କ୍ଷମା ମାଗିବା ସହ ଦକ୍ଷିଣ ଆଫ୍ରିକା ଦଳକୁ ଫେରିଲେ କ୍ବିଣ୍ଟନ ଡି’କକ୍

ଦୁବାଇ : ପୁଣି ଥରେ ଦକ୍ଷିଣ ଆଫ୍ରିକା ଦଳକୁ ଫେରିଛନ୍ତି କ୍ବିଣ୍ଟନ ଡି’କକ୍ । ଟି୨୦ ବିଶ୍ବକପର ଅବଶିଷ୍ଟ ମ୍ୟାଚ ଗୁଡ଼ିକରେ ସେ ଦକ୍ଷିଣ ଆଫ୍ରିକା ପାଇଁ ଖେଳିବେ । ଦଳକୁ ପ୍ରତ୍ୟାବର୍ତ୍ତନ ସହ ତାଙ୍କୁ ନେଇ ଗତ କିଛି ଦିନ ହେଲା ଚାଲିଥିବା ବିବାଦ ସମ୍ପର୍କରେ ସେ ନିଜର ପକ୍ଷ ରଖିଛନ୍ତି ।

ବର୍ଣ୍ଣବୈଷମ୍ୟ ବିରୋଧୀ ଅଭିଯାନ ‘ବ୍ଲାକ ଲାଇଭ୍ସ ମ୍ୟାଟର’ କୁ ସମର୍ଥନ କରିବାଲାଗି ବିଶ୍ବକପ ମ୍ୟାଚ ପୂର୍ବରୁ ବିଭିନ୍ନ ଦଳର ଖେଳାଳିମାନେ ଆଣ୍ଠେଇ ଲୋକମାନଙ୍କୁ ସଚେତନ କରୁଛନ୍ତି । ଓ୍ବେଷ୍ଟ ଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳ ନିଜ ଖେଳାଳିମାନଙ୍କୁ ଆଣ୍ଠେଇବାକୁ କହିଥିଲା । କିନ୍ତୁ ଏହା କରିବାକୁ ଡି’କକ୍ ମନା କରିଦେଇଥିଲେ । ଏହାକୁ ନେଇ ବିଶ୍ବ କ୍ରିକେଟରେ ବିବାଦ ଦେଖାଦେଇଥିଲା ।

ଏହି ଘଟଣାକୁ ନେଇ ସେ କ୍ଷମା ମାଗିବା ସହ ଏକ ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ଆଣ୍ଠେଇବା ଦ୍ବାରା ଅନ୍ୟମାନେ ସଚେତନ ହେବେ ସେ ଆଣ୍ଠେଇବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଯେଉଁଭଳି ଭାବରେ ତାଙ୍କ କ୍ରିକେଟ ବୋର୍ଡ ପକ୍ଷରୁ ଏହା କରିବାକୁ କୁହାଗଲା ସେ ସେଥିପାଇଁ ପ୍ରସ୍ତୁତ ନଥିଲେ । ଦୂନିଆରେ ସମସ୍ତଙ୍କ ସମାନ ଅଧିକାର ଅଛି । କିନ୍ତୁ ଏହା କରିବାକୁ ଯେପରି ଭାବେ କୁହାଗଲା ତାହା ତାଙ୍କ ଅଧିକାରର ହନନ ବୋଲି ସେ ଭାବୁଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ନିଜ ପରିବାରରେ ବି କୃଷ୍ଣକାୟ ସଦସ୍ୟ ଅଛନ୍ତି । ତାଙ୍କ ସାବତ ମା ଓ ଭଉଣୀମାନେ କୃଷ୍ଣକାୟ । ଏଣୁ ସମସ୍ତଙ୍କୁ ସମ୍ମାନ କରିବା ସେ ପିଲାବେଳୁ ଶିଖିଛନ୍ତି ।

 

ସମ୍ବନ୍ଧିତ ଖବର