ଦୋହା: ଆହତ ଯୋଗୁଁ ଏକାଧିକ ବଡ଼ବଡ ଖେଳାଳି ଚଳିତ ବିଶ୍ବକପ୍‌ରେ ‌ସାମିଲ ହୋଇପାରିନାହାନ୍ତି। ଫ୍ରାନ୍ସର ମିଡ୍‌ଫିଲ୍ଡର ପାଓଲ୍‌ ପୋଗ୍‌ବା ଓ ଏନ୍‌ଗୋଲୋ କାଣ୍ଟେ ଏମାନଙ୍କ ଭିତରୁ ଅନ୍ୟତମ। ତଥାପି ଏମାନଙ୍କ ବାଦ୍‌ ଯେଉଁ କେତେକ କାତାର ଖେଳିବାକୁ ଆସିଥିଲେ ଓ ସେମାନେ ଖେଳ ଆରମ୍ଭ ବେଳକୁ ସୁସ୍ଥ ହୋଇଯିବେ ବୋଲି ଅନୁମାନ କରାଯାଉଥିଲା, ସେମାନଙ୍କ ଭିତରୁ ବି କେତେକ ସଂପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ସଂପୃକ୍ତ ଦଳମାନଙ୍କର ନକ୍‌ଆଉଟ୍‌ ପର୍ଯ୍ୟାୟରେ ବି ଖେଳିବା ନେଇ ଆଶଙ୍କା ଦେଖାଦେଇଛି। କରିମ୍‌ ବେଞ୍ଜେମା, ସାଦିଓ ମାନେଙ୍କ ଆହତ ଏତେ ଗୁରୁତର ଥିଲା ଯେ‌ ସେମାନଙ୍କର ସର୍ଜରୀ କରିବାକୁ ପଡ଼ିଥିଲା। ଏବେ ସେଭଳି କିଛି ଖେଳାଳି ଗ୍ରୁପ୍‌ ପର୍ଯ୍ୟାୟରେ ଖେଳିଥିଲେ ମଧ୍ୟ ଆହତ ଯୋଗୁଁ ଅଧାରୁ ବାହାରିଯାଇଥିଲେ। ସେମାନଙ୍କ ଦଳର ନକ୍‌ଆଉଟ୍‌ ପର୍ଯ୍ୟାୟ ବେଳକୁ ମଧ୍ୟ ସେମାନେ ସୁସ୍ଥ ହେବା ନେଇ ଆଶଙ୍କା କରାଯାଉଛି।

Advertisment

ନେମାର ଜୁନିଅର୍‌ (ବ୍ରାଜିଲ୍‌)
ବ୍ରାଜିଲ୍‌ର ତାରକା ଖେଳାଳି ନେମାର ଜୁନିଅର୍‌ ସର୍ବିଆ ବିପକ୍ଷ ଦଳର ପ୍ରଥମ ମ୍ୟାଚ୍‌ରେ ୯ଥର ଫାଉଲ୍‌ର ସାମ୍ନା କରିଥିଲେ। ପରେ ତାଙ୍କ ଗୋଇଠିରେ ପ୍ରବଳ ଯନ୍ତ୍ରଣା ହେବାରୁ ଦଳର ପରବର୍ତ୍ତୀ ଦୁଇ ମ୍ୟାଚ୍‌ରେ ସେ ଖେଳିପାରିନଥିଲେ। ଲିଗାମେଣ୍ଟରେ ଆଘାତ ଲାଗିଥଇବାରୁ କ୍ରାୟୋଥେରାପି କରାଯାଇ ନକ୍‌ଆଉଟ୍‌ ବେଳକୁ ତାଙ୍କୁ ସୁସ୍ଥ କରିବା ପାଇଁ ଉଦ୍ୟମ ଜାରି ରହିଛି। ପୂର୍ବରୁ ମଧ୍ୟ ବିଶ୍ବକପ୍‌ରେ ନେମାରଙ୍କ ସହିତ ଏକାଧିକ ଥର ଖରାପ ଘଟଣା ଘଟିଛି। ୨୦୧୪ ବିଶ୍ବକପ୍‌ କ୍ବାର୍ଟରଫାଇନାଲ୍‌ରେ ତାଙ୍କ ପିଠିରେ ଜୋର୍‌ରେ ଆଘାତ ଲାଗିଥିଲା ଏବଂ ୨୦୧୮ରେ ଗୋଇଠିରେ ବଡ଼ ଆଘାତ ହୋଇଥିଲା। ନେମାର ବର୍ତ୍ତମାନସୁଦ୍ଧା ୧୨୨ ଆନ୍ତର୍ଜାତିକ ମ୍ୟାଚ୍‌ରେ ୭୫ ଗୋଲ୍‌ ଦେଇଥିଲା ବେଳେ ପେଲେଙ୍କ କୀର୍ତ୍ତିମାନ ଭାଙ୍ଗିବାକୁ ଆଉ ୨ ଗୋଲ୍‌ ଦୂରରେ ଅଛନ୍ତି।

ଡାନିଲୋ ଲୁଇଜ୍‌ ଡାସିଲ୍‌ଭା (ବ୍ରାଜିଲ୍‌)
ନେମାରଙ୍କ ଭଳି ଡାନିଲୋ ଲୁଇଜ୍‌ ଡାସିଲ୍‌ଭା ମଧ୍ୟ ପ୍ରଥମ ମ୍ୟାଚ୍‌ରେ ଗୋଇଠିରେ ଆଘାତ ଲାଗିବାରୁ ଅଧାରୁ ପଡ଼ିଆ ଛାଡ଼ିଥିଲେ। ତାଙ୍କର ମଧ୍ୟ କ୍ରାୟୋଥେରାପି କରାଯାଉଛି। ଉଭୟ ଖେଳାଳି ପ୍ରି-କ୍ବାର୍ଟରଫାଇନାଲ୍‌ ବେଳକୁ ସୁସ୍ଥ ହେବା ପାଇଁ ଦଳ ସବୁପ୍ରକାର ଚେଷ୍ଟା ଚଲାଇଛି।

ଚେଇଖୋଉ କୌୟାଟେ (ସେନେଗାଲ୍‌)
ନଟିଂହାମ୍‌ ଫରେଷ୍ଟର ମିଡ୍‌ଫିଲ୍ଡର ଚେଇଖୋଉ କୌ‌ୟାଟେ ନେ‌ଦରଲାଣ୍ଡ୍ସ ବିପକ୍ଷ ସେନେଗାଲ୍‌ର ପ୍ରଥମ ମ୍ୟାଚ୍‌ରେ ଜଙ୍ଘରେ ଆଘାତ ପାଇଥିଲେ। ଫଳରେ କାତାର ଓ ଇକ୍ବେଡ଼ର ବିପକ୍ଷରେ ସେ ଖେଳିପାରିନଥିଲେ। ସେନେଗାଲ୍‌ର ପ୍ରମୁଖ ଖେଳାଳି ପାଲଟିଥିବା କୌୟାଟେ ଦଳକୁ ଆଫ୍ରିକା କପ୍‌ ଜିତାଇବାରେ ବଡ଼ ଭୂମିକା ନେଇଥିଲେ। ରବିବାର ଇଂଲଣ୍ଡ ବିପକ୍ଷ ପ୍ରି-କ୍ବାର୍ଟରଫାଇନାଲ୍‌ ମ୍ୟାଚ୍‌ ବେଳକୁ ସେ ସୁସ୍ଥ ହୋଇଯାଆନ୍ତୁ ବୋଲି ସେନେ‌ଗାଲ୍‌ ଚାହିଁବ।

ଡାନିଲୋ ପେରେଇରା (ପର୍ତୁଗାଲ)
ପର୍ତୁଗାଲ୍‌ର ଅଭ୍ୟାସ ସମୟରେ ଡାନିଲୋ ପେରେଇରା ଛାତି ହାଡ଼ରେ ଆଘାତ ଲାଗିଥିଲା। ପରେ ସ୍କାନିଂରେ ତିନୋଟି ହାଡ ଭାଙ୍ଗିଯାଇଥିବା ଦେଖାଯାଇଥିଲା। ତଥାପି ନକ୍‌ଆଉଟ୍‌ରେ ସେ ଖେଳିବା ନେଇ ଆଶାବାଦୀ ଅଛନ୍ତି। ପେରେଇରାଙ୍କ ସ୍ଥାନରେ ରୁବେନ୍‌ ଡାଇସ୍‌ ଶେଷ ଦୁଇ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଖେଳିଥିଲେ। ହେଲେ ସେ କେତେମାତ୍ରାରେ ସୁସ୍ଥ ହେଲେଣି ତାହା ସ୍ପଷ୍ଟ ହୋଇନାହିଁ।