ଲଗାତାର ଦୁଇଟି ଅଲିମ୍ପିକ୍ସ ପଦକ ଜିତିବାରେ ଦ୍ବିତୀୟ ଭାରତୀୟ
ଟୋକିଓ : ଭାରତୀୟ କ୍ରୀଡ଼ା ଇତିହାସରେ ବ୍ୟାଡ୍ମିଣ୍ଟନ୍ ତାରକା ପିଭି ସିନ୍ଧୁ ରବିବାର ସଫଳତାର ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ମହିଳା ଏକକ ବ୍ୟାଡମିଣ୍ଟନ୍ରେ ଚୀନ୍ର ହେ ବିଙ୍ଗଜିଆଓଙ୍କୁ ସିଧାସଳଖ ଭାବେ ୨୧-୧୫, ୨୧-୧୩ରେ ହରାଇ ଚଳିତ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିବାର ଗୌରବମୟ ଗାଥା ଲେଖିଛନ୍ତି ୨୭ ବର୍ଷୀୟା ସିନ୍ଧୁ। ତା’ ସହିତ ଅଲିମ୍ପିକ୍ସରେ ଦୁଇଟି ବ୍ୟକ୍ତିଗତ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ହେବାର ଅନନ୍ୟ ଇତିହାସ ରଚିଛନ୍ତି। ସେହିଭଳି ସୁଶୀଲ କୁମାରଙ୍କ ପରେ ଲଗାତାର ଦୁଇଟି ଅଲିମ୍ପିକ୍ସରେ ପଦକ ଜିତିବାରେ ଦ୍ବିତୀୟ ଭାରତୀୟ ହେବାର ମଧ୍ୟ କୀର୍ତ୍ତିମାନ କରିଛନ୍ତି। ଖାଲି ସେତିକି ନୁହେଁ ଅଲିମ୍ପିକ୍ସରେ ଲଗାତାର ପଦକ ଜିତିବାରେ ବିଶ୍ବର ଚତୁର୍ଥ ମହିଳା ଏକକ ବ୍ୟାଡମିଣ୍ଟନ୍ ତାରକା ମଧ୍ୟ ହୋଇଛନ୍ତି। ବ୍ୟାଡମିଣ୍ଟନ୍ରୁ ବି ଏହା ଭାରତର କ୍ରମାଗତ ତୃତୀୟ ଅଲିମ୍ପିକ୍ସ ପଦକ।
୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସରେ ସାଇନା ନେହୱାଲ (କାଂସ୍ୟ ପଦକ) ବ୍ୟାଡମିଣ୍ଟନ୍ରେ ପଦକ ଅମଳର ଏହି ଧାରା ଆରମ୍ଭ କରିଥିଲେ। ସିନ୍ଧୁ ଏହାକୁ ଆଗେଇ ନେଇ ଲଗାତାର ଦୁଇଟି ପଦକ ଜିତି ନେଇ ସମଗ୍ର ଦେଶକୁ ଗର୍ବିତ କରିଛନ୍ତି। ଏହା ପୂର୍ବରୁ ୨୦୧୬ ରିଓ ଅଲିମ୍ପିକ୍ସରେ ହାଇଦ୍ରାବାଦର ଏହି ବ୍ୟାଡମିଣ୍ଟନ୍ ମହାନାୟିକା ନିଜ ପଦାର୍ପଣରେ ହିଁ ରୌପ୍ୟ ପଦକ ହାସଲ କରିଥିଲେ। ସେଥିପାଇଁ ଟୋକିଓରେ ଦେଶ ତାଙ୍କଠାରୁ ସ୍ବର୍ଣ୍ଣ ପଦକ ଆଶା ରଖିଥିଲା। ହେଲେ ସେମିଫାଇନାଲ୍ରେ ସିନ୍ଧୁ ଦୁର୍ଭାଗ୍ୟଜନକ ଭାବେ ବିଶ୍ବର ଏକ ନମ୍ବର ଖେଳାଳି ତାଇୱାନର ତାଇ ଜୁ ଇଙ୍ଗଙ୍କଠାରୁ ୧୮-୨୧, ୧୨-୨୧ରେ ହାରିଯାଇଥିଲେ। ତେବେ କାଂସ୍ୟ ପଦକ ଜିତିବାର ସୁଯୋଗ ତାଙ୍କ ହାତରେ ଥିଲା।
ରବିବାର ଦିନ ବିଙ୍ଗଜିଆଓଙ୍କ ବିପକ୍ଷ ଏହି ମ୍ୟାଚ୍ରେ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ୧୪୦ କୋଟି ଭାରତୀୟଙ୍କୁ ଆଉ ଏକ ପଦକ ଭେଟି ଦେଇଥିଲେ ସିନ୍ଧୁ। ମୀରାବାଇ ଚାନୁ ୪୯ କିଲୋଗ୍ରାମ ମହିଳା ଭାରୋତ୍ତୋଳନରେ ଦେଶକୁ ରୌପ୍ୟ ପଦକ ଉପହାର ଦେବା ପରେ ୬୯ କିଲୋଗ୍ରାମ ମହିଳା ମୁଷ୍ଟିଯୁଦ୍ଧରେ ଲଭଲିନା ବର୍ଗୋହାଁ ଦ୍ବିତୀୟ ପଦକ ସୁନିଶ୍ଚିତ କରିଥିଲେ। ଏବେ ସିନ୍ଧୁ ତୃତୀୟ ପଦକ ଜିତିବା ପରେ ସାରା ଦେଶରେ ଖୁସିର ଲହରି ଖେଳିଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ପ୍ରମୁଖ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ପଦକ ଜିତିବା ପରେ ସିନ୍ଧୁ ଦେଶବାସୀ, ପରିବାର ଓ ପ୍ରଶଂସକଙ୍କୁ ଧନ୍ୟବାଦ ଦେବା ସହ କହିଛନ୍ତି, ‘ମୋ ମନ ଏବେ ଆକାଶରେ ଉଡ଼ୁଛି। ଖୁସିର କୌଣସି ସୀମା ନାହିଁ। ଫାଇନାଲ୍ ଯିବାର ସୁଯୋଗ ହାତଛଡ଼ା କରିବା ପରେ ମନରେ ନାନା ଭାବନା ଓ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା। କାଂସ୍ୟ ଜିତିବା ପରେ ଏସବୁ ଭାବନା ଦୂର ହୋଇଛି। କଠିନ ପରିଶ୍ରମର ଫଳ ମିଳିଛି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/1.jpg)