ନୂଆଦିଲ୍ଲୀ: ମୋହାଲିରେ ଗୁରୁବାର ଖେଳାଯାଇଥିବା ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍ ଅବସରରେ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଖେଳିଥିବା କାଗିସୋ ରବାଦା ଏକ ଆଇପିଏଲ୍ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଏହି ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର ଗୁରୁବାର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଓପ୍ନର ରିଦ୍ଧିମାନ ଶାହାଙ୍କୁ ଆଉଟ୍ କରିଥିଲେ। ଏହି ଅବସରରେ ସେ ଆଇପିଏଲ୍ରେ ୧୦୦ତମ ୱିକେଟ୍ ପୂରଣ କରିଥିଲେ। ମାତ୍ର ୬୪ ମ୍ୟାଚ୍ ଏବଂ ୧୪୩୮ ବଲ୍ ବୋଲିଂ କରିବା ପରେ ରବାଦା ଏହି ମାଇଲଖୁଣ୍ଟ ଛୁଇଁଥିଲେ। ଏକ୍ଷେତ୍ରରେ ସେ ମଧ୍ୟ ଆଇପିଏଲ୍ରେ ୧୦୦ ୱିକେଟ୍ ଦଖଲ କରିବାରେ ଦ୍ରୁତତମ ବୋଲର ସାବ୍ୟସ୍ତ ହୋଇଛନ୍ତି। ଏହି କୀର୍ତ୍ତିମାନ ରବାଦାଙ୍କ ପୂର୍ବରୁ ସିଂହଳୀ ଦ୍ରୁତ ବୋଲର ଲସିଥ୍ ମାଲିଙ୍ଗାଙ୍କ ନାମରେ ରହିଥିଲା। ମାଲିଙ୍ଗା ଆଇପିଏଲ୍ରେ ୭୦ ମ୍ୟାଚ୍ ଏବଂ ୧୬୨୨ ବଲ୍ ବୋଲିଂ କରି ଦ୍ରୁତତମ ୧୦୦ ୱିକେଟ୍ ଅକ୍ତିଆର କରିଥିଲେ। ଆଇପିଏଲ୍ରେ ଦ୍ରୁତତମ ୧୦୦ ୱିକେଟ୍ ଦଖଲ ତାଲିକାରେ ରବାଦା ଏବଂ ମାଲିଙ୍ଗା ପ୍ରଥମ ଦୁଇଟି ସ୍ଥାନରେ ରହିଥିଲା ବେଳେ ତୃତୀୟରେ ରହିଥିବା ହର୍ଷଲ ପଟେଲ ଭାରତୀୟ ବୋଲର ଭାବେ ଦ୍ରୁତତମ ରହିଛନ୍ତି। ସେ ୮୧ ମ୍ୟାଚ୍ ଓ ୧୬୮୭ ବଲ୍ ବୋଲିଂ କରି ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ତାଙ୍କ ପଛକୁ ଅନ୍ୟତମ ଭାରତୀୟ ଭୁବନେଶ୍ବର କୁମାର (୮୨ ମ୍ୟାଚ୍) ଚତୁର୍ଥରେ ଏବଂ ରସିଦ ଖାନ୍, ଅମିତ୍ ମିଶ୍ରା ଓ ଆଶିଷ ନେହେରା (ସମସ୍ତେ ୮୩ ମ୍ୟାଚ୍) ମିଳିତ ଭାବେ ପଞ୍ଚମ ସ୍ଥାନରେ ଅଛନ୍ତି। ୟୁଝ୍ବେନ୍ଦ୍ର ଚହଲ (୮୪), ସୁନିଲ ନାରାୟଣ (୮୬), ସନ୍ଦୀପ ଶର୍ମା (୮୭) ପଛକୁ ପଛ ଦ୍ରୁତତମ ୧୦୦ ୱିକେଟ୍ର ଆଇପିଏଲ୍ କୀର୍ତ୍ତିମାନ ତାଲିକାରେ ସାମିଲ ଅଛନ୍ତି।
ରବାଦାଙ୍କ ଆଇପିଏଲ୍ କୀର୍ତ୍ତି: ୧୦୦ ୱିକେଟ୍ ଦଖଲରେ ଦ୍ରୁତତମ
/sambad/media/post_attachments/wp-content/uploads/2023/04/rabada.jpg)