ନୂଆଦିଲ୍ଲୀ: କାଗିସୋ ରବାଦା-ଷ୍ଟିଭ୍ ସ୍ମିଥ୍ ବିବାଦ ସମ୍ପର୍କରେ ନିଜ ମତ ରଖିବାକୁ ଯାଇ ଦକ୍ଷିଣ ଆଫ୍ରିକାର ପୂର୍ବତନ ବାମହାତୀ ସ୍ପିନର୍ ପଲ୍ ହାରିସ୍ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଉପରେ ବର୍ଷିଛନ୍ତି। କୋହଲିଙ୍କୁ ଜଣେ ବିଦୂଷକ କହି ସମାଲୋଚନା କରିଛନ୍ତି ଏବଂ ଆଇସିସିର ପକ୍ଷପାତକୁ ନାପସନ୍ଦ କରିଛନ୍ତି। ହାରିସ୍ କହିଛନ୍ତି ଭାରତୀୟ ଦଳର ଗତ ଦକ୍ଷିଣ ଆଫ୍ରିକା ଗସ୍ତ ବେଳେ କୋହଲି ବିଦୂଷକ ଭଳି ବ୍ୟବହାର କରୁଥିଲେ। କିନ୍ତୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। କିନ୍ତୁ ଦ୍ୱିତୀୟ ଟେଷ୍ଟରେ କୋହଲି ମ୍ୟାଚ୍ ପାଉଣାର ୨୫ ପ୍ରତିଶତ ହରାଇବା ସହିତ ଗୋଟିଏ ଡିମେରିଟ୍ ପଏଣ୍ଟ୍ ଅର୍ଜନ କରିଥିଲେ। ଦକ୍ଷିଣ ଆଫ୍ରିକା ପାଇଁ ୩୭ ଟେଷ୍ଟ୍ ଖେଳିଥିବା ହାରିସ୍ ଟ୍ଵିଟର୍ ଜରିଆରେ କହିଛନ୍ତି, ରବାଦାଙ୍କୁ ନିଲମ୍ବିତ କରାଯିବା ଅଯୌକ୍ତିକ। ସେ ଉଦ୍ଦେଶ୍ୟମୂଳକ ଭାବେ ସ୍ମିଥ୍ଙ୍କ ସହ ଧକ୍କା ହୋଇନଥିଲେ। ରବାଦା ଏବଂ ଦକ୍ଷିଣ ଆଫ୍ରିକା ପ୍ରତି ଆଇସିସିର କିଛି ସମସ୍ୟା କିମ୍ବା ଖରାପ ଧାରଣା ଥିବା ଏହି ଦଣ୍ଡ ପ୍ରମାଣ କଲା। ଅଷ୍ଟ୍ରେଲିଆ ଅଧିନାୟକ ସ୍ମିଥ୍ଙ୍କ ସହ ଉଦ୍ଦେଶ୍ୟମୂଳକ ଧକ୍କାକୁ ରବାଦା ଅସ୍ୱୀକାର କରିବା ପରେ ତାଙ୍କ ମ୍ୟାଚ୍ ପାଉଣାର ୫୦ ପ୍ରତିଶତ କଟାଯାଇଥିଲା ଏବଂ ୩ ଡିମେରିଟ୍ ପଏଣ୍ଟ୍ ଲଦି ଦିଆଯାଇଥିଲା। ବିଗତ ୪ ମାସ ମଧ୍ୟରେ ରବାଦା ୮ ଡିମେରିଟ୍ ପଏଣ୍ଟ ପାଇବାରୁ ତାଙ୍କୁ ୨ ଟେଷ୍ଟ୍ରୁ ନିଲମ୍ବିତ କରାଯାଇଛି।
ହାରିସ୍ଙ୍କ ଭଳି ମଧ୍ୟ ଟ୍ଵିଟର୍ ପୃଷ୍ଠାରେ ବର୍ତମାନର ଖେଳାଳି ଭର୍ନାନ୍ ଫିଲାଣ୍ଡର୍ ନିଜ ମତ ରଖିଛନ୍ତି। ସ୍ମିଥ୍ ଚାହିଁଥିଲେ ରବାଦାଙ୍କ ସହ ସଂଘର୍ଷକୁ ଏଡାଇ ପାରିଥାନ୍ତେ। ଜଣେ ଦ୍ରୁତ ବୋଲର ପାଇଁ ଏଭଳି ଭୁଲ ସ୍ୱାଭାବିକ ବୋଲି ସେ ଉଲ୍ଲେଖ କରିଥିଲେ ମଧ୍ୟ ତୁରନ୍ତ ଏହାକୁ ପ୍ରତ୍ୟାହାର କରି ନେଇଥିଲେ। ତାଙ୍କ ଟ୍ଵିଟର୍ ଆକାଉଣ୍ଟ୍ ଅନ୍ୟ କେହି ହ୍ୟାକ୍ କରିଥିବାର ଅଭିଯୋଗ ଆଣିଥିଲେ।