କ୍ୱାର୍ଟରରେ ବ୍ରାଜିଲ

ସାମରା: ପାଞ୍ଚଥର ବିଜେତା ବ୍ରାଜିଲ ମସ୍କୋ ଫୁଟବଲ୍‌ ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ସୋମବାର ରାତିରେ ଖେଳା ଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲ୍‌ ବା ନକଆଉଟ୍‌ ମୁକାବିଲାରେ ବ୍ରାଜିଲ ୨-୦ ଗୋଲ୍‌ରେ ମେକ୍ସିକୋକୁ ହରାଇ ଲଗାତାର ସପ୍ତମ ଥର ପାଇଁ କ୍ୱାର୍ଟର ଫାଇନାଲ୍‌ ଟିକେଟ ହାସଲ କରିଥିଲା। ଅନ୍ୟ ପକ୍ଷରେ ମେକ୍ସିକୋ ଲଗାତାର ସପ୍ତମ ଥର ପାଇଁ ବିଶ୍ୱକପର ପ୍ରି-କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଥିଲା। ପ୍ରଥମାର୍ଧ ଗୋଲ୍‌ ଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଧର ଦୁଇଟି ଗୋଲ୍‌ ବଳରେ ବ୍ରାଜିଲ ବିଜୟୀ ହୋଇଥିଲା। ୫୦ ମିନିଟ୍‌ରେ ନେମାର ପ୍ରଥମ ଗୋଲ୍‌ ଦେବା ପରେ ୮୮ ମିନିଟ୍‌ରେ ରୋବେର୍ଟୋ ଫିରମିନୋ ଦ୍ୱିତୀୟ ଗୋଲ୍‌ ଦେଇ ବିଶ୍ୱକପ୍‌ର ସଫଳତମ ଦଳ ବ୍ରାଜିଲ ବିଜୟକୁ ସୁନିଶ୍ଚିତ କରି ନେଇଥିଲେ।
ପ୍ରଥମାର୍ଧରେ ଉଭୟ ଦଳର ଗୋଲ୍‌ ରକ୍ଷକଙ୍କ ଚମତ୍କାର ପ୍ରଦର୍ଶନ ପାଇଁ କେହି କାହାରିକୁ ଗୋଲ୍‌ ଦେଇ ପାରି ନଥିଲେ। ମେକ୍ସିକୋ ଗୋଲରକ୍ଷକ ଗୁଲେର୍ମୋ ଓକହାଓ ବ୍ରାଜିଲ ଅଗ୍ରଭାଗର ଦୁଇଟି ଭଲ ପ୍ର୍ରୟାସକୁ ବିଫଳ କରି ଦେଇଥିଲେ। ସେହିଭଳି ମେକ୍ସିକୋର ଏକ ଫ୍ରିକିକ୍‌କୁ ବ୍ରାଜିଲ ଗୋଲ୍‌ ରକ୍ଷକ ଆଲିସନ ସଫଳତାର ସହ ବାହାରକୁ ଠେଲି ଦେଇଥିଲେ। ସେପଟେ ଉଭୟ ଦଳରୁ ଜଣେ ଲେଖାଏଁ ଖେଳାଳି ବିପଜ୍ଜନକ ଖେଳ ପାଇଁ ହଳଦିଆ କାର୍ଡ ପାଇଥିଲେ। ୩୮ ମିନିଟ୍‌ରେ ନେମାରଙ୍କୁ ଫାଉଲ ମାରି ମେକ୍ସିକୋର ଏଡସନ୍‌ ଆଲଭାରେଜ୍‌ ମ୍ୟାଚ୍‌ର ପ୍ରଥମ ହଳଦିଆ କାର୍ଡ ପାଇଥିଲେ। ଏହାର ୫ ମିନିଟ୍‌ ପରେ କାର୍ଲୋସ୍‌ ଭେଲାଙ୍କୁ ଫାଉଲ୍‌ କରି ଆହତ ମାର୍ସିଲୋଙ୍କ ସ୍ଥାନ ନେଇଥିବା ବ୍ରାଜିଲୀୟ ଖେଳାଳି ଫିଲିପ ଲୁଇସ୍‌ ହଳଦିଆ କାର୍ଡ ପାଇଥିଲେ। ବ୍ରାଜିଲ ଅପେକ୍ଷାକୃତ ଆକ୍ରମଣାତ୍ମକ ଫୁଟବଲ୍‌ ଖେଳିଥିଲେ ମଧ୍ୟ ପ୍ରଥମାର୍ଧ ଗୋଲ୍‌ ଶୂନ୍ୟ ରହିଥିଲା। ଦ୍ୱିତୀୟାର୍ଧର ପଞ୍ଚମ ମିନିଟ୍‌ରେ କିନ୍ତୁ ନେମାର ଏବଂ ଓ୍ଵିଲିଆନଙ୍କ ଯୁଗଳବନ୍ଦୀ ଏହି ଗତିରୋଧ ଦୂର କରି ଦେଇଥିଲେ। ଓ୍ଵିଲିଆନ୍‌ ବାମପଟୁ ଦେଇଥିବା ପାସ୍‌କୁ ନେମାର ମାତ୍ର ୩ ଗଜ ଦୂରରୁ ଗୋଲ୍‌ ପୋଷ୍ଟ୍‌ ଭିତରକୁ ପଠାଇ ବ୍ରାଜିଲକୁ ଆଗୁଆ କରି ଦେଇଥିଲେ। ବିଶ୍ୱକପରେ ନେମାରଙ୍କର ଏହା ଷଷ୍ଠ ଗୋଲ୍‌ ଥିଲା। ସେହିଭଳି ବ୍ରାଜିଲ ପକ୍ଷରୁ ୮୯ ମ୍ୟାଚ୍‌ରୁ ଏହା ତାଙ୍କର ୫୭ ଗୋଲ୍‌ ଥିଲା। ୮୮ ମିନିଟ୍‌ରେ ବ୍ରାଜିଲ ଦେଇଥିବା ଦ୍ୱିତୀୟ ଗୋଲ୍‌ରେ ମଧ୍ୟ ନେମାରଙ୍କ ପ୍ରଚ୍ଛନ୍ନ ହାତ ଥିଲା। ନେମାର ବାମ ପଟୁ ଜୋରଦାର ଆକ୍ରମଣ କରିବା ପରେ ଭୟଭିତ ମେକ୍ସିକୋ ରକ୍ଷଣଭାଗ ତାଙ୍କୁ ଚାରିଆଡ଼ୁ ଜଗିଥିଲା। ଗୋଲ୍‌ ରକ୍ଷକ ଓକହାଓ ମଧ୍ୟ ନେମାରଙ୍କୁ ଅଟକାଇବା ଲାଗି ତାଙ୍କ ଆଗରେ ଡାଇଭ୍‌ ମାରି ପଡ଼ି ଯାଇଥିଲେ। ହେଲେ ଚତୁର ନେମାର ଡାହାଣ ପଟେ ଥିବା ବଦଳ ଖେଳାଳି ରୋବେର୍ଟୋ ଫିରମିନୋଙ୍କ ପାଖକୁ ବଲ୍‌ ପଠାଇ ଦେଇଥିଲେ। ସଜାଗ ଫିରମାନୋ ମୁକୁଳା ପଡ଼ିଥିବା ଗୋଲ୍‌ ପୋଷ୍ଟ ଭିତରକୁ ତୁରନ୍ତ ବଲ୍‌ ପଠାଇ ବ୍ରାଜିଲ ବିଜୟକୁ ପକ୍କା କରି ନେଇଥିଲେ। ବଳକା ୨ ମିନିଟ୍‌ ଭିତରେ ମେକ୍ସିକୋ ସେଥିରୁ ଗୋଟିଏ ହେଲେ ବି ଗୋଲ୍‌ ଶୁଝି ପାରି ନଥିଲା। ଫଳରେ ବ୍ରାଜିଲ ୨-୦ର ଆତ୍ମବିଶ୍ୱାସ ଭରା ବିଜୟ ସହ କ୍ୱାର୍ଟର ଫାଇନାଲକୁ ଯାଇଥିଲା। ମେକ୍ସିକୋ ବିପକ୍ଷରେ ବ୍ରାଜିଲର ଏହା ୨୪ତମ ବିଜୟ ଥିଲା।

ସମ୍ବନ୍ଧିତ ଖବର