ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ନିକଟରୁ ଦିନିକିଆ ଶୃଙ୍ଖଳା ପରାଜୟ ପରେ ଅଧିନାୟକ ବିରାଟ କୋହଲିଙ୍କ ଉପରେ ଖପ୍ପା ହୋଇଛନ୍ତି ବହୁ ପୂର୍ବତନ ଖେଳାଳି ଏବଂ ପ୍ରଶଂସକମାନେ। ବିଶେଷ କରି ବୋଲିଂ ବାହିନୀର ନେତୃତ୍ବ ନେଉଥିବା ଯଶପ୍ରୀତ୍ ବୁମରାଙ୍କୁ ଠିକଣା ଭାବେ ଉପଯୋଗ କରାଯାଇନଥିବାରୁ କ୍ରିକେଟ୍ ବିଶାରଦମାନେ କୋହଲିଙ୍କ ନେତୃତ୍ବ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ନୂଆ ବଲ୍ ତଥା ପ୍ରଥମ ସ୍ପେଲ୍ରେ ବୁମରା ୨ ଓଭର ବୋଲିଂ କରି ମାତ୍ର ୭ ରନ୍ ବ୍ୟୟ କରିଥିଲେ। କିନ୍ତୁ ୧୦ ଓଭର ଭିତରେ ମାତ୍ର ଆଉ ଗୋଟିଏ ଓଭର ବୋଲିଂ କରିବା ସୁଯୋଗ ପାଇଥିଲେ। ଗମ୍ଭୀର ଆଶ୍ଚର୍ଯ୍ୟ ପ୍ରକଟ କରି କହିଛନ୍ତି ‘ନୂଆ ବଲ୍ରେ ବୁମରା ମାତ୍ର ୨ ଓଭର ବୋଲିଂ କରିବା ଯୋଜନାକୁ ମୁଁ ବୁଝି ପାରୁନାହିଁ। ଘରୋଇ ଦଳର ଏଭଳି ଦୃଢ଼ ବ୍ୟାଟିଂ ଲାଇନ୍ ଅପ୍କୁ ଭେଦିବା ଲାଗି ଆମକୁ ୱିକେଟ୍ ନେବା ଗୁରୁତ୍ବପୂର୍ଣ୍ଣ ଥିଲା। ଏଭଳି ସମୟରେ ପ୍ରମୁଖ ବୋଲରଙ୍କୁ ମାତ୍ର ୨ ଓଭର ମିଳିବା ଠିକ୍ ନଥିଲା। ସାଧାରଣତଃ ଦିନିକିଆ ମ୍ୟାଚ୍ରେ ବୋଲରଙ୍କୁ ୩ଟି ସ୍ପେଲ୍ରେ ୪-୩-୩ ବିରାମରେ ବୋଲିଂ ସୁଯୋଗ ଦିଆଯାଇଥାଏ କିମ୍ବା ସର୍ବାଧିକ ୪ ଓଭର ବୋଲିଂ ମିଳିଥାଏ। ପ୍ରମୁଖ ବୋଲରଙ୍କୁ ବୋଲିଂରୁ ଦୂରେଇ ରଖିବା କିଭଳି ପ୍ରକାର ଅଧିନାୟକତ୍ବ ବୋଲି ବୋଲି ଗମ୍ଭୀର ପ୍ରଶ୍ନ କରିଛନ୍ତି। ଏହା ଟି-୨୦ କ୍ରିକେଟ୍ ନୁହେଁ, ଏହା ପଛରେ କି କାରଣ ରହିଛି ମୋ ପାଇଁ ଅବୁଝା। ବିଶ୍ବର କୌଣସି ଅଧିନାୟକ ବି ବୁମରାଙ୍କୁ ଓପନିଂ ସ୍ପେଲ୍ରେ ମାତ୍ର ୨ ଓଭର ଦେଇନଥାନ୍ତେ। ଏହା ନିଶ୍ଚିତ ଦୁର୍ବଳ ଅଧିନାୟକତ୍ବ ବୋଲି ଗମ୍ଭୀର ପ୍ରକାଶ କରିଛନ୍ତି। ଭାରତ ୱାସିଂଟନ୍ ସୁନ୍ଦର କିମ୍ବା ଶିଭମ ଦୁବେଙ୍କ ଭଳି ଖେଳାଳିଙ୍କୁ ଖେଳାଇବାର ଥିଲା। ଦିନିକିଆ ଦଳ ଚୟନ ଉପରେ ନଜର ପକାଇଲେ ଏଥିରେ ତ୍ରୁଟି ଥିବା ସ୍ପଷ୍ଟ ପ୍ରତୀୟମାନ ହେଉଛି ବୋଲି ଗମ୍ଭୀର କହିଥିଲେ।
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ବୋଲର ସଂଘର୍ଷ କରୁଥିବା ବେଳେ ବିରାଟ କୋହଲିଙ୍କ ଅଧିନାୟକତ୍ବକୁ ନେଇ ମଧ୍ୟ ଅସନ୍ତୁଷ୍ଟ ହୋଇଛନ୍ତି ଅନ୍ୟତମ ଅନ୍ତର୍ଜାତୀୟ କ୍ରିକେଟର୍ ଆଶିଷ ନେହେରା। ଅଷ୍ଟ୍ରେଲିଆା ପିଚ୍ରେ ବୋଲରଙ୍କୁ ସହାୟତା ମିଳୁନଥିଲେ ମଧ୍ୟ ବିରାଟ କୋହଲି ବାରମ୍ବାର ବୋଲିଂ ପରିବର୍ତନ କରିବାକୁ ନେହେରା ସହଜରେ ଗ୍ରହଣ କରିପାରିନାହାନ୍ତି। କୋହଲିଙ୍କୁ ଜଣେ ଅପ୍ରସ୍ତୁତ ଅଧିନାୟକ ଆଖ୍ୟା ଦେଇ ନେହେରା କହିଛନ୍ତି ଭାରତ ପାଇଁ ମହମ୍ମଦ ସାମି ଏବଂ ଯଶପ୍ରୀତ୍ ବୁମରା ବୋଲିଂ ଆକ୍ରମଣ ଆରମ୍ଭ କରିଥିଲେ। ମାତ୍ର ୨ ଓଭର ପରେ ବୁମରାଙ୍କୁ ଆକ୍ରମଣରୁ ହଟାଇ ନଭଦୀପ ସୈନିଙ୍କୁ ଲଗାଇ ଦିଆଯାଇଥିଲା। ସାମିଙ୍କ ପାର୍ଶ୍ବ ପରିବର୍ତନ କରିବାକୁ କୋହଲି ଏଭଳି କରିଥିଲେ ମଧ୍ୟ ସୈନିଙ୍କ ଆକ୍ରମଣରୁ ହଟାଇନଥିଲେ। ତେଣୁ କୋହଲି ଅପ୍ରସ୍ତୁତ ଥିବାରୁ କେତେବେଳେ ବୋଲିଂ ପରବର୍ତନ କରାଯିବା ଆଗରୁ ଜାଣିବା ଦରକାର। ଏହି ଦିଗପ୍ରତି ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି ବୋଲି ନେହେରା ପ୍ରକାଶ କରିଥିଲେ। ସେହିଭଳି ପ୍ରଥମ ଦିନିକିଆରେ ୩୭୫ ରନ୍ ପଶ୍ଚାତଧାବନ କରୁଥିବା ବେଳେ କୋହଲି ତରବର ହେବା ଭଳି ଲାଗୁଥିଲେ। ଅତୀତରେ କୋହଲି ବହୁବାର ୩୫୦ ପଶ୍ଚାତଧାବନ କରିଛନ୍ତି। ତେଣୁ ଏହା ତାଙ୍କ ପାଇଁ ବଡ଼ ସମସ୍ୟା ହେବା କଥା ନୁହେଁ। ସେଦିନ ଏଭଳି ଲାଗୁଥିଲା ସତେ ଯେଭଳି ସେ ୪୭୫ ରନ୍କୁ ପିଛା କରୁଛନ୍ତି ବୋଲି ନେହେରା ପ୍ରକାଶ କରିଥିଲେ।
କୋହଲି ଏକା ମ୍ୟାଚ୍ ଜିତାଇପାରିବେନି: ଭଜି
ନୂଆଦିଲ୍ଲୀ: କେବଳ ନେତୃତ୍ବ ଦକ୍ଷତା ନୁହେଁ ବିରାଟ କୋହଲି ମଧ୍ୟ ବଡ଼ ମ୍ୟାଚ୍ ବିଜେତା ଖେଳାଳି ନୁହଁନ୍ତି ବୋଲି କିଛି ଅଙ୍ଗୁଳି ଉଠାଇବାକୁ ପଛାଇ ନାହାନ୍ତି। ପ୍ରଥମ ଦୁଇ ଦିନିକିଆରେ ଭାରତ ୩୭୪ ଏବଂ ୩୮୯ ରନ୍ ବ୍ୟୟ କରିବା ପରେ ପଶ୍ଚାତଧାବନ କରିବାରେ ବିଫଳ ହୋଇଛି। ଏଥି ପାଇଁ ୩ ମ୍ୟାଚ୍ ଶୃଙ୍ଖଳାରେ ଭ୍ରମଣକାରୀ ବିରାଟ କୋହଲିଙ୍କ ଦଳ ୦-୨ରେ ପଛୁଆ ରହିଛି। କିଛି ପୂର୍ବତନ ଖେଳାଳି କୋହଲିଙ୍କ ନେତୃତ୍ବ ଦକ୍ଷତା ନେଇ ପ୍ରଶ୍ନ ଉଠାଇଥିବା ବେଳେ ବ୍ୟକ୍ତିଗତ ପ୍ରଦର୍ଶନକୁ ନେଇ ତାଙ୍କୁ ସମର୍ଥନ କରିଛନ୍ତି ପୂର୍ବତନ ଅଫସ୍ପିନର୍ ହରଭଜନ ସିଂହ। ‘କୋହଲି ନିଜ ସ୍ବାଭାବିକ ଖେଳ ଖେଳୁଛନ୍ତି, ଅନ୍ୟ ଖେଳାଳିମାନେ ତାଙ୍କ ସହ ତାଳ ଦେବାର ଅଛି। ନଚେତ୍ କୋହଲି ଏକା ମ୍ୟାଚ୍ ଜିତାଇ ପାରିବେ ନାହିଁ। ନେତୃତ୍ବକୁ ନେଇ ତାଙ୍କ ଉପରେ କୌଣସି ପ୍ରକାର ଚାପ ନ ଥିବା ମୋର ଦୃଢ଼ ବିଶ୍ବାସ। ସେ ସବୁବେଳେ ଆହ୍ବାନକୁ ଉପଭୋଗ କରିଥାନ୍ତି। ଆବଶ୍ୟକ ପରିସ୍ଥିତିରେ ସେ ଉଦାହରଣ ଜରିଆରେ ଦଳରେ ନେତୃତ୍ବ ନେଇଥାନ୍ତି’ ବୋଲି ଭଜି କହିଛନ୍ତି। ନେତୃତ୍ବ ତାଙ୍କ ଖେଳକୁ କୌଣସିଭାବେ ପ୍ରଭାବିତ କରିନାହିଁ। ସାମିଙ୍କ ବୋଲିଂ ପାର୍ଶ୍ବ ପରିବର୍ତନ ନ କରିବାରେ କିଛି ଭୁଲ ନଥିଲା। ବୋଲରମାନେ ସଂଘର୍ଷ କରିବାରୁ କୋହଲି ବାଧ୍ୟ ହୋଇ ମୟଙ୍କ ଅଗ୍ରୱାଲ ଓ ହାର୍ଦିକ ପାଣ୍ଡ୍ୟାଙ୍କୁ ବୋଲିଂ କରିବାକୁ ଡାକିଥିଲେ। ଭାରତ ପାଳି ବେଳେ କେଏଲ୍ ରାହୁଲ ମଧ୍ୟକ୍ରମରେ ଭଲ କରିଥିବାରୁ ଭଜି ମଧ୍ୟ ଖୁସି ହୋଇଥିଲେ। ଏହା ଦ୍ବାର ବିରାଟ କୋହଲି ମୁକ୍ତରେ ବ୍ୟାଟିଂ କରିପାରିବେ ବୋଲି ଭଜି ଆଶା ରଖିଛନ୍ତି। ସୂଚନାଯୋଗ୍ୟ, ସିଡନିରେ ଖେଳାଯାଇଥିବା ପ୍ରଥମ ଦୁଇ ଦିନିକିଆରେ ଭାରତ ଯଥାକ୍ରମେ ୬୬ ଓ ୫୧ ରନ୍ରେ ହାରିଯିବା ପରେ ବୁଧବାର କାନବେରାରେ ଶେଷ ମ୍ୟାଚ୍ ଖେଳିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/dg4jdg4j85dg4j65dgj465dgj456jgjdgjjg.jpg)