ଡୋପ୍‌ ଟେଷ୍ଟରେ ବିଫଳ, ରବି କୁମାର ୪ ବର୍ଷ ବାସନ୍ଦ

ବ୍ରହ୍ମପୁର: ଡୋପ୍‌ ଟେଷ୍ଟରେ ବିଫଳ ହେବାରୁ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ଭାରୋତ୍ତୋଳକ କେ ରବି କୁମାରଙ୍କୁ ନାଡା (ନ୍ୟାସନାଲ୍‌ ଆଣ୍ଟି ଡୋପିଂ ଏଜେନସି) ପକ୍ଷରୁ ୪ ବର୍ଷ ବାସନ୍ଦ କରାଯାଇଛି। ଫଳରେ ରବିଙ୍କ ୨୦୨୦ ଟୋକିଓ ଅଲିମ୍ପିକ୍‌ ସ୍ବପ୍ନ ଧୂଳିସାତ୍ ହୋଇଛି। ପ୍ଲାଟ୍‌ଫର୍ମକୁ ଓହ୍ଲାଇବା ପାଇଁ ତାଙ୍କୁ ଆହୁରି ତିନିଟି କ୍ରୀଡ଼ା ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ତଥାପି ହାର୍‌ ମାନିନାହାନ୍ତି ସେ। ଏବେ ବି ସେ ଅଭ୍ୟାସ ଜାରି ରଖିଛନ୍ତି। ଅଜାଣତରେ ତାଙ୍କ ଦ୍ବାରା ହୋଇଥିବା ଭୁଲକୁ ସ୍ବୀକାର କରିବା ସହ ଏଥିପାଇଁ ହୋଇଥିବା ବାସନ୍ଦ ଆଦେଶକୁ କୋହଳ କରିବାକୁ ସେ ନାଡା କୋର୍ଟରେ ଆବେଦନ କରିଥିବା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।

ଅର୍ଜୁନ ପୁରସ୍କାରପ୍ରାପ୍ତ ଭାରୋତ୍ତୋଳକ କେ ରବି କୁମାର ଚଳିତ ବର୍ଷ ଫେବ୍ରୁଆରିରେ ଆନ୍ଧ୍ରର ବିଶାଖାପାଟଣାରେ ଅନୁ‌ଷ୍ଠିତ ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସେହି ମାସ ୨୬ରେ ରବି କୁମାର ୮୯ କେଜି ବର୍ଗରେ ମୋଟ ୩୪୨ ‌କେଜି (୧୫୦ +୧୯୨) ଭାରୋତ୍ତୋଳନ କରି ସ୍ବର୍ଣ୍ଣ ପଦକ ହାସଲ କରିବା ସହ ଜାତୀୟ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ଏହି ସମୟରେ ଡୋପ୍‌ ଟେଷ୍ଟ ପାଇଁ ତାଙ୍କ ମୁତ୍ର ନମୁନା ସଂଗ୍ରହ କରାଯାଇଥିଲା। ଏହାର ଏ-ନମୁନା ପରୀକ୍ଷା ବେଳେ ସେଥିରେ ନାଡା (ନ୍ୟାସନାଲ୍ ଆଣ୍ଟି ଡୋପିଂ ଏଜେନ୍ସି) ଦ୍ବାରା ନିଷେଧ କରାଯାଇଥିବା ‘ସେରମ୍‌କ୍’ ଚିହ୍ନଟ କରାଯାଇଥିଲା। ପଞ୍ଜାବର ପଟିଆଲା ସ୍ଥିତ ଜାତୀୟ ଭାରୋତ୍ତୋଳନ ପ୍ରଶିକ୍ଷଣ ଶିବିରରେ ତାଲିମ୍‌ ନେଉଥିବା ବେଳେ ଏସମ୍ପର୍କରେ ତାଙ୍କୁ ଅବଗତ କରାଯାଇଥିଲା। ତେଣୁ ସେ ଶିବିର ଛାଡ଼ି ଚାଲି ଆସିଥିଲେ। ‘ବି’ ନମୁନା ପରୀକ୍ଷାକୁ ଅଗ୍ରାହ୍ୟ କରିବାରୁ ଗତ ଜୁନ୍‌ ମାସରୁ ତାଙ୍କ ଉପରେ ନାଡ଼ା ପକ୍ଷରୁ ସାମୟିକ ବାସନ୍ଦାଦେଶ ଜାରି ହୋଇଥିଲା। ସେତେବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ଶକ୍ତିବର୍ଦ୍ଧକ ଭାବେ ନୁହେଁ ‌ସପ୍ଲିମେଣ୍ଟ ଭାବେ ‘ସେରମ୍‌’ ବ୍ୟବହାର କରୁଥିଲେ। ପୂର୍ବରୁ ଏହାକୁ ସେବନ କରିବା ନିଷେଧ ନଥିଲା। କିନ୍ତୁ ଚଳିତବର୍ଷ ଜାନୁଆରିରେ ନାଡ଼ା ପକ୍ଷରୁ ‘ସେରମ୍‌’ ବ୍ୟବହାର ଉପରେ ନିଷେଧାଦେଶ ଜାରି ହୋଇଥିଲା। ଏହା ଜାଣିବା ପୂର୍ବରୁ ସେ ସେହି ମାସରେ ‘ସେରମ୍‌’ ସେବନ କରିଥିଲେ। ଏହାପରେ ସେ ଉକ୍ତ ସପ୍ଲିମେଣ୍ଟ (ସେରମ୍‌) ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିଥିଲେ। ସେହି ନିଷିଦ୍ଧ ଶକ୍ତିବର୍ଧକର ଉପସ୍ଥିତି ଶରୀରରେ କେତେ ଦିନ ଯାଏଁ ରହେ ତାହା ତାଙ୍କୁ ଅଜଣା ଥିଲା। ଫଳରେ ପ୍ରାୟ ମାସେ ପରେ ପ୍ରତିଯୋଗିତାରେ ହୋଇଥିବା ଡୋପ୍‌ ‌ଟେଷ୍ଟ୍‌ରେ ସେ ବିଫଳ ହେଲେ। ସେଥିପାଇଁ ‘ବି’ ନମୁନା ପରୀକ୍ଷାକୁ ସେ ମନା କରି ଦେଇଥିଲେ। ତେବେ ସେ ଜାଣିଶୁଣି ଖେଳକୁ ପ୍ରଭାବିତ କରିବା ପାଇଁ ଏଭଳି ଭୁଲ କରିନାହାନ୍ତି। ଏହାପରେ ସେ ନାଡ଼ାର ଶୃଙ୍ଖଳା ସମିତି ନିକଟରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ। କିନ୍ତୁ ଏହାର କିଛି ସୁଫଳ ମିଳିନାହିଁ। ତେବେ ନାଡ଼ା କୋର୍ଟ ଉପରେ ସେ ଭରସା ରଖିଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର