ରବି ନାରାୟଣ ବିଜେତା

ଆଇଟା-ଓଟିଏ ଗୁରୁକୁଳ ଟିଏସ୍‌

ଭୁବନେଶ୍ୱର/ମେଣ୍ଢାଶାଳ: ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟ ଟେନିସ କମ୍ପ୍ଲେକ୍ସରେ ଚାଲିଥିବା ଗୁରୁକୁଳ ଆଇଟା-ଓଟିଏ ଟ୍ୟାଲେଣ୍ଟ୍‌ ସିରିଜ୍‌ (ଟିଏସ୍‌)ରେ ଓଡ଼ିଶା ଖେଳାଳି ଉଭୟ ଏକକ ଓ ଯୁଗଳ ବର୍ଗରେ ବିଜେତା ହୋଇ ରାଜ୍ୟ ପାଇଁ ଦ୍ୱିମୁକୁଟ ଅର୍ଜନ କରିଛନ୍ତି। ଗୁରୁବାର ଦେବାଶିଷ ସାହୁ ଓ କମଲେଶ ରଥ ୧୪ ବର୍ଷରୁ କମ୍‌ ବାଳକ ଯୁଗଳ ଫାଇନାଲ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ବେଙ୍ଗଲ ସାଥୀ ବୟମ୍‌ କୃଷ୍ଣ ଓ ସାଗ୍ନିକ୍‌ ବୋଷ୍‌ଙ୍କୁ ୬-୨, ୩-୬, ୧୦-୮ ସେଟ୍‌ରେ ପରାସ୍ତ କରି ବିଜେତା ହୋଇଥିଲେ। ଶୁକ୍ରବାର ଏକକ ଫାଇନାଲ୍‌ରେ ଅଣମାନ୍ୟତାପ୍ରାପ୍ତ ଓଡ଼ିଆ ଖେଳାଳି ରବି ନାରାୟଣ ସାହୁ  ତୃତୀୟ ମାନ୍ୟତାପ୍ରାପ୍ତ ବେଙ୍ଗଲ୍‌ ଖେଳାଳି ବୟମ କୃଷ୍ଣଙ୍କୁ ୬-୨, ୬-୧ରେ ସିଧାସଳଖ ଭାବେ ପରାସ୍ତ କରି ବିଜେତା ମୁକୁଟ ହାତେଇ ନେଇଥିଲେ। ଏଥି ସହ ରବିନାରାୟଣ ନିଜର ପ୍ରଥମ ଆଇଟା ଏକକ ଟ୍ରଫି ଏବଂ ୧୫ ଆଇଟା ପଏଣ୍ଟ୍‌ ପକେଟସ୍ଥ କରିଛନ୍ତି। ଗୁରୁବାର ସେମିଫାଇନାଲ୍‌ରେ ରବିନାରାୟଣ ଶୀର୍ଷ ମାନ୍ୟତା ତଥା ନିଜ ଯୁଗଳ ସାଥୀ ଦେବାଶିଷ ସାହୁଙ୍କୁ ୬-୩, ୬-୪ ସେଟ୍‌ରେ ହରାଇ ଫାଇନାଲ୍‌ ଆସିଥିଲେ। ଶୁକ୍ରବାର ପ୍ରତିଯୋଗିତା ନିର୍ଦେଶକ ଡାକ୍ଟର ପି କେ ପ୍ରଧାନ ମୁଖ୍ୟ ଅତିଥି ଭାବେ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେଫରି ଜତିନ ବତ୍ସ୍ୟ, ଓଟିଏ ପ୍ରବଂଧକ ପ୍ରକାଶ ପଟ୍ଟନାୟକ ଏବଂ ଗୁରୁକୁଳ ଟେନିସ୍‌ ଏକାଡେମିର ନିର୍ଦେଶକ ସନ୍ତୋଷ କୁମାର ମଲ୍ଲିକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର