ରବି ଓ ଅନାଦି ସ୍ମାରକୀ ଫୁଟ୍‌ବଲ: କଟକ କ୍ରୀଡ଼ା ଛାତ୍ରାବାସ ବିଜେତା

ସୋନପୁର: ରାମଧୁନ କ୍ଲବ୍‌ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ପଡିଆରେ ଚାଲିଥିବା ତ୍ରୟୋଦଶ ରାଜ୍ୟସ୍ତରୀୟ ରବି ଓ ଅନାଦି ସ୍ମାରକୀ ଫୁଟ୍‌ବଲ ପ୍ରତି‌ଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ରେ ବରଗଡ଼ର ୟୁନାଇଟେଡ ସ୍ପୋର୍ଟିଂକୁ ୪-୨ ପେନାଲ୍‌ଟି ସୁଟ୍‌ଆଉଟ୍‌ ଗୋଲ୍‌ରେ ପରାସ୍ତ କରି କଟକ କ୍ରୀଡା ଛାତ୍ରାବାସ ବିଜେତା ଆଖ୍ୟା ହାତେଇଛି। ୨୦ ମିନିଟରେ ବରଗଡ ଦଳର ବିର୍ସା ମୁଣ୍ଡା ଗୋଟିଏ ଗୋଲ ଦେଇଥିବା ବେଳେ ୭୫ ମିନିଟରେ ଛାତ୍ରାବାସ ଦଳର ଜୟସିଂହ ଗାଗାରିଆ ଗୋଲ୍‌ଟି ଶୁଝି ଦେଇ ସ୍ଥିତି ସମାନ କରିଥିଲେ। ନିର୍ଧାରିତ ସମୟ ୧-୧ ଗୋଲ୍‌ରେ ଅମିମାଂସିତ ରହିବାରୁ ସୁଟଆଉଟ ଖେଳା ଯାଇଥିଲା। ଏଥିରେ କ୍ରୀଡା ଛାତ୍ରାବାସ ଦଳ ୪-୨ ଗୋଲ୍‌ରେ ବିଜୟୀ ହୋଇଥିଲା। ଫାଇନାଲ୍‌ ମ୍ୟାଚ୍‌କୁ ସଞ୍ଜୀବ ସାହୁ, ଦିଲ୍ଲୀପ ରାଉତ, ଦେବାଶିଷ ବାଘ, ସଲିଲ ବେହେରା ପରିଚାଳନା କରିଥିବା ବେଳେ ଧାରା ବିବରଣୀ ପ୍ରଦାନ କରିଥିଲେ ସୁବାସ ବିଶ୍ବାଳ, ମନୋରଞ୍ଜନ ତ୍ରିପାଠୀ ଓ ହିରଣ୍ୟମୟ ପଟ୍ଟନାୟକ। ବିଜେତା ଦଳର ଜୟସିଂହ ଗାଗାରିଆ ଉଭୟ ଫାଇନାଲ୍‌ ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସେହିପରି ବିଜେତା ଦଳର ଫଗୁ ବାସକେ ଶ୍ରେଷ୍ଠ ଗୋଲ୍‌ରକ୍ଷକ ଏବଂ ବରଗଡ ଦଳର ମୁକେଶ ଭୋଇ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ବିବେଚିତ ହୋଇଥିଲେ। ଉଦଯାପନୀ ଉତ୍ସବରେ ଜଳସମ୍ପଦ ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର