ହାଇଦ୍ରାବାଦ: ଭାରତୀୟ କ୍ରୀଡ଼ାର ଅନ୍ୟତମ ମହାନ ମହିଳା କ୍ରୀଡ଼ାବିତ୍ ତଥା ଟେନିସ୍ କିଂବଦନ୍ତି ସାନିଆ ମିର୍ଜାଙ୍କ ଖେଳ ଜୀବନ ଶେଷ କିଛି ସପ୍ତାହରେ ପହଞ୍ଚିଛି। ଚଳିତ ମାସର ଅଷ୍ଟ୍ରେଲିଆନ୍ ଓପନ୍‌ ଏବଂ ଆସନ୍ତା ମାସର ଦୁବାଇ ଓପନ୍‌ ଖେଳିବା ପରେ ସେ ଅବସର ନେଇଯ‌ିବେ ବୋଲି ସୂଚନା ଦେଇଥିବାରୁ ଏବେ ତାଙ୍କ ନିକଟକୁ ଅବସର ଜୀବନ ଲାଗି ଶୁଭେଚ୍ଛାର ସୁଅ ଛୁଟିଛି। ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଅଷ୍ଟ୍ରେଲିଆନ୍‌ ଓପନ୍‌ ସାନିଆ ମିର୍ଜାଙ୍କ ପାଇଁ ହେବ ଅନ୍ତିମ ଗ୍ରାଣ୍ଡ୍‌ସ୍ଲାମ୍‌। ୨୦୨୨ ଋତୁ ଶେଷରେ ସେ ଅବସର ନେଇଯିବେ ବୋଲି ସାନିଆ ଯୋଜନା କରିଥିଲେ। ଗତବର୍ଷ ଅଗଷ୍ଟରେ କହୁଣୀଜନିତ ଆଘାତ ଯୋଗୁଁ ସେ ୟୁଏସ୍‌ ଓପନ୍‌ରୁ ଓହରିଥିଲେ। ତେଣୁ ଅବସର ଯୋଜନାକୁ ବିଳମ୍ବିତ କରିଥିଲେ। ଶେଷରେ ଅବସର ନେଇ ସ୍ପଷ୍ଟ କରିଛନ୍ତି। ୩୬ ବର୍ଷୀୟା ସାନିଆ ଶୁକ୍ରବାର ରାତିରେ କିନ୍ତୁ ଏକ ହୃଦୟସ୍ପର୍ଶୀ ବିଦାୟୀ ପତ୍ର ଲେଖି ଟେନିସ୍ ପ୍ରେମୀଙ୍କ ମନ ଜିଣିଛନ୍ତି।

Advertisment

ଭାବପୂର୍ଣ୍ଣ ବିଦାୟୀ ପତ୍ର ‘‘ଦେଶ ପାଇଁ ପଦକ ଜିତିବା ସବୁଠୁ ବଡ଼ ସମ୍ମାନ’’
ତିରିଶ ବର୍ଷ ତଳେ ହାଇଦ୍ରାବାଦ ନାସେର ସ୍କୁଲ୍‌ର ୬ ବର୍ଷୀୟ ଝିଅଟି ନିଜାମ କ୍ଲବ୍‌ର ଟେନିସ୍ ‌କୋର୍ଟକୁ ଯୁବା ମା’ ସହ ଯାଇ ଖେଳ ଶିଖିବାକୁ ପ୍ରଶିକ୍ଷକଙ୍କ ସହ ଲଢ଼ିଥିଲା। ଏତେ ଛୋଟ ପିଲା ‌ଟେନିସ୍ ଶିଖିପାରିବେନି ବୋଲି ପ୍ରଶିକ୍ଷକ ସମ୍ଭବତଃ ଭାବୁଥିଲେ। ମାତ୍ର ୬ ବର୍ଷରୁ ଆମ ସ୍ବପ୍ନର ଲଢ଼େଇ ଆରମ୍ଭ ‌ହୋଇଥିଲା।
ଅନେକ ପ୍ରତିବନ୍ଧକକୁ ପ୍ରତିହତ କରି ମନରେ ଅନେକ ଆଶା ନେଇ ଆଗକୁ ବଢ଼ିଥିଲି। ଦିନେ ନା ଦିନେ ଗ୍ରାଣ୍ଡ୍‌ସ୍ଲାମ୍‌ ଖେଳିବି ବୋଲି ସ୍ବପ୍ନ ଦେଖିବା ଆରମ୍ଭ କରିଥିଲି। ଏପରିକି ଟେନିସ୍‌ର ସର୍ବୋଚ୍ଚ ସ୍ତରରେ ଦେଶ ପାଇଁ ପ୍ରତିନିଧିତ୍ବ କରିବାର ସମ୍ମାନ ହାତେଇବାକୁ ଅଭିଳାଷ ରଖିଥିଲି। ଏବେ କ୍ୟାରିୟରରେ ସବୁକିଛି ପାଇଯାଇଛି। କେବଳ ଦେଶ ପାଇଁ ଉଚ୍ଚ ସ୍ତରରେ ଖେଳିବାର ଆଶା ପୂରଣ ହୋଇଛି ନୁହେଁ, ବରଂ ସଂଖ୍ୟାଧିକ ପଦକ ଜିତିବାର ଗୌରବ ମଧ୍ୟ ବହନ କରିଛି। ଏହା ସବୁକିଛି ଭଗବାନଙ୍କ ଆଶୀର୍ବାଦରୁ ମିଳିଛି। ମୋ ଦେଶ ପାଇଁ ପଦକ ଜିତିବା ସବୁଠୁ ବଡ଼ ସମ୍ମାନ ହୋଇଛି ଏବଂ ନମ୍ରତାର ସହ କହିବାକୁ ଗଲେ ଅନ୍ତିମ ଗ୍ରାଣ୍ଡ୍‌ସ୍ଲାମ୍‌ରେ ପୋଡିୟମ୍‌ ଉପରେ ଛିଡ଼ା ହେବାରେ ସମର୍ଥ ହେବି ବୋଲି ଆଶା ବାନ୍ଧିଛି। ଆନ୍ତର୍ଜାତିକ ସ୍ତରରେ ଜାତୀୟ ପତାକା ତ୍ରିରଙ୍ଗା ଉଡ଼ାଇ ସାରା ବିଶ୍ବରେ ଦେଶର ସମ୍ମାନ ବଢ଼ାଇବାରେ ଯେଉଁ ଆନନ୍ଦ ଥାଏ ତାହା ଅନ୍ୟ ସବୁକିଛିକୁ ପଛରେ ପକାଇ ଦେଇଥାଏ। ମୁଁ ଦେଶ ପକ୍ଷରୁ ପ୍ରତିନିଧିତ୍ବ କରି ଅନେକ ସଫଳତା ସାଉଁଟିଛି। ହେଲେ ଏବେ ଅବସର ଯୋଜନା ସଂପର୍କରେ ଘୋଷଣା କରିବା ପରେ ଆଖି ଲୋତକରେ ଭରିଯାଉଛି।

ଟେନିସ୍‌ରେ ଯାହା କିଛି ସଫଳତା ସାଉଁଟିଛି ତାହା ମୋ ପିତାମାତା ଓ ଭଉଣୀର ସମର୍ଥନ ବିନା ସମ୍ଭବ ହୋଇନଥା’ନ୍ତା। ମୋ ପରିବାର, ପ୍ରଶିକ୍ଷକ, ଫିଜିଓ, ଟ୍ରେନର, ପ୍ରଶଂସକ, ସମର୍ଥକ, ପାର୍ଟନରମାନେ ଏବଂ ମୋର ପୂରା ଦଳ କ୍ୟାରିୟର ସାରା ମୋତେ ଯେଉଁ ସମର୍ଥନ ପାଇଛି ସେଥିପାଇଁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଏମାନଙ୍କ ଅବଦାନ ବିନା ମୁଁ ଏତେବାଟ ଆସିପାରିବା ସମ୍ଭବ ହୋଇନଥା’ନ୍ତା। ସମସ୍ତଙ୍କ ସହ କ୍ୟାରିୟର ମଧ୍ୟରେ ହସ, ଲୁହ, କଷ୍ଟ ଏବଂ ଆନନ୍ଦର ଯେଉସବୁ ମୁହୂର୍ତ୍ତ ବିତାଇଛି ତାହା ସବୁଦିନେ ମନେ ରହିବ। ମୋର ଜୀବନର ସବୁଠୁ କଷ୍ଟକର ପର୍ଯ୍ୟାୟରେ ଯେଉଁମାନେ ସହାୟତା ଯୋଗାଇ ଆସିଛନ୍ତି ଏବଂ ସ୍ବପ୍ନ ଦେଖିବା ପାଇଁ ହାଇଦ୍ରାବାଦର ଏହି କୁନି ଝିଅକୁ ଯେଉଁମାନେ ପ୍ରବର୍ତ୍ତାଇ ଆସିଛନ୍ତି ସେ ସମସ୍ତଙ୍କୁ ହୃଦୟର ଅନ୍ତଃ କୋଣରୁ ଅଶେଷ ଧନ୍ୟବାଦ।

ପେସାଦାର କ୍ରୀଡ଼ାବିତ୍ ଭାବେ ୨୦ ବର୍ଷ ବିତାଇଛି। ଟେନିସ୍ ସହ ୩୦ ବର୍ଷ କଟିଛି। ମୋ ଗ୍ରାଣ୍ଡ୍‌ ସ୍ଲାମ ଯାତ୍ରା ୨୦୦୫ ଅଷ୍ଟ୍ରେଲିଆନ୍‌ ଓପନରୁ ଆରମ୍ଭ ହୋଇଥିଲା। ୧୮ ବର୍ଷ ତଳେ ଯେଉଁଠାରୁ ଅଭିଯାନ ଆରମ୍ଭ କରିଥିଲି ସେହିଠାରେ କ୍ୟାରିୟର୍‌ ଶେଷ କରିବା ନିଶ୍ଚିତ ଏକ ବଡ଼‌ ଗୌରବ। ଜୀବନ ନିଶ୍ଚିତ ଆଗକୁ ବଢ଼ିଯିବ, କିନ୍ତୁ ନୂଆ କିଛି ସ୍ମୃତି ଉନ୍ମେଷ ହେବ। ନୂଆ ସ୍ବପ୍ନ ଓ ନୂଆ ଲକ୍ଷ୍ୟ ଧାର୍ଯ୍ୟ ହେବ।‌ ମୋ ପୁଅ ‌ଏବେ ମୋତେ ଅଧିକ ଆବଶ୍ୟକ କରୁଛି। ମୁଁ ଆଉ ତାକୁ ନିରୋଳା ନ ଛାଡ଼ି, ଅଧିକ ସମୟ ଦେବି।
ଏବେ ନୂଆ ଆରମ୍ଭର ସମୟ
(ସାନିଆ ମିର୍ଜା)

୬ ଗ୍ରାଣ୍ଡସ୍ଲାମ୍ ଟ୍ରଫି ବିଜୟିନୀ

୨୦୧୩ ମସିହାରେ ଏକକ ବର୍ଗରୁ ଅବସର ଘୋଷଣା କରିବା ବେଳକୁ ସାନିଆ ଭାରତର ଏକନମ୍ବର ମହିଳା ଟେନିସ୍ ତାରକା ଥିଲେ। ଶ୍ବେତଲାନା କୁଜେଁତ୍ସୋଭା, ଭିରା ଜନରେଭା, ମାରିଆନ୍ ବାର୍ତୋଲିଙ୍କ ଭଳି ଖେଳାଳିଙ୍କୁ ହରାଇବାର ଅନନ୍ୟ ସଫଳତା ଲାଭ କରିଥିବା ସାନିଆ ନିଜ ଆକର୍ଷଣୀୟ ଚେହେରା ସହ ଶକ୍ତିଶାଳୀ ବେସ୍‌ଲାଇନ୍ ଏବଂ ଗ୍ରାଉଣ୍ଡ୍‌ ଷ୍ଟ୍ରୋକ୍ ପାଇଁ କେବଳ ଭାରତ ନୁହେଁ, ବିଶ୍ବର ଅନ୍ୟତମ ସର୍ବାଧିକ ଅର୍ଥ ରୋଜଗାରକାରୀ ଖେଳାଳିଙ୍କ ମଧ୍ୟରେ ନିଜକୁ ସାମିଲ କରିପାରିଥିଲେ। ‘ଏସ୍ ଏଗେନଷ୍ଟ ଅଡ୍ସ’ ନାମରେ ତାଙ୍କ ଆତ୍ମଜୀବନୀ ପ୍ରକାଶ ପାଇବା ସହ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ ମଲ୍ଲିକଙ୍କୁ ବିବାହ କରି ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲେ ସେ। ଡବ୍ଲ୍ୟୁଟିଏ ଏକକ ଟ୍ରଫି ଜିତିବାରେ ଦ୍ବିତୀୟ ଭାରତୀୟ, ଶ୍ରେଷ୍ଠ ୧୦୦ ମହିଳା ଟେନିସ୍ ମାନ୍ୟତାରେ ପ୍ରବେଶ କରିବାରେ ପ୍ରଥମ ଭାରତୀୟ ଏବଂ ଓପନ୍‌ ଏରା ଆରମ୍ଭ ହେବା ପରଠାରୁ ତୃତୀୟ ଭାରତୀୟ ମହିଳା ଭାବେ କୌଣସି ଗ୍ରାଣ୍ଡସ୍ଲାମ୍ ଟ୍ରଫି ଖେଳି ମ୍ୟାଚ୍ ଜିତିବାର ଗୌରବ ଅର୍ଜନ କରିଥିଲେ ସେ। ନିଜ ଖେଳ ଜୀବନରେ ତାଙ୍କ ଏକକ ଜୟ-ପରାଜୟ ପରିସଂଖ୍ୟାନ ହେଉଛି ୨୭୧-୧୬୧। ଏକକ ବର୍ଗରେ ତାଙ୍କ ସର୍ବୋଚ୍ଚ ମାନ୍ୟତା ଥିଲା ୨୭। ଯାହାକୁ ସେ ୨୦୦୭ ମସିହା ଅଗଷ୍ଟ ମାସରେ ହାସଲ କରିଥିଲେ। ଯୁଗଳ ବର୍ଗରେ ତାଙ୍କ ଜୟ-ପରାଜୟ ପରିସଂଖ୍ୟାନ ହେଉଛି ୫୩୧-୨୪୨। ଏକକ ବର୍ଗରେ ତାଙ୍କ ସଫଳତା ୬୨.୭ ପ୍ରତିଶତ ଥିଲା ବେଳେ ଯୁଗଳରେ ତାଙ୍କ ସଫଳତା ଥିଲା ୬୮.୭ ପ୍ରତିଶତ। ଏକାଧିକ ଅଲିମ୍ପିକ୍ସରେ ସାନିଆ ଭାରତର ପ୍ରତିନିଧିତ୍ବ କରିଥିଲା ବେଳେ ଅଷ୍ଟ୍ରେଲିଆନ୍, ୱିମ୍ବଲଡନ୍ ଓ ୟୁଏସ୍ ଓପନ୍ ମହିଳା ଯୁଗଳ ଟ୍ରଫି ସହ ଅଷ୍ଟ୍ରେଲିଆନ୍, ଫ୍ରେଞ୍ଚ୍ ଏବଂ ୟୁଏସ୍ ଓପନ୍‌ରେ ମିଶ୍ରିତ ଯୁଗଳ ଟ୍ରଫି ଜିତିଛନ୍ତି।

publive-image

ଭାରତୀୟ ମହିଳା ଟେନିସ୍‌ର ସଫଳ ନାୟିକା ସାନିଆ ମିର୍ଜାଙ୍କ ଅବସର ସହ ଏକ ସୁନେଲି ଯୁଗର ଅବସାନ ଘଟିବାକୁ ଯାଉଛି। ପେସାଦାର ଟେନିସ୍‌ରେ ସେ ଛାଡ଼ି ଯାଇଥିବା ଛାପର ସମକକ୍ଷ ହେବା ନିଶ୍ଚିତ ଭାବେ ଅନ୍ୟ କାହା ପାଇଁ ଅତ୍ୟନ୍ତ କଷ୍ଟକର ହେବ। ପାଖାପାଖି ଦୁଇ ଦଶନ୍ଧି ଧରି ଭାରତୀୟ ଟେନିସ୍‌ର ଚେହେରା ପାଲଟିଥିବା ସାନିଆ ୧୯୮୬ ମସିହା ନଭେମ୍ବର ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ। ୬ ବର୍ଷରୁ ଟେନିସ୍ ଖେଳିବା ଆରମ୍ଭ କରି ୨୦୦୩ ମସିହାରେ ପେସାଦାର ଟେନିସ୍ ଖେଳିବା ଆରମ୍ଭ କରିଥିଲେ। ଖେଳ ଜୀବନ ଭିତରେ ସେ ୬ଟି ଗ୍ରାଣ୍ଡ ସ୍ଲାମ୍ (ତିନିଟି ମହିଳା ଯୁଗଳ ଏବଂ ତିନିଟି ମିଶ୍ରିତ ଯୁଗଳ) ଟ୍ରଫି ଜିତିବାକୁ ସକ୍ଷମ ହୋଇଥିଲେ। ସେଥିପାଇଁ ନିଃସନ୍ଦେହରେ ସେ ଥିଲେ ଭାରତର ସର୍ବଶ୍ରେଷ୍ଠ ମହିଳା ଟେନିସ୍ ତାରକା।

ଖେଳରତ୍ନ
ଟେନିସ୍ କୋର୍ଟରେ ସଫଳତା ହାସଲ କରିଥିବା‌ ସାନିଆ ବହୁ ପୁରସ୍କାର ମଧ୍ୟ ଜିତିଛନ୍ତି। ୨୦୦୪ରେ ତାଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ମିଳିଥିଲା। ୨୦୦୫ରେ ଡଡବ୍ଲ୍ୟୁଟିଏ ତାଙ୍କୁ ଶ୍ରେଷ୍ଠ ନବାଗତ ଖେଳାଳି ଭାବେ ପୁରସ୍କୃତ କରିଥିଲା। ୨୦୦୬ରେ ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ପୁରସ୍କାର ‘ପଦ୍ମଶ୍ରୀ’ ପାଇବା ପରେ ୨୦୧୫ରେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଲାଭ କରିଥିଲେ। ୨୦୧୫ରେ ଭାରତର ଶ୍ରେଷ୍ଠ ୧୦୦ ପ୍ରେରଣାଦାୟୀ ମହିଳା ତାଲିକାରେ ସ୍ଥାନ ପାଇଥି‌‌ଲେ ସାନିଆ। ୨୦୧୬ରେ ତାଙ୍କୁ ପଦ୍ମ ଭୂଷଣ ପୁରସ୍କାର ମିଳିଥିଲା। ୨୦୧୬ ମସିହାରେ ଟାଇମ୍ସ ମାଗାଜିନ ପକ୍ଷରୁ ପ୍ରକାଶିତ ବିଶ୍ବର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ୨୦୧୩ରେ ମିଳିତ ଜାତିସଂଘର ସଦ୍‌ଭାବନା ଦୂତ ନିଯୁକ୍ତ ହୋଇଥିବା ସାନିଆ ମଧ୍ୟ ଟାଇମ୍ସ ମାଗାଜିନର ‘ଏସିଆର ୫୦ ହିରୋ’ ତାଲିକାରେ ସ୍ଥାନ ପାଇ ଭାରତବର୍ଷକୁ ଗୌରବାନ୍ବିତ କରିଥିଲେ। ନିଜ ଖେଳ ଜୀବନରେ ପାଖାପାଖି ୬୦ କୋଟି ଟଙ୍କାର ପୁରସ୍କାର ରାଶି ଜିତିଥିବା ସାନିଆ ବିଜ୍ଞାପନ ଜଗତରୁ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି। ହାଇଦ୍ରାବାଦରେ ତାଙ୍କର ଏକ ବିଶ୍ବସ୍ତରୀୟ ଟେନିସ୍ ଏକାଡେମି ଅଛି।

ଡବ୍ଲ୍ୟୁଟିଏ ସଫଳତା ଓ ଗ୍ରାଣ୍ଡସ୍ଲାମ୍ ବିଜୟ
୨୦୦୧ରୁ ୨୦୦୩ ମଧ୍ୟରେ ଆଇଟିଏଫ୍‌ ସର୍କିଟ୍‌ରେ ଅପାର ସଫଳତା ଲାଭ କରିଥିଲେ ସାନିଆ। ୨୦୦୪ରୁ ଡବ୍ଲ୍ୟୁଟିଏ ସର୍କିଟ୍‌ରେ ପାଦ ଥାପି ଆଗକୁ ବଢ଼ିଥିଲେ। ୨୦୦୬-୭ରେ ମହିଳା ଏକକ ମାନ୍ୟତାର ଶ୍ରେଷ୍ଠ ୩୦ ଭିତରେ ପ୍ରବେଶ କରିବା ପରେ ତାଙ୍କ ଖେଳ ଜୀବନ ନୂଆ ମୋଡ଼ ନେଇଥିଲା। ୨୦୦୮ ପରଠାରୁ ଯୁଗଳ ବର୍ଗରେ ସେ ମାର୍ଟିନା ହିଙ୍ଗିସଙ୍କୁ ସାଥୀ କରି ନୂଆ ଇତିହାସ ରଚିଥିଲେ। ୨୦୧୦ ମସିହା ଆରମ୍ଭ ହେବା ପରଠାରୁ ସାନିଆଙ୍କ ଏକକ କ୍ୟାରିୟର ତଳମୁହାଁ ହୋଇଥିଲା। ସେହିବର୍ଷ ମଧ୍ୟ ସେ ‌ପାକିସ୍ତାନୀ କ୍ରିକେଟର୍‌ ସୋଏବ ମଲ୍ଲିକଙ୍କୁ ବିବାହ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ଆହତ ହୋଇ ୨୦୧୩ ମସିହାରେ ଏକକ ବର୍ଗ ଛାଡ଼ି କେବଳ ଯୁଗଳ ବର୍ଗ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଥିଲେ ସେ। ୨୦୧୪ ଶେଷ ହେବା ପୂର୍ବରୁ ଯୁଗଳ ବର୍ଗର ଶ୍ରେଷ୍ଠ ୫ ଭିତରେ ପ୍ରବେଶ କରି ଭାରତୀୟ ଟେନିସ୍ ପାଇଁ ଗର୍ବ ଓ ଗୌରବ ଆଣିଥିଲେ। ୨୦୧୫ ଋତୁ ଆରମ୍ଭ ହେବା ବେଳକୁ ଯୁଗଳ ମାନ୍ୟତାର ଷଷ୍ଠ ସ୍ଥାନରେ ଥିଲେ ସାନିଆ। ଶେଷ ‌ହେଲା ବେଳକୁ କିନ୍ତୁ ଏକନମ୍ବର ସ୍ଥାନ ଅଧିକାର କରିନେଇଥିଲେ। ଏଭଳି କରିବାରେ ପ୍ରଥମ ଭାରତୀୟ ମହିଳା ହୋଇଥିଲେ ସେ। ୨୦୧୭-୧୮ ଋତୁ ରେ ମାର୍ଟିନା ହିଙ୍ଗିସ୍‌ଙ୍କଠାରୁ ଅଲଗା ହୋଇଥିଲେ ସାନିଆ। ସେହିଭଳି ଅକ୍ଟୋବରରେ ପୁଅ ଇଝାନ ମଲ୍ଲିକଙ୍କୁ ଜନ୍ମ ଦେଇଥିଲେ ସେ। ଏଥିପାଇଁ ଢେର ସମୟ ‌ଟେନିସ୍ କୋର୍ଟରୁ ଦୂରେଇ ରହିଥିଲେ।

କ୍ରୀଡ଼ା ସାମ୍ବାଦିକଙ୍କ ଝିଅ
ସାନିଆଙ୍କ ପିତା ଇମ୍ରାନ ମିର୍ଜା ଥିଲେ ଜଣେ କ୍ରୀଡ଼ା ସାମ୍ବାଦିକ। ସାନିଆଙ୍କ ଜନ୍ମ ପରେ ଇମ୍ରାନ ଏବଂ ତାଙ୍କ ପତ୍ନୀ ନସୀମା ମୁମ୍ବାଇ ଛାଡ଼ି ହାଇଦ୍ରାବାଦ ଚାଲିଯାଇଥିଲେ। ସାନିଆଙ୍କ ସାନ ଉଭଣୀ ଆନମ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅକୁ ବିବାହ କରିଛନ୍ତି। ଭାରତ ଓ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଗୁଲାମ ଅହମ୍ମଦ ଓ ଆସିଫ ଇକବାଲ ତାଙ୍କର ଦୂର ସଂପର୍କିୟ। ୬ ବର୍ଷ ବୟସରେ ଟେନିସ୍ ଖେଳିବା ଆରମ୍ଭ କରିଥିବା ସାନିଆଙ୍କୁ ପ୍ରଥମେ ପିତା ଇମ୍ରାନ ପ୍ରଶିକ୍ଷଣ ଦେଉଥିଲେ। ପରେ ରୋଜର ଆଣ୍ଡରସନ୍‌ଙ୍କଠାରୁ ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ ସେ। ହାଇଦ୍ରାବାଦର ନାସେର ବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିବା ସାନିଆ ସେଠାକାର ସେଣ୍ଟ ମେରି’ସ୍ କଲେଜରୁ ସ୍ନାତକ ଶିକ୍ଷା ଲାଭ କରିଥିଲେ। ପରେ ଚେନ୍ନାଇର ଏକ ଶିକ୍ଷାନୁଷ୍ଠାନ ତାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରି ପ୍ରଦାନ କରିଥିଲା। ଟେନିସ୍ ଛଡ଼ା ସାନିଆ ଭଲ କ୍ରିକେଟ୍ ଖେଳିବା ସହ ଜଣେ ଦକ୍ଷ ସନ୍ତରଣ ତାରକା ମଧ୍ୟ ଥିଲେ।

ବିବାଦୀୟ କ୍ରୀଡ଼ା ସୁନ୍ଦରୀ
ସାନିଆ ଟେନିସ୍ କୋର୍ଟରେ ଯେତିକି ସଫଳ ଥିଲେ ତା’ ବାହାରେ ସେତିକି ବିବାଦୀୟ ହୋଇଥିଲେ। ଆଜି ବି ବିବାଦ ତାଙ୍କ ପିଛା‌ ଛାଡ଼ୁନି। ପାକିସ୍ତାନୀ କ୍ରିକେଟର୍‌ ସୋଏବ ମଲ୍ଲିକଙ୍କୁ ବିବାହ କରି ଭାରତୀୟ ପ୍ରଶଂସକଙ୍କ ରୋଷର ଶିକାର ହୋଇଥିବା ସାନିଆ ଇସ୍ରାଏଲ୍ ଖେଳାଳି ସାହେର ପିର୍‌ଙ୍କ ସହ ଯୁଗଳ ବର୍ଗ ଟେନିସ୍ ଖେଳିବାକୁ ମନା କରି ବେଶ ବିବାଦୀୟ ହୋଇଥିଲେ। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଲିଆଣ୍ଡର୍ ପେସ୍ ଓ ମହେଶ ଭୂପତିଙ୍କ ମଧ୍ୟରୁ ଜଣକୁ ଯୁଗଳ ବର୍ଗ ସାଥୀ ବାଛିବା ନେଇ ସାନିଆ ବିବାଦ ଘେରକୁ ଆସିଥିଲେ। ଭୂପତିଙ୍କ ସହ ରୋହନ ବୋପାନ୍ନା ମଧ୍ୟ ତାଙ୍କର ଯୁଗଳ ବର୍ଗ ସାଥୀ ହେବାକୁ ମନା କରିଦେଇଥିଲେ। ୨୦୦୮ ବେଜିଂ ଅଲିମ୍ପିକ୍ସରେ ସେ ପୋଷାକ ଆଚରଣ ସଂହିତା ଉଲ୍ଲଂଘନ କରି ବିବାଦୀୟ ହୋଇଥିଲେ। କର ଫାଙ୍କିବା ଅଭିଯୋଗରେ ଏକଦା ତାଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ୍ ମଧ୍ୟ ମିଳିଥିଲା। ସୋଏବ ମଲ୍ଲିକଙ୍କ ସହ ବିବାହ ବିଛେଦ ମଧ୍ୟ ୨୦୨୨ରେ ବେଶ ଚର୍ଚ୍ଚାକୁ ଆସିଥିଲା। କିନ୍ତୁ ଏଥିରେ ସତ୍ୟତା ନଥିବା ଜଣାପଡ଼ିଥିଲା।