ସୁପର ଲିଗ୍‌ରୁ ୨୦୨୩ ବିଶ୍ବକପ୍‌ ଯୋଗ୍ୟତା: ନୂଆ ଯୋଗ୍ୟତାପର୍ଯ୍ୟାୟ ପ୍ରତିଯୋଗିତା ଉନ୍ମୋଚିତ, ଇଂଲଣ୍ଡ-ଆୟର୍ଲାଣ୍ଡରୁ ଆରମ୍ଭ

ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ସ୍ଥଗିତ ହେବ

ଦୁବାଇ: ଭାରତରେ ହେବାକୁ ଥିବା ୨୦୨୩ ବିଶ୍ବକପ୍‌ ଯୋଗ୍ୟତା ଅର୍ଜନ ଲାଗି ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ନୂଆ ମାନଦଣ୍ଡ ପ୍ରସ୍ତୁତ କରିଛି। ୫୦ ଓଭରିଆ ବିଶ୍ବକପ୍‌କୁ ଅଧିକ ପ୍ରତିଦ୍ବନ୍ଦ୍ବିତା ମୂଳକ କରିବା ଉଦ୍ଦେଶ୍ୟରେ ସୋମବାର ଏକଦିବସୀୟ ସୁପରଲିଗ୍‌ ଯୋଗ୍ୟତାପର୍ଯ୍ୟାୟ ପ୍ରତିଯୋଗିତାକୁ ଉନ୍ମୋଚନ କରିଛି। ଏହି ଲିଗ୍‌ର ଶ୍ରେଷ୍ଠ ୭ ଦଳ ସହ ଆୟୋଜକ ଭାରତ ସିଧାସଳଖ ବିଶ୍ବକପ୍‌ ଲାଗି ଯୋଗ୍ୟତା ଅର୍ଜନ କରିବେ ବୋଲି ‌ଆଇସିସି ଦ୍ବାରା ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଜୁନ୍‌ ୩୦ରୁ ସାଉଥମ୍ପଟନ୍‌ରେ ହେବାକୁ ଥିବା ବିଶ୍ବ ବିଜେତା ଇଂଲଣ୍ଡ ଓ ଆୟର୍ଲାଣ୍ଡ ଶୃଙ୍ଖଳାରୁ ଏହି ଲିଗ୍‌ ଆରମ୍ଭ ହେବ। ଅନ୍ୟସୂଚୀ ପରବର୍ତୀ ସମୟରେ ଘୋଷଣା କରାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି।

ଫର୍ମାଟ୍‌
ଆଇସିସିର ପୂର୍ଣ୍ଣ ମାନ୍ୟତା ୧୨ ଦଳ ଓ ୨୦୧୫-୧୭ ବିଶ୍ବ କ୍ରିକେଟ୍‌ ସୁପର ଲିଗ୍‌ ପ୍ରତିଯୋଗିତାରୁ ଯୋଗ୍ୟତା ଅର୍ଜନ କରିଥିବା ନେଦରଲାଣ୍ଡକୁ ମିଶାଇ ମୋଟ ୧୩ ଦଳ ସୁପର ଲିଗ୍‌ରେ ଭାଗନେବେ। ପ୍ରତ୍ୟେକ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ୪ଟି ଲେଖାଏଁ ଶୃଙ୍ଖଳା ଘରୋଇ ଓ ବିଦେଶ ଭିତ୍ତିରେ ଖେଳିବେ। ଏଥିରେ ସେମାନେ ମୋଟ ୨୪ ମ୍ୟାଚ୍‌ ଖେଳିବେ।

ଯୋଗ୍ୟତା ମାନଦଣ୍ଡ
ଏହି ଲିଗ୍‌ର ଶ୍ରେଷ୍ଠ ୭ ଦଳ ସହ ଆୟୋଜକ ଭାରତ ସିଧାସଳଖ ବିଶ୍ବକପ୍‌ ଯୋଗ୍ୟତା ଅର୍ଜନ କରିବେ। ସିଧାସଳଖ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିବା ୫ ଦଳ ୨୦୨୩ କ୍ବାଲିଫାୟରରେ ୫ ସହଯୋଗୀ ସଦସ୍ୟ ଦଳ ସହ ଖେଳିବେ। ଏମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଦୁଇ ଦଳ ଭାରତରେ ହେବାକୁ ଥିବା ୧୦ ଦଳୀୟ ବିଶ୍ବକପ୍‌କୁ ଯୋଗ୍ୟତା ଅର୍ଜନ କରିବେ।

ପଏଣ୍ଟ୍‌ ବ୍ୟବସ୍ଥା
ବିଜୟ ପାଇଁ ୧୦ ଏବଂ ଟାଇ, ଫଳଶୂନ୍ୟ, ବାତିଲ ପାଇଁ ୫ ପଏଣ୍ଟ୍‌ ଲେଖାଏଁ ମିଳିବ। ୮ ଶୃଙ୍ଖଳା ପରେ ଦଳଗୁଡ଼ିକର ପଏଣ୍ଟ୍‌ ଅନୁଯାୟୀ ମାନ୍ୟତା ଦିଆଯିବ। ଦୁଇଟି କିମ୍ବା ତା’ଠୁ ଅଧିକ ଦଳର ସମାନ ପଏଣ୍ଟ୍‌ ରହେ ତେବେ ସେମାନଙ୍କୁ ଅଲଗା କରିବାକୁ ମାନଦଣ୍ଡ ରହିଛି। କୌଣସି ନକ୍‌ ଆଉଟ୍‌ ମ୍ୟାଚ୍‌ ‌ହେବନି। ଲିଗ୍‌ ପଏଣ୍ଟ୍‌ ତାଲିକା ଅନୁସାରେ ବିଶ୍ବକପ୍‌ ଯୋଗ୍ୟତା ଅର୍ଜନ ମିଳିବ।

ଦୁବାଇ: କରୋନା ମହାମାରୀ ସଙ୍କଟ ପାଇଁ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ସ୍ଥଗିତ ହୋଇଛି। ଅନ୍ତର୍ଜାତୀୟ ଯାତ୍ରା ଉପରେ ଅଙ୍କୁଶ ଏବଂ ସଂକ୍ରମଣ ଭୟ ପାଇଁ ବହୁ ଦ୍ବିପାକ୍ଷିକ ଟେଷ୍ଟ୍ ଶୃଙ୍ଖଳା ମଧ୍ୟ ନିର୍ଦ୍ଧାରିତ ସମୟରେ ଆୟୋଜିତ ହୋଇ ପାରିନି। ସେଥିପାଇଁ ଆସନ୍ତାବର୍ଷ ଜୁନ୍ ମାସରେ ଆୟୋଜିତ ହେବାକୁ ଥିବା ‘ଆଇସିସି ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍‌ ଫାଇନାଲ୍’ ସ୍ଥଗିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଆଇସିସି ମହାପ୍ରବନ୍ଧକ (କ୍ରିକେଟ୍ ପରିଚାଳନା) ଜେଫ୍ ଆଲାରଡାଇସ୍ ମଧ୍ୟ ଏହାକୁ ସ୍ବୀକାର କରିଛନ୍ତି। କରୋନା ମହାମାରୀ ପ୍ରକୋପ ପାଇଁ ବାଂଲାଦେଶ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ଇଂଲଣ୍ଡ ସୂଚୀ ମୁତାବକ ଟେଷ୍ଟ୍ ମ୍ୟାଚ୍ ଖେଳି ପାରି ନାହାନ୍ତି। ୨୦୨୧ ଜୁନ୍ ମାସରେ ଯଦି ଏହି ପ୍ରତିଯୋଗିତାର ଫାଇନାଲ୍ ଖେଳା ଯାଇ ନପାରେ ତେବେ ସେହିବର୍ଷ ଏହାକୁ ଖେଳିବା ମଧ୍ୟ ସମ୍ଭବ ହେବନି। କାରଣ ୨୦୨୦ ଟ୍ବେଣ୍ଟି-୨୦ ବିଶ୍ବକପ୍ ୨୦୨୧ ଅକ୍ଟୋବର ନଭେମ୍ବରକୁ ଘୁଞ୍ଚିଛି।

ସେହିଭଳି ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍ ୨୦୨୨କୁ ଯାଇଛି। ପ୍ରକାଶଯୋଗ୍ୟ ଯେ ପ୍ରଥମଥର ପାଇଁ ଆୟୋଜିତ ହେଉଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍‌ ପଏଣ୍ଟ୍‌ ତାଲିକାରେ ସଂପ୍ରତି ଭାରତ (୩୬୦) ପ୍ରଥମ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ (୨୯୬), ଇଂଲଣ୍ଡ (୧୮୬), ନ୍ୟୁଜିଲାଣ୍ଡ (୧୮୦), ପାକିସ୍ତାନ (୧୪୦), ଶ୍ରୀଲଙ୍କା (୮୦), ୱେଷ୍ଟଇଣ୍ଡିଜ୍ (୪୦) ଓ ଦକ୍ଷିଣ ଆଫ୍ରିକା (୨୪) ପରବର୍ତ୍ତୀ ସାତଟି ସ୍ଥାନରେ ରହିଛନ୍ତି। ବାଂଲାଦେଶ ଖାତା ଖୋଲି ପାରି ନାହିଁ। ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍ ଅନ୍ତର୍ଗତ ୨୦୧୯ରୁ ୨୦୨୧ର ଦୁଇ ବର୍ଷୀୟା କାର୍ଯ୍ୟକାଳ ଭିତରେ ଦଳଗୁଡ଼ିକ ୬ଟି ଲେଖାଏଁ ଶୃଙ୍ଖଳା ଖେଳିବେ। ଏହା ପରେ ପଏଣ୍ଟ୍‌ ତାଲିକାର ଶୀର୍ଷ ଦୁଇ ସ୍ଥାନରେ ଥିବା ଦଳକୁ ନେଇ ଫାଇନାଲ୍ ଐତିହାସିକ ଲର୍ଡସ ପଡ଼ିଆରେ ଆୟୋଜିତ ହେବ।

ନୋ’-ବଲ୍ ଡାକିବେ ତୃତୀୟ ଅମ୍ପାୟାର୍
ଇଂଲଣ୍ଡ ଓ ଆୟର୍ଲାଣ୍ଡ ଦିନିକିଆ ଶୃଙ୍ଖଳାରୁ ସୁପର ଲିଗ୍‌ ଆରମ୍ଭ ହେଉଛି। ଏହି ଶୃଙ୍ଖଳାରେ ଫ୍ରଣ୍ଟ-ଫୁଟ୍ ନୋ’ ବଲ୍ ଡାକିବା ଦାୟିତ୍ବ ତୃତୀୟ ଅମ୍ପାୟାରଙ୍କୁ ମିଳିବ। ପୂର୍ବରୁ ଆଇସିସି ଏହାକୁ ଭାରତ-ୱେଷ୍ଟ୍‌ଇଣ୍ଡିଜ୍‌ ମଧ୍ୟରେ ଗତ ଡିସେମ୍ବରରେ ଖେଳାଯାଇଥିବା ଦିନିକିଆ ଶୃଙ୍ଖଳାରେ ପରୀକ୍ଷା କରି ସାରିଛି। ଏଠାରେ ସଫଳତା ମିଳିଥିବାରୁ ଆଇସିସି ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଆୟୋଜିତ ମହିଳା ଟି-୨୦ ବିଶ୍ବକପ୍‌ରେ ଏହାକୁ କାର୍ଯ୍ୟକାରୀ କରିଥିଲା।

ଆଇସିସି ବିଶ୍ବକପ୍‌ ୨୦୨୩ ଲାଗି ଏହି ଲିଗ୍‌ ଦିନିକିଆ କ୍ରିକେଟ୍‌ରେ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ପ୍ରତିଯୋଗିତାମୂଳକ ଭାବନା ଆଣିବ। କୋଭିଡ-୧୯ ଲାଗି ଏପର୍ଯ୍ୟନ୍ତ କ୍ରିକେଟ୍‌ର ବଡ଼ କ୍ଷତି ଘଟିଛି। ୨୦୨୩ ବିଶ୍ବକପ୍‌ ଅଧିକ ଦିନ ଥିବାରୁ ଦଳଗୁଡ଼ିକ ‌ପଡ଼ିଆରେ ନିଜର ପରାକ୍ରମ ଦେଇ ଯୋଗ୍ୟତା ଅର୍ଜନର ସୁଯୋଗ ପାଇବା ଲାଗି ଆମେ ଏହି ଯୋଜନା କରିଛୁ। ଏହି ଆହ୍ବାନଭରା ସମୟରେ ମୋର ବିଶ୍ବାସ ଅନ୍ତର୍ଜାତୀୟ କ୍ରିକେଟ୍‌ ଭଲ ଭାବେ ଫେରିବ ବୋଲି ଆଇସିସି ଜିଏମ୍ (ପରିଚାଳନା) ଜେଫ୍ ଆଲାରଡାଇସ୍‌ କହିଛନ୍ତି।

ସମ୍ବନ୍ଧିତ ଖବର