ନୂଆଦିଲ୍ଲୀ: ଭାରତୀୟ କିମ୍ବଦନ୍ତି ଅଫ୍ସ୍ପିନର୍ ତଥା ଉପଯୋଗୀ ଅଲରାଉଣ୍ଡର୍ ରବିଚନ୍ଦ୍ରନ ଅଶ୍ବିନ ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ବ୍ରିସ୍ବେନ୍ରେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ୍ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହେବା ପରେ ପରେ ଅଶ୍ବିନ ଅଚାନକ ଏଭଳି ନିଷ୍ପତ୍ତି ବିଷୟରେ ସୂଚନା ଦେଇଥିଲେ। ୫ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାରେ ୩ ମ୍ୟାଚ୍ ସରିଥିଲା ବେଳେ ଅଶ୍ବିନ କେବଳ ଗୋଟିଏ ମ୍ୟାଚ୍ ଆଡିଲେଡ୍ରେ ଖେଳିଥିଲେ। ଏହି ଦିବା-ରାତ୍ର ଟେଷ୍ଟ୍ରେ ସେ ୧/୫୩ ବୋଲିଂ ସଫଳତା ପାଇଥିଲେ। ତାଙ୍କ ଅବସର ଖବର ପ୍ରକାଶ ପାଇବା ପରେ ଭାରତୀୟ ଡ୍ରେସିଂ ରୁମ୍ ଶାନ୍ତ ପଡ଼ିଯାଇଥିଲା। ସାଥୀ ଖେଳାଳି ଅଶ୍ବିନ୍ଙ୍କ ପାଖକୁ ଆସି ଧନ୍ୟବାଦ ଦେବା ସହ ଶୁଭକାମନା ଜଣାଇଥିଲେ।
ତାଙ୍କର ଏହି ନିଷ୍ପତ୍ତି ତାଙ୍କ ପ୍ରଶଂସକଙ୍କ ସମେତ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିବା ଜଣାଯାଇଛି। ଅଶ୍ବିନଙ୍କ ବାପା ଏହି ଘୋଷଣା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୋଲି କହିଛନ୍ତି। ତାଙ୍କ କହିବା ମୁତାବକ, "ଆମେ ବି ଶେଷ ମୂହୁର୍ତ୍ତରେ ଜାଣିଲୁ। ତାଙ୍କ ମନରେ କଣ ଚାଲିଥିଲା ମୁଁ ଜାଣେ ନାହିଁ। ସେ ଏଭଳି କିଛି ଘୋଷଣା କରିବେ ବୋଲି ଆମେ ଜାଣିନଥିଲୁ। ମୁଁ ଖୁସି ଯେ, ସେ ଅବସର ନେଲେ। ହେଲେ ଆଉ କିଛି ଦିନ ଖେଳନ୍ତୁ ବୋଲି ମୁଁ ଚାହୁଥିଲି। ଅବସର ନେବା ହେଉଛି ତାଙ୍କର ଇଚ୍ଛା। ମୁଁ ଏଥିରେ ହସ୍ତକ୍ଷେପ କରିପାରିବି ନାହିଁ। କିନ୍ତୁ ସେ ଯେଉଁଭଳି ଭାବେ ଏହାର ଘୋଷଣା କଲେ ତାହାର ଅନେକ କାରଣ ଥାଇପାରେ। କେବଳ ଅଶ୍ୱିନ ହିଁ ଜାଣନ୍ତି ସେ ଏଭଳି ନିଷ୍ପତ୍ତି କାହିଁକି ନେଲେ। ବୋଧହୁଏ ଅପମାନିତ ହୋଇଥିବାରୁ ସେ ଏଭଳି କରିଥାଇପାରନ୍ତି। "