‌ନେହରୁ କପ୍ ଜାତୀୟ ହକି ଲାଗି ପାନପୋଷର ଯୋଗ୍ୟତା

ରାଉରକେଲା : ପାନପୋଷ କ୍ରୀଡ଼ା ଛାତ୍ରାବାସ ପଡ଼ିଆରେ ରବିବାର ଖେଳାଯାଇଥିବା ରାଜ୍ୟସ୍ତରୀୟ କନିଷ୍ଠ ବାଳକ ନେହରୁ କପ୍‌ ହକି ପ୍ରତିଯୋଗିତାରେ ମ୍ୟୁନିସିପାଲ ଉଚ୍ଚବିଦ୍ୟାଳୟ (ପାନପୋଷ) ବିଜୟୀ ହୋଇଛି। ବିଜୟ ସହ ଦଳ ନୂଆଦିଲ୍ଲୀରେ ହେବାକୁ ଥିବା ଜାତୀୟସ୍ତରୀୟ ନେହରୁ କପ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଛି। ମ୍ୟୁନିସିପାଲ ହାଇସ୍କୁଲ ଓ ଟାଉନ ହାଇସ୍କୁଲ (ସୁନ୍ଦରଗଡ଼) ମଧ୍ୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ ବେଶ୍‌ ଉତ୍କଣ୍ଠାପୂର୍ଣ୍ଣ ହୋଇଥିଲା। ଆରମ୍ଭରୁ ଉଭୟ ଦଳର ଘନଘନ ଆକ୍ରମଣ, ପ୍ରତି ଆକ୍ରମଣ ଦେଖିବାକୁ ମିଳିଥିଲା। ମ୍ୟାଚ୍‌ର ୪୭ତମ ମିନିଟ୍‌ରେ ମ୍ୟୁନିସିପାଲ ହାଇସ୍କୁଲର ଦୀପକ ପ୍ରଧାନ ଏକ ଚମତ୍କାର ଗୋଲ୍‌ ଦେଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ତେବେ ଟାଉନ ହାଇସ୍କୁଲ ଦଳ ଗୋଲ୍‌ ପରିଶୋଧ କରିନପାରିବାରୁ ୦-୧ ଗୋଲ୍‌ରେ ପରାସ୍ତ ହୋଇଥିଲା।

ଲଗାଣ ବର୍ଷା ଯୋଗୁଁ ଶନିବାର ସେମିଫାଇନାଲ ମ୍ୟାଚ୍‌ ‌ବାତିଲ ହେବାରୁ ଆଜି ପୂର୍ବାହ୍ନରେ ଖେଳାଯାଇଥିଲା। ପ୍ରଥମ ସେମିଫାଇନାଲରେ ଟାଉନ ହାଇସ୍କୁଲ ସଂପୂର୍ଣ୍ଣ ଏକତରଫା ଭାବେ ୫-୦ ଗୋଲ୍‌ରେ ନବଜ୍ୟୋତି ହାଇସ୍କୁଲ (ଅନୁଗୁଳ)କୁ ଏବଂ ଦ୍ବିତୀୟ ସେମିଫାଇନାଲରେ ମ୍ୟୁନିସିପାଲ ହାଇସ୍କୁଲ ୪-୦ ଗୋଲ୍‌ରେ ରାବଗା ମଝାପଡ଼ା ମିଶନ ହାଇସ୍କୁଲ (ସମ୍ବଲପୁର)କୁ ପରାସ୍ତ କରି ଫାଇନାଲ ପ୍ରବେଶ କରିଥିଲା। ବର୍ଣ୍ଣାଡ୍‌ ଲାକ୍ରା, ସରୋଜିନୀ ଏକ୍କା, ଜର୍ଜ ଲୁଗୁନ ଓ ରମନଦୀପ ଲାକ୍ରା ମ୍ୟାଚ୍‌ ପରିଚାଳନା କରିଥିଲେ।

ଉଲ୍ଲେଖଯୋଗ୍ୟ, ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ସୁନ୍ଦରଗଡ଼ ସମେତ ମୋଟ୍‌ ୧୨ଟି ଜିଲ୍ଲା, ଯଥା-ସମ୍ବଲପୁର, ରାୟଗଡ଼ା, ମୟୂରଭଞ୍ଜ, କଳାହାଣ୍ଡି, ଝାରସୁଗୁଡ଼ା, ଢେଙ୍କାନାଳ, ଦେବଗଡ଼, ବଲାଙ୍ଗୀର, ଜଗତସିଂହପୁର, ଅନୁଗୁଳ ଓ ନୟାଗଡ଼ ଜିଲ୍ଲାର ୧୬ଟି ସ୍କୁଲ ଦଳ ଅଂଶଗ୍ରହଣ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ରିଜର୍ଭ ପୁଲିସ ଇନ୍ସପେକ୍ଟର ଦୀପ୍ତି ରଞ୍ଜନ ଜେନା, ରାଜ୍ୟ କ୍ରୀଡ଼ା ବିଭାଗ ଉପନିର୍ଦେଶକ ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଶାନ୍ତ ତରାଇ, ପାନପୋଷ କ୍ରୀଡ଼ା ଛାତ୍ରାବାସର ଭାରପ୍ରାପ୍ତ ଅଧିକାରୀ ବିଜୟ ଲାକ୍ରା, ବରିଷ୍ଠ ପ୍ରଶିକ୍ଷକ କେସି ଚୌଧୁରୀ, ତେଜକୁମାର ଖେସ, ଆବ୍ରାହମ କିସପଟ୍ଟା, ପ୍ରଫୁଲ୍ଲ ତିର୍କି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର