ହରାରେ: ‌ଦୁଇ ଥରର ବିଜେତା ୱେଷ୍ଟଇଣ୍ଡିଜ୍‌ ସୋମବାର ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟର ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ନେଦରଲାଣ୍ଡ୍ସଠୁ ସୁପର ଓଭରରେ ହାରିଯାଇଛି। ନିକୋଲାସ ପୂରନ (୧୦୪*, ୬୫ ବଲ୍‌, ୯ ଚୌକା, ୬ ଛକା)ଙ୍କ ବିସ୍ଫୋରକ ଶତକ ବଳରେ ୱେଷ୍ଟଇଣ୍ଡିଜ୍‌ ୬ ୱିକେଟ୍‌ ହରାଇ ୩୭୪ ରନ୍‌ କରିଥିଲା। ଜବାବରେ ନେଦରଲାଣ୍ଡ୍ସ ତେଜା ନିଦାମାନୁରୁଙ୍କ ୧୧୧ ରନ୍‌ ବଳରେ ୩୭୪/୯ରେ ଅଟକିଥିଲା। ଶେ‌ଷ ୨ ଓଭରରେ ନେଦରଲାଣ୍ଡ୍ସକୁ ୩୦ ରନ୍‌ ଆବଶ୍ୟକ ଥିଲା। ୪୮ତମ ଓଭ‌ରରେ ୨୧ ରନ୍‌ ସଂଗ୍ରହ ହେବାରୁ ଶେଷ ଓଭରରେ ବିଜୟ ଲାଗି ୯ ରନ୍‌ ରହିଥିଲା। ହେଲେ ଶେଷ ଓଭରରେ ୫ ବଲ୍‌ରେ ନେଦରଲାଣ୍ଡ୍ସ ୮ ରନ୍‌ କରି ବିଜୟର ନିକଟତର ହୋଇଥିଲା। କିନ୍ତୁ ଶେଷ ବଲ୍‌ରେ ଲଗନ ଭାନ୍‌ ବିକ୍‌ଙ୍କୁ ଜାସନ ହୋଲ୍‌ଡରଙ୍କ ହାତରେ କ୍ୟାଚ୍‌ କରାଇ ଅଲ୍‌ଜାରି ଯୋଶେଫ ମ୍ୟାଚ୍‌କୁ ଟାଇ କରିଥିଲେ। ତେଣୁ ଫଳାଫଳ ଲାଗି ସୁପର ଓଭରର ସହାୟତା ନିଆଯାଇଥିଲା। ଏଥିରେ ନେଦରଲାଣ୍ଡ୍ସର ଭାନ୍‌ ବିକ୍‌ ୬ଟି ଯାକ ବଲ୍‌ରୁ ବାଉଣ୍ଡରୀ (୪, ୬, ୪, ୬, ୬, ୪) ସହ ୩୦ ରନ୍‌ କରିଥିଲେ। ଜବାବରେ ‌ୱେଷ୍ଟଇଣ୍ଡିଜ୍‌ ୨ ୱିକେଟ୍‌ ହରାଇ ୮ ରନ୍‌ କରିପାରିଥିଲା।