ପଞ୍ଜାବକୁ ଜିତାଇଲେ ରବାଦା-ଧାୱନ

ମୁମ୍ବାଇ: ଟେବୁଲ ଟପର ଗୁଜରାଟ ଲାୟନ୍ସକୁ ୮ ୱିକେଟ୍‌ରେ ପରାସ୍ତ କରିଛି ପଞ୍ଜାବ କିଙ୍ଗ୍ସ। ମଙ୍ଗଳବାର ଚଳିତ ଆଇପିଏଲ୍‌ର ଏହି ୪୮ତମ ମ୍ୟାଚ୍‌ରେ ପଞ୍ଜାବ ସମ୍ମୁଖରେ ଗୁଜରାଟ ୧୪୪ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ଓପନର ଶିଖର ଧାୱନ (୬୨*)ଙ୍କ ଅର୍ଦ୍ଧଶତକ ସହ ଭାନୁକା ରାଜପାସ୍କେଙ୍କ ୪୦ ରନ୍ ବଳରେ ପଞ୍ଜାବ ୪ ଓଭର ପୂର୍ବରୁ ମାତ୍ର ୨ ୱିକେଟ୍ ହରାଇ ଏହାକୁ ହାସଲ କରି ନେଇଥିଲା। ଏହି ବୃହତ୍ ବିଜୟ ବଳରେ ପଞ୍ଜାବ ନିଜ ରନ୍ ରେଟ୍ ବଢ଼ାଇବା ସହ ଦଶମ ମ୍ୟାଚ୍‌ରୁ ପଞ୍ଚମ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ ଗୁଜରାଟ ଦଶମ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ବରଣ କରିଥିଲା। ଗୁଜରାଟ ବୋଲର ମହମ୍ମଦ ସାମିଙ୍କ ଗୋଟିଏ ଓଭରରୁ ପଞ୍ଜାବ ବ୍ୟାଟର୍ ଲିୟାମ ଲିଭିଂଷ୍ଟୋନ୍ (୩୦ ରନ୍, ୧୦ ବଲ୍) ହ୍ୟାଟ୍ରିକ୍ ଛକା ସହ ୨୮ ରନ୍ ଅମଳ କରିବା ଆଜି ମ୍ୟାଚ୍‌ର ଅନ୍ୟତମ ଚର୍ଚ୍ଚିତ ଅଧ୍ୟାୟ ଥିଲା। ସେ ମାରିଥିବା ଗୋଟିଏ ଛକା ୧୧୭ ମିଟର ଦୂରତା ବିଶିଷ୍ଟ ଥିଲା। ଯାହା ସାମିଙ୍କୁ ମଧ୍ୟ ଚକିତ କରିଥିଲା।

ମଙ୍ଗଳବାର ଗୁଜରାଟ ପ୍ରଚଳିତ ଧାରା ବିପରୀତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ଏହା ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ଯୁବ ତାରକା ସାଇ ସୁଦର୍ଶନ (୬୫*)ଙ୍କ ଛଡ଼ା ଏହି ଦଳର ଅନ୍ୟ କୌଣସି ବ୍ୟାଟର୍‌ ବଡ଼ ସ୍କୋର କରି ପାରି ନଥିଲେ। ଅନ୍ୟମାନଙ୍କ ମଧ୍ୟରେ କେବଳ ଓପନର ଋଦ୍ଧିମାନ ସାହ ୨୧ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି କାଗିସୋ ରବାଦା (୪/୩୩) ହିଁ ଗୁଜରାଟ ବ୍ୟାଟିଂ ବାହିନୀର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ତା ଛଡ଼ା ଅନ୍ୟତମ ଓପନର ଶୁଭମନ୍ ଗିଲ (୯) ରନ୍ଆଉଟ୍ ହେବା ମଧ୍ୟ ଗୁଜରାଟ ପାଇଁ ମସ୍ତବଡ଼ ଧକ୍କା‌ ଥିଲା। ଅଧିନାୟକ ହାର୍ଦିକ ପାଣ୍ଡ୍ୟା ୧ ରନ୍‌ରେ ରିଷି ଧାୱନଙ୍କ ଶିକାର ହୋଇଥିଲେ। ଫଳରେ ଗୁଜରାଟ ୮ ୱିକେଟ୍ ବିନିମୟରେ ୧୪୩ ରନ୍ କରିଥିଲା।

ସମ୍ବନ୍ଧିତ ଖବର