହିବା ପରେ ଜାତୀୟ ଦଳରେ ପ୍ରତିନିଧିତ୍ବ କରିପାରିବେ। ସେଥିପାଇଁ କେନିଆରେ ଚାକିରି କରିବା ସହ ରୁଅରକା ସ୍ପୋର୍ଟ୍ସ କ୍ଲବ୍‌ ତରଫରୁ ଖେଳିବା ଆରମ୍ଭ କରିଥିଲେ। ଦିନ ବେଳା କାମ କରିବା ପରେ ସନ୍ଧ୍ୟା ବେଳଠୁ କ୍ରିକେଟ୍‌ ଅଭ୍ୟାସ କରିଥାନ୍ତି ପୁଷ୍କର। ୨୦୨୧ରେ ନାଇରବି ପ୍ରୋଭିନ୍‌ସିଆଲ୍‌ କ୍ରିକେଟ୍‌ ସଂଘ ଲିଗ୍‌ରେ ୧୪ ମ୍ୟାଚ୍‌ରୁ ୪ ଶତକ ଓ ୩ ଅର୍ଦ୍ଧଶତକ ସହାୟତାରେ ୮୪୧ ରନ୍‌ ସଂଗ୍ରହ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ନକୁରୁ ଲିଓପାର୍ଡ୍ସ ତରଫରୁ ଦଫାବେତ୍‌ ଆଫ୍ରିକା କ୍ରିକେଟ୍‌ ପ୍ରିମିୟର ଲିଗ୍‌ରେ ସେ ୧୧୫ ଷ୍ଟ୍ରାଇକ୍‌ ରେଟ୍‌ରେ ୨୨୮ ରନ୍‌ ସଂଗ୍ରହ କରିବା ସହ ୫ ୱିକେଟ୍‌ ଦଖଲ କରିଥିଲେ।

ସଚିନ ତେନ୍ଦୁଲକର ଓ ଗୌତମ ଗମ୍ଭୀରଙ୍କୁ ପ୍ରେରଣା ଭାବେ ଗ୍ରହଣ କରିଥିବା ପୁଷ୍କରଙ୍କୁ ତାଙ୍କ ପ୍ରାରମ୍ଭିକ ସଂଘର୍ଷମୟ ଜୀବନରେ ଯଶସ୍ବୀ ଜୟସ୍ବାଲ୍‌, କେନିଆର ମନସୁଖ ହିରାନୀ ଏବଂ କେନିଆ କ୍ରିକେଟରମାନେ ବହୁତ ସହାୟତା କରିଥିବା ଏକ ସାକ୍ଷତକାର ଅବସରରେ କହିଥିଲେ। ଭାରତରେ ୧୬ ବର୍ଷରୁ କମ୍‌ କ୍ରିକେଟ୍‌ ଖେଳିଥିବାରୁ ତାହା ଏବେ ତାଙ୍କୁ ବହୁତ ସହାୟକ ହେଉଛି। ମୁମ୍ବାଇ କନିଷ୍ଠ ଦଳର ଅଧିନାୟକ ଥିବା ବେଳେ ପୃଥ୍ବୀ ସ’ ମଧ୍ୟ ତାଙ୍କ ଅଧିନରେ ଖେଳିଥିଲେ। ତେଣୁ ଏବେ ସେ ଅଧିକରୁ ଅଧିକ ରନ୍‌ ଓ ୱିକେଟ୍‌ ହାସଲ କରିବା ସହିତ ଆଗକୁ ବଢ଼ିବାକୁ ଚାହୁଁଛନ୍ତି ଏବଂ ସବୁବେଳେ ଜାତୀୟ ଦଳ ପାଇଁ ଖେଳିବା ସ୍ବପ୍ନ ଦେଖିଆସିଛନ୍ତି। ଏବେ ସେହି ସ୍ବପ୍ନ ସାକାର ହେଉଥିବାରୁ ସେ ଉତ୍ସାହିତ ଥିବା କହିଛନ୍ତି। ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ହେବାକୁ ଥିବା ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ସେ ଖେଳିବାକୁ ଆଗ୍ରହ ରଖିଛନ୍ତି। ତେଣୁ କେନିୟାକୁ ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ପ୍ରବେଶ କରାଇବା ତାଙ୍କର ପ୍ରାଥମିକ ଲକ୍ଷ୍ୟ ରହିଥିବା କହିଛନ୍ତି।