‌ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟର୍‌ ତଥା ପୂର୍ବ ଦିଲ୍ଲୀ ଲୋକସଭା ସାଂସଦ ଗୌତମ ଗମ୍ଭୀର ଏବେ ଆଇପିଏଲ୍‌ ଭାଷ୍ୟକାର ପାନେଲ୍‌ରେ ସାମିଲ ଥିବାରୁ ବିରୋଧୀଙ୍କ ପ୍ରଶ୍ନବାଣର ଶିକାର ହୋଇଛନ୍ତି। ଦିଲ୍ଲୀରେ‌ କୋଭିଡ୍‌ ମହାମାରୀ କାୟା ବିସ୍ତାର କରୁଥିବାବେଳେ ଏହି ଭାଜପା ସାଂସଦ ନିଜ ଦାୟିତ୍ବକୁ ପଛରେ ପକାଇ ଆଇପିଏଲ୍‌ କମେଣ୍ଟ୍ରି ବକ୍ସରେ ବସି ରହୁଥିବାରୁ ଅନେକ ଟ୍ବିଟରାଇଟ୍‌ ତାଙ୍କୁ ସମାଲୋଚନା କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ ଏହାକୁ ପ୍ରଥମେ ସମାଲୋଚନା କରିଥିଲେ। ଜଣେ ସାଂସଦ ‌ହୋଇଥିବାରୁ ନିଜ ଲୋକସଭା କ୍ଷେତ୍ର ପ୍ରତି ସେ ସମୟ ଦେବା ଉଚିତ୍ ବୋଲି ସେ ଦର୍ଶାଇଥିଲେ। ଜଣେ ଟ୍ବିଟରାଇଟ୍‌ କିନ୍ତୁ ଲେଖିଛନ୍ତି ‘ସେ ସମସ୍ୟା ନୁହନ୍ତି, ଯେଉଁ ଲୋକମାନେ କ୍ରିକେଟର୍‌ ଓ ଅଭିନେତାଙ୍କ ଭଳି ଇଡିଅଟ୍‌ଙ୍କୁ ଭୋଟ ‌ଦେଉଛନ୍ତି ସେଇଠି ଅସୁବିଧା ରହିଛି। ଏମାନଙ୍କ ପାଇଁ ‌ନିଜ ନିଜ ମୂଳ ବୃତ୍ତି ପ୍ରତି ମୋହ ଓ ସମ୍ମାନବୋଧ ଛାଡ଼ିନାହିଁ। ଅନ୍ୟ ବହୁ ଲୋକ କିନ୍ତୁ ଗମ୍ଭୀରଙ୍କୁ ସମର୍ଥନ କରିଛନ୍ତି। କମେଣ୍ଟ୍ରି ବକ୍ସରେ ରହୁଥିଲେ ମଧ୍ୟ ଗମ୍ଭୀର ନିଜ ଦାୟିତ୍ବକୁ ଭୁଲି ନାହାନ୍ତି। ସେଠାରୁ ବି ରୋଗୀଙ୍କ ପାଇଁ ବେଡ୍ ଭେଣ୍ଟିଲେଟର୍ ଅକ୍ସିଜେନ୍ ଏବଂ ରେମଡେଭିସିର୍‌ ମେଡିସିନ୍‌ର ବ୍ୟବସ୍ଥା କରୁଛନ୍ତି। ନିଜସ୍ବ ଉଦାହରଣ ଜରିଆରେ ନେତୃତ୍ବ ନେଉଥିବାରୁ ଜନସାଧାରଣଙ୍କ ନଜରରେ ଅସଲ ନାୟକ ଅଛନ୍ତି’ ବୋଲି ଜଣେ ଉଲ୍ଲେଖ କରିଛନ୍ତି। ବିଳମ୍ବରେ ହେଲେ ବି ରବିବାର ସଂଧ୍ୟାରେ ଗମ୍ଭୀର ନିଜ ଉତ୍ତର ରଖିଥିଲେ। ‘ଏଭଳି ପରିସ୍ଥିତିରେ କେଜରିୱାଲ ରାଜନୀତିରେ ଲିପ୍ତ‌ ହେବା ଦୁର୍ଭାଗ୍ୟଜନକ। ଗତ ବର୍ଷକ ଭିତରେ ୫୦୦ କୋଟି କେବଳ ବିଜ୍ଞାପନରେ ଖର୍ଚ୍ଚ କରିଥିବା କେଜ୍ରିୱାଲ୍ ୬ ବର୍ଷ ଭିତରେ ଗୋଟିଏ ବି ହସ୍ପିଟାଲ୍‌ ନିର୍ମାଣ କରିନାହାନ୍ତି। ଅନ୍ୟପକ୍ଷରେ ମୋ ସମସ୍ତ ଏମ୍‌ପିଲାଡ୍‌ ଅର୍ଥ, ଦରମାରେ ଚାଲୁଥିବା ରୋସେଇ ଓ କୋଭିଡ୍‌ କେନ୍ଦ୍ରକୁ ବନ୍ଦ କରାଇଛନ୍ତି। ଶେଷରେ ବିଜ୍ଞାପନ ମନ୍ତ୍ରୀ କେଜରିୱାଲ୍‌ କେନ୍ଦ୍ରକୁ ସମାଲୋଚନା କରିବାକୁ ଏକମାତ୍ର ଅସ୍ତ୍ର କରିଛନ୍ତି’।