ଓଡ଼ିଶାର ପ୍ରତିଭାବାନ୍ ଚେସ୍ ଖେଳାଳି ସାଇନା ସଲୋନିକା ଏ ମାସ ଆରମ୍ଭରେ ମହିଳା ଅନ୍ତର୍ଜାତୀୟ ମାଷ୍ଟର୍ (ଡବ୍ଲ୍ୟୁଆଇଏମ୍) ଟାଇଟଲ୍ ହାସଲ କରିବା ପରେ ଚର୍ଚ୍ଚାରେ ରହିଆସିଛନ୍ତି। ମାତ୍ର ୧୮ ବର୍ଷ ବୟସରେ ସାଇନା ତୃତୀୟ ଓଡ଼ିଆ ଝିଅ ଭାବେ ଏହି ମାନ୍ୟତା ହାସଲ କରିଛନ୍ତି। ତାଙ୍କ ପୂର୍ବରୁ କିରଣ ମନୀଷା ମହାନ୍ତି ଓ ପଦ୍ମିନୀ ରାଉତ ଏହି ଟାଇଟଲ୍ ହାସଲ କରିଥିଲେ। ୨୦୦୩ ମସିହାରେ ସାଇନା ପିତା ଗଣେଶ୍ବର ଜେନା ଓ ମାତା ବବିତା ଜେନାଙ୍କ କୋଳମଣ୍ଡନ କରିଥିଲେ। ଖୁବ୍ ଅଳ୍ପ ବୟସରୁ ପିତାମାତାଙ୍କ ପ୍ରୋତ୍ସାହନ ପାଇ ସେ ଚେସ୍ ଗୋଟିଚାଳନାରେ ସୁଦକ୍ଷା ପାଲଟିଥିଲେ। ୨୦୧୦ରେ ୭ ବର୍ଷରୁ କମ୍ ବିଭାଗରେ ସେ ଜାତୀୟ ଚାମ୍ପିଅନ୍ ହୋଇ ନିଜର ଅଭିଯାନ ଆରମ୍ଭ କରିଥିଲେ। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ସେବେଠାରୁ ସାଇନାଙ୍କ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ଜିଣିବାର ଧାରା ଗତିଶୀଳ ହୋଇଥିଲା। ୨୦୧୩ରେ ୟୁଏଇରେ ଆୟୋଜିତ ୧୦ ବର୍ଷରୁ କମ୍ ବାଳିକା ବର୍ଗରେ ବିଶ୍ବ ଚାମ୍ପିଅନ୍ ହୋଇ ସେ ବିଶ୍ବ ଦରବାରରେ ନିଜର ପାରଦର୍ଶିତା ଦେଖାଇଥିଲେ। ଏହା ପର ବର୍ଷ ସେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଠାରୁ ଅସାଧାରଣ ଉପଲବ୍ଧି ପାଇଁ ଜାତୀୟ ଶିଶୁ ପୁରସ୍କାର ଗ୍ରହଣ କରିଥିଲେ। ୨୦୧୯ରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରୁ ସେ ‘ମୁଁ ହିରୋ ମୁଁ ଓଡ଼ିଶା’ ପୁରସ୍କାର ମଧ୍ୟ ପାଇଥିଲେ। ଏବେ ସୁଦ୍ଧା ସେ ୨୦ଟି ଅନ୍ତର୍ଜାତୀୟ ପଦକର ଅଧିକାରିଣୀ ହୋଇସାରିଲେଣି, ଯେଉଁଥିରୁ ୧୩ଟି ହେଉଛି ସ୍ବର୍ଣ୍ଣ ପଦକ। ଚେସ୍ର ଅନେକ ବିଭାଗରେ ସାଇନା ଶିଖର ଛୁଇଁଛନ୍ତି। ୨୦୧୨ରେ ସେ ସର୍ବକନିଷ୍ଠ ଓଡ଼ିଶା ଝିଅ ଭାବେ ଅନ୍ତର୍ଜାତୀୟ ମହିଳା କ୍ୟାଣ୍ଡି଼଼ଡେଟ୍ ମାଷ୍ଟର୍ (ଡବ୍ଲ୍ୟୁସିଏମ୍) ଟାଇଟଲ୍ ପାଇଥିଲେ। ସେହିପରି ୨୦୧୬ରେ ତାଙ୍କୁ ଅନ୍ତର୍ଜାତୀୟ ମହିଳା ଫିଡେ ମାଷ୍ଟର୍ (ଡବ୍ଲ୍ୟୁଏଫ୍ଆଇ) ଟାଇଟଲ୍ ମିଳିଥିଲା। ସେହି ବର୍ଷ ୨୦୯୩ ରେଟିଂ ସହ ସେ ନିଜ ବୟସ ବର୍ଗରେ ଦେଶ ତଥା ଏସିଆ ମହାଦେଶର ଏକ ନମ୍ବର ଚେସ୍ ଖେଳାଳିର ମୁକୁଟ ପିନ୍ଧିଥିଲେ। ସଦ୍ୟ ପ୍ରାପ୍ତ ଡବ୍ଲ୍ୟୁଆଇଏମ୍ ଟାଇଟଲ୍ ହାସଲ ପାଇଁ ତାଙ୍କୁ ଦୀର୍ଘ ୧୭ ମାସ ଅପେକ୍ଷା କରିବାକୁ ପଡ଼ିଥିଲା କାରଣ ଏହାର ପ୍ରଥମ ଓ ଦ୍ବିତୀୟ ନର୍ମ ହାସଲ କରିବା ପରେ କୋଭିଡ୍ ମହାମାରୀ ସମୟରେ ତାଙ୍କୁ ନିର୍ଣ୍ଣାୟକ ନର୍ମ ପାଇଁ ଖେଳିବାର ସୁଯୋଗ ମିଳି ନ ଥିଲା। ଏ ବର୍ଷ ଫେବ୍ରୁଆରିରେ ସେ ଓଡ଼ିଶା ରାଜ୍ୟ ବରିଷ୍ଠ ମହିଳା ଚାମ୍ପିଅନ୍ସିପ୍ ମଧ୍ୟ ଜିଣିଥିଲେ। ସାଇନା ଚେସ୍ ଖେଳିବା ଛଡ଼ା ମଡେଲିଂ ଓ ଆଙ୍କରିଂ କରିବାକୁ ଭଲପାଆନ୍ତି। ଏବେ ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଅଧ୍ୟୟନରତ। ଏଥି ସହିତ ମହିଳା ଗ୍ରାଣ୍ଡମାଷ୍ଟର୍ ଟାଇଟଲ୍ ହାସଲର ଲକ୍ଷ୍ୟ ଆଡ଼କୁ ସେ ଅଗ୍ରସର ହେଉଛନ୍ତି।
ଚେସ୍ବୋର୍ଡର ରାଣୀ ସାଇନା
/sambad/media/post_attachments/wp-content/uploads/2022/06/saina-chess.jpg)
/sambad/media/agency_attachments/2024-07-24t043029592z-sambad-original.webp)
