ଆଇସିସି ଏଲିଟ୍‌ ପ୍ୟାନେଲରୁ ବାଦ୍‌ ପଡ଼ିଲେ ରବି

ଦୁବାଇ: ଆଇସିସି ଏଲିଟ୍‌ ପ୍ୟାନେଲରୁ ଭାରତୀୟ ଅମ୍ପାୟାର ରବି ସୁନ୍ଦରମ୍‌ ଏବଂ ଅବସରପ୍ରାପ୍ତ ଇଂଲଣ୍ଡ ଅମ୍ପାୟାର ଇଆନ୍‌ ଗୁଲ୍‌ଡ ବାଦ୍‌ ପଡ଼ିଛନ୍ତି। ଗତ ୧୨ ମାସ ଧରି ପ୍ରଦର୍ଶନର ସମୀକ୍ଷାକୁ ଭିତ୍ତି କରି ଆଇସିସି ଏଭଳି ନିଷ୍ପତ୍ତି ନେଇଛି। ଏହି ଦୁଇ ଜଣଙ୍କ ବଦଳରେ ଇଂଲଣ୍ଡର ମାଇ‌କେଲ୍‌ ଗଗ୍‌ ଓ ୱେଷ୍ଟଇଣ୍ଡିଜ୍‌ର ଜୋଏଲ୍‌ ୱିଲ୍‌ସନ୍‌ଙ୍କୁ ନୂଆ କରି ୨୦୧୯-୨୦ ଋତୁ ପାଇଁ ଏମିରେଟ୍‌ସ ଆଇସି ଅମ୍ପାୟାର ପ୍ୟାନେଲରେ ସାମିଲ କରାଯାଇଛି। ଆଇସିସି ମହାପ୍ରବନ୍ଧକ (କ୍ରିକେଟ୍‌) ଜିଓଫ୍‌ ଆଲାରଡିସ୍‌, ପୂର୍ବତନ ଖେଳାଳି ତଥା ଏବର ଭାଷ୍ୟକାର ସଞ୍ଜୟ ମଞ୍ଜରେକର ଏବଂ ମ୍ୟାଚ୍‌ ରେଫରି ରଞ୍ଜନ ମଦୁଗା‌‌ଲେ ଓ ଡେଭିଡ୍‌ ବୁନ୍‌ଙ୍କୁ ନେଇ ଗଠିତ ମନୋନୟନ କମିଟି ଉଭୟ ଗଗ୍‌ ଓ ୱିଲ୍‌ସନ୍‌ଙ୍କୁ ପଦୋନ୍ନତି ଦେଇଛି। ଉଭୟ ଆନ୍ତର୍ଜାତିକସ୍ତରରେ ‌ଯଥେଷ୍ଟ ଅଭିଜ୍ଞତା ସାଉଁଟିଥିବା ଅନୁଭବ କରିବା ପରେ କମିଟି ସେମାନଙ୍କୁ ଆଇସିସି ପ୍ୟାନେଲରେ ସାମିଲ କରିଛି। ଆନ୍ତର୍ଜାତିକସ୍ତରରେ ଗଗ୍‌ ୯ ଟେଷ୍ଟ୍‌ ୫୯ ଦିନିକିଆ ଓ ୧୪ ଟ୍ବେଣ୍ଟି-୨୦ ମ୍ୟାଚ୍‌ ପରିଚାଳନା କରିଥିଲା ବେଳେ ୱିଲ୍‌ସନ୍‌ ୧୩ ଟେଷ୍ଟ୍‌, ୬୩ ଦିନିକିଆ ଓ ୨୬ ଟ୍ବେଣ୍ଟି-୨୦ ମ୍ୟାଚ୍‌ ପରିଚାଳନା କରିଛନ୍ତି। ନୂଆ ସାମିଲ ହୋଇଥିବା ଗଗ୍‌ ଓ ୱିଲ୍‌ସନ୍‌ଙ୍କ ବ୍ୟତୀତ ଏମିରେଟ୍‌ସ ଆଇସିସି ଏଲିଟ୍‌ ପ୍ୟାନେଲ୍‌ ଅମ୍ପାୟାରରେ ଭାବେ ଅଲିମ ଦାର, କୁମାର ଧର୍ମସେନା, ମାରିଅସ୍‌ ଏରାସ୍‌ମସ୍‌, କ୍ରିସ୍‌ ଗାଫାନି, ରିଚାର୍ଡ ଇଲିଂୱର୍ଥ, ରିଚାର୍ଡ କେଟେଲବରୋ, ନିଗେଲ୍‌ ଲଙ୍ଗ୍‌, ବ୍ରୁସ୍‌ ଅକ୍ସେନଫୋର୍ଡ, ପଲ୍‌ ରିଫେଲ ଏବଂ ରଡ୍‌ ଟକେର୍‌ ନିଜ ନିଜ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ଏମିରେଟ୍‌ସ ଏଲିଟ୍‌ ପ୍ୟାନେଲ ମ୍ୟାଚ୍‌ ରେଫରି ଡେଭିଡ୍‌ ବୁନ୍‌, କ୍ରିସ୍‌ ବ୍ରଡ୍‌, ଜେଫ୍‌ କ୍ରୋ, ରଞ୍ଜନ ମଦୁଗାଲେ, ଆଣ୍ଡି ପାଇକ୍ରଫ୍ଟ, ରିଜି ରିଚାର୍ଡସନ୍‌ ଏବଂ ଜଭାଗଲ ଶ୍ରୀନାଥ ୭ ଜଣିଆ ତାଲିକାରେ ଅପରିବର୍ତିତ ରହିଛନ୍ତି।

ସମ୍ବନ୍ଧିତ ଖବର