ପୁଣି ପ୍ଲାଟ୍‌ଫର୍ମକୁ ଫେରିବାକୁ ରବି ଆଶାବାଦୀ

ବ୍ରହ୍ମପୁର: ବ୍ରହ୍ମପୁରର ସୁନାପୁଅ ଭାବେ ପରିଚିତ ତଥା ଅର୍ଜୁନ ପୁରସ୍କାରପ୍ରାପ୍ତ ଭାରୋତ୍ତୋଳକ କେ. ରବି କୁମାରଙ୍କୁ ଲାଗିଛି ଗ୍ରହଣ। ନିଷେଧ ଔଷଧ ସେବନ କରି ଡୋପ୍‌ ‌ଟେଷ୍ଟ୍‌ରେ ବିଫଳ ହୋଇଥିବା ଜଣାପଡ଼ିଛି, ତାହା ପୁଣି ଦେବସ୍ନାନ ପୂର୍ଣ୍ଣିମାରେ। ସର୍ବଦା ଡୋପ୍‌ରୁ ଦୂରେଇ ରହିବା ପାଇଁ ଯିଏ ନୂଆ ପିଢ଼ିକୁ ପରାମର୍ଶ ଦେଇ ଆସୁଥିଲେ ଏବେ ସେ ନିଜେ ସେଥିରେ ଧରାପଡ଼ି ବାସନ୍ଦ ହୋଇଛନ୍ତି। ଏନେଇ ନେଇ ଗତକାଲି ନାଡା (ନ୍ୟାସନାଲ୍‌ ଆଣ୍ଟି ଡୋପିଂ ଏଜେନ୍ସି) ପକ୍ଷରୁ ତ‌ା’ର ୱେବ୍‌ସାଇଟ୍‌ରେ ପ୍ରକାଶ ପାଇଛି। ଏହାକୁ ନେଇ ସହରର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ନିରାଶା ଦେଖାଦେଇଛି।
ଗତ ଫେବ୍ରୁଆରି ୨୬ରେ ଆନ୍ଧ୍ରର ବିଶାଖାପାଟଣାରେ ଅନୁ‌ଷ୍ଠିତ ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରବି କୁମାର ୮୯ କେଜି ବର୍ଗରେ ମୋଟ ୩୪୨ କେଜି (୧୫୦ କେଜି + ୧୯୨ କେଜି) ଭାରୋତ୍ତୋଳନ କରି ସ୍ବର୍ଣ୍ଣପଦକ ହାସଲ କରିବା ସହ ଜାତୀୟ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ତେବେ ଏହି ସମୟରେ ଡୋପ୍‌ ଟେଷ୍ଟ ପାଇଁ ତାଙ୍କ ମୂତ୍ର ନମୁନା ସଂଗ୍ରହ କରାଯାଇଥିଲା। ଏହାର ଏ-ନମୁନା ପରୀକ୍ଷା ପରେ ସେ ନାଡା (ନ୍ୟାସନାଲ୍ ଆଣ୍ଟି ଡୋପିଂ ଏଜେନ୍ସି) ଦ୍ବାରା ନିଷେଧ କରାଯାଇଥିବା ଏକ ଦ୍ରବ୍ୟ ‘ସେରମ୍‌’ ଠାବ ହୋଇଥିଲା। ଏ ସମ୍ପର୍କରେ ଅବଗତ ହେଲାପରେ ରବି କୁମାର ‘ବି’ ନମୁନା ପରୀକ୍ଷାକୁ ଅଗ୍ରାହ୍ୟ କରି ଦେଇଥିଲେ। ଫଳରେ ଗତକାଲି ନାଡା ପକ୍ଷରୁ ତାଙ୍କ ଉପରେ ସାମୟିକ ବାସନ୍ଦ ଆଦେଶ ଜାରି ହୋଇଛି।
ଏ ସମ୍ପର୍କରେ ରବି କୁମାରଙ୍କ ପ୍ରତିକ୍ରିୟା ନେବାରୁ ସେ କହିଥିଲେ, ଶକ୍ତିବର୍ଦ୍ଧକ ଭାବେ ନୁହେଁ ‌ସପ୍ଲିମେଣ୍ଟ ଭାବେ ‘ସେରମ୍‌’ ବ୍ୟବହାର କରୁଥିଲେ। ପୂର୍ବରୁ ଏହାକୁ ସେବନ କରିବା ନିଷେଧ ନଥିଲା। କିନ୍ତୁ ଚଳିତବର୍ଷ ଜାନୁଆରିରେ ନାଡ଼ା ପକ୍ଷରୁ ‘ସେରମ୍‌’ ବ୍ୟବହାର ଉପରେ ନିଷେଧାଦେଶ ଜାରି ହୋଇଥିଲା। ଏହା ଜାଣିବା ପୂର୍ବରୁ ସେ ସେହି ମାସରେ ‘ସେରମ୍‌’ ସେବନ କରିଥିଲେ। ଏହା ପରେ ସେ ଉକ୍ତ ସପ୍ଲିମେଣ୍ଟ (ସେରମ୍‌)ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିଥିଲେ। ସେହି ନିଷେଧ ଦ୍ରବ୍ୟର ଉପସ୍ଥିତି ଶରୀରରେ କେତେ ଦିନ ଯାଏଁ ରହେ ତାହା ତାଙ୍କୁ ଅଜଣା ଥିଲା। ଫଳରେ ପ୍ରାୟ ମାସେ ପରେ ପ୍ରତିଯୋଗିତାରେ ହୋଇଥିବା ଡୋପ୍‌ ‌ଟେଷ୍ଟରେ ସେ ବିଫଳ ହେଲେ। ସେଥିପାଇଁ ‘ବି’ ନମୁନା ପରୀକ୍ଷାକୁ ସେ ମନା କରି ଦେଇଛନ୍ତି। ତେବେ ସେ ଜାଣିଶୁଣି ଖେଳକୁ ପ୍ରଭାବିତ କରିବା ପାଇଁ ଏଭଳି ଭୁଲ କରିନାହାନ୍ତି। ତେଣୁ ତାଙ୍କ ବିରୋଧରେ କୋହଳ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ‘ନାଡା’ ନିକଟରେ ନିବେଦନ କରିବେ। ଆବଶ୍ୟକ ହେଲେ ଆଇନ୍‌ର ଆଶ୍ରୟ ନେବେ ବୋଲି ପ୍ରକାଶ କରିଛନ୍ତି। ପୁଣିଥରେ ପ୍ଲାଟଫର୍ମକୁ ଓହ୍ଲାଇ ରାଜ୍ୟ ତଥା ଦେଶ ପାଇଁ ପଦକ ଜିତିବା ପରେ ଯାଇ ସେ କ୍ରୀଡ଼ାରୁ ସନ୍ୟାସ ନେବେ ବୋଲି ମଧ୍ୟ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର