ନୂଆଦିଲ୍ଲୀ : କରୋନା ମହାମାରୀ ବିରୋଧୀ ଲଢେଇରେ ଜନସାଧାରଣ ଖେଳୁଆଡ଼ ମନୋଭାବର ପରିପ୍ରକାଶ କରି ଅନ୍ୟମାନଙ୍କୁ ଏହାର ନିରାକରଣ ଓ ସଚେତନତା ନେଇ ଶିକ୍ଷା ଦେବା ପାଇଁ ଭାରତୀୟ କ୍ରିକେଟ୍ ଦଳର ପ୍ରଶିକ୍ଷକ ରବି ଶାସ୍ତ୍ରୀ ଆହ୍ବାନ କରିଛନ୍ତି। ଏପରକି ଦେଶବାସୀଙ୍କ ଏହି ଲଢ଼େଇକୁ ‘ସମସ୍ତ ବିଶ୍ବକପ୍ର ମା' ଭାବେ ଶାସ୍ତ୍ରୀ ବର୍ଣ୍ଣନା କରିଛନ୍ତି। ଏହି ଯୁଦ୍ଧ ବିଶ୍ବକପ୍ରେ ବିଜୟୀ ହେବା ପାଇଁ ହେଉଥିବା ଲଢେଇ ସଦୃଶ, ଯାହାକୁ ଜିତିବା ପାଇଁ ଆମେ ସବୁକିଛି ଅର୍ପଣ କରିଦେଉଛେ। ଏହା କୌଣସି ସାଧାରଣ ବିଶ୍ବକପ୍ ଭଳି ନୁହେଁ ଯେ, ଯେଉଁଥିରେ କେବଳ ୧୧ଜଣ ଖେଳାଳି ଖେଳିଥାନ୍ତି। ବରଂ ଏଠାରେ ୧୪୦ କୋଟି ଲୋକ ଏହି ଲଢେଇରେ ସଫଳ ହେବା ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି। ତେଣୁ ଆସନ୍ତୁ ସମସ୍ତେ ମିଳିତ ଭାବେ ଲଢିବା ଓ ଏକାଠି ହୋଇ ମାନବିକତାର ବିଶ୍ବକପ୍କୁ ହାସଲ କରି କରୋନାକୁ ପରାସ୍ତ କରିବାକୁ ଶାସ୍ତ୍ରୀ ଆହ୍ବାନ ଦେଇଛନ୍ତି।
ଏପରିକି ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକୁ ପ୍ରଶଂସା କରିଥିଲାବେଳେ ସେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ନେତୃତ୍ବ ନେଉଥିବା କହିଛନ୍ତି। କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି, ଏହି ସମୟରେ କେନ୍ଦ୍ର, ରାଜ୍ୟ କିମ୍ବା ବ୍ୟକ୍ତିସ୍ତରର ନେତୃତ୍ବମାନଙ୍କର ନିର୍ଦ୍ଦେଶକୁ ସମସ୍ତେ ପାଳନ କରିବା ଉଚିତ୍। ତେଣୁ ଏସମୟରେ ଘରେ ରହିବା ଓ ସାମାଜିକ ଦୂରତ୍ବ ଅବଲମ୍ବନ କରିବା ଉପରେ ସମସ୍ତେ ଧ୍ୟାନ ଦେବା ଦରକାର। ଯଦିଓ ବିଜୟୀ ହେବା ପାଇଁ ଏହା ସହଜ ନୁହେଁ ଏବଂ ଅନେକ କଷ୍ଟ ଦେଇ ଗତି କରିବାକୁ ପଡ଼ିବ। ତଥାପି ଏହି ଶୃଙ୍ଖଳାକୁ ଭାଙ୍ଗିବାକୁ ଉକ୍ତ ଦୁଇ ନିୟମକୁ ପାଳନ କରିବା ଜରୁରୀ ବୋଲି ଶାସ୍ତ୍ରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/sastri.jpg)
