ନୂଆଦିଲ୍ଲୀରେ ରବି ଉଦୟ ସ୍ୱର୍ଣ୍ଣ ବିଜେତା ଓଡ଼ିଆ

ଭୁବନେଶ୍ୱର: ୧୯୩୦ ମସିହାରୁ ଆରମ୍ଭ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଓଡ଼ିଆ ଖେଳାଳିମାନେ ମଧ୍ୟ ଅନେକ ବାର ନିଜ ଛାପ ଛାଡ଼ିଛନ୍ତି। ହକିରେ ଜ୍ୟୋତି ସୁନିତା କୁଲୁ ଏବଂ ଭାରୋତ୍ତୋଳନରେ ରବି କୁମାରଙ୍କ ଭଳି ଖେଳାଳି ସ୍ୱର୍ଣ୍ଣ ପଦକ ଜିତି ସମଗ୍ର ରାଜ୍ୟକୁ ଗୌରବାନ୍ଵିତ କରିଛନ୍ତି। ରବି ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ନୂଆ ନାୟକ ଭାବେ ଉଭା ହୋଇ ଆୟୋଜକ ଭାରତକୁ ସ୍ୱର୍ଣ୍ଣିମ ସଫଳତା ଦେଇଥିଲେ। ସେହଭଳି ୪ ବର୍ଷ ପରେ ଅର୍ଥାତ୍‌ ୨୦୧୪ରେ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ରୌପ୍ୟ ପଦକ ପାଇଥିଲେ। ନୂଆଦିଲ୍ଲୀରେ ୬୯ କିଲୋଗ୍ରାମ ଓଜନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ରବି ଗ୍ଲାସ୍‌ଗୋରେ ୭୭ କିଲୋଗ୍ରାମ ଓଜନ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବା ସତ୍ତ୍ୱେ ପଦକ ବିଜେତାଙ୍କ ମଧ୍ୟରେ ସାମିଲ ରହିଥିଲେ। ୧୯୮୮ ମସିହା ମେ ୨୪ ତାରିଖରେ ଜନ୍ମ ଗ୍ରହଣ କରିଥିବା ରବିକୁମାର ବ୍ରହ୍ମପୁର ସହରରୁ ଆସି ଅଲିମ୍ପିକ୍ସ ଏବଂ ରାଜ୍ୟଗୋଷ୍ଠୀ ଭଳି ବୃହତ୍‌ ଏବଂ ବିଶ୍ୱ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ସେ ହେଉଛନ୍ତି ଓଡ଼ିଶା କ୍ରୀଡ଼ା ଜଗତର ଅନ୍ୟତମ ସଫଳ ତାରକା। ରବି ବ୍ରହ୍ମପୁରର ବୀର ହନୁମାନ କ୍ଲବ୍‌ରେ ନିଜ ଭାରୋତ୍ତୋଳନ ଜୀବନ ଆରମ୍ଭ କରିଥିଲେ। ହେଲେ ଖେଳ ଜୀବନର ପ୍ରଥମ ୭ ବର୍ଷ ସେ ସୁନ୍ଦର ସ୍ୱାସ୍ଥ୍ୟ ବା ବଡିବିଲ୍ଡିଂରେ ଅଧିକ ଧ୍ୟାନ ଦେଇଥିଲେ। ପ୍ରଶିକ୍ଷକ ନାରାୟଣ ସାହୁଙ୍କ ପରାମର୍ଶକ୍ରମେ ରବି ପରେ ଭାରୋତ୍ତୋଳନରେ ମନୋନିବେଶ କରିଥିଲେ। ଏପରିକି ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମାତ୍ର ୩ ବର୍ଷ ପୂର୍ବରୁ ଭାରୋତ୍ତୋଳନ କରିବା ଆରମ୍ଭ କରି ରବି ଆଶ୍ଚର୍ଯ୍ୟଜନକ ଭାବେ ସ୍ୱର୍ଣ୍ଣିମ ସଫଳତା ପାଇଥିଲେ। ମୋଟ ଉପରେ ୩୨୧ କିଲୋଗ୍ରାମ ଓଜନ ଉଠାଇ ସେ ଭାରତକୁ ସ୍ୱର୍ଣ୍ଣ ପଦକ ଉପହାର ଦେଇଥିଲେ। ଖୁବ ଅଳ୍ପ ସମୟ ମଧ୍ୟରେ ରବି ନିଜ ଓଜନ ବର୍ଗରେ ଭାରତର ଶ୍ରେଷ୍ଠ ଭାରୋତ୍ତେଳକ ପାଲଟି ଯାଇଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ସହ ୨୦୦୯ ମସିହାରେ ମାଲେସିଆର ପେନାଙ୍ଗଠାରେ ଆୟୋଜିତ ରାଜ୍ୟଗୋଷ୍ଠୀ ପ୍ରତିଯୋଗିତାରେ ସେ ୬୯ କିଲୋଗ୍ରାମ ଓଜନ ବର୍ଗରେ ଖେଳି ତିନିଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ମଧ୍ୟ ରବି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ହେଲେ ପଦକ ଜିତିବାକୁ ସକ୍ଷମ ହୋଇ ନଥିଲେ। ସଂପ୍ରତି ସେ ଓଡ଼ିଶା ପୁଲିସରେ ଡିଏସ୍‌ପି ଭାବେ କାର୍ଯ୍ୟ କରୁଛନ୍ତି। ୨୦୦୯-୧୦ରେ ଏକଲବ୍ୟ ପୁରସ୍କାର, ୨୦୧୧ରେ ସମ୍ମାନଜନକ ଅର୍ଜୁନ ପୁରସ୍କାର, ସେହିବର୍ଷ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଭାବେ ବିଜୁ ପଟ୍ଟନାୟକ ପୁରସ୍କାର ପାଇଥିଲେ।

ରାଜ୍ୟଗୋଷ୍ଠୀ ସଫଳତା ରବିଙ୍କ ଖେଳ ଜୀବନର ସବୁଠାରୁ ଜାଜ୍ଜୁଲ୍ୟମାନ ଅଧ୍ୟାୟ। ଏହା ରବି ନିଜେ ମଧ୍ୟ ସ୍ୱୀକାର କରନ୍ତି। ସେ କହିଛନ୍ତି ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରତ ପାଇଁ ଏକ ବଡ଼ ସଫଳତା ଥିଲା। ବ୍ୟକ୍ତିଗତ ଭାବେ ମୋ ଖେଳ ଜୀବନର ଏହା ଏକ ଟର୍ନିଂ ପଏଣ୍ଟ ଥିଲା। ଘରୋଇ ପରିବେଶ ଓ ଘରୋଇ ସମର୍ଥକଙ୍କ ଗହଣରେ ଆମ ଆତ୍ମବିଶ୍ୱାସ ଢେର ଉଚ୍ଚରେ ଥିଲା। ସେଥିପାଇଁ ସେହି ସ୍ୱର୍ଣ୍ଣ ମୋ ପାଇଁ ସ୍ୱତନ୍ତ୍ର ଥିଲା। ୨୦୧୪ ରୌପ୍ୟ ପଦକ ମଧ୍ୟ ମୋତେ ଢେର ଆତ୍ମସନ୍ତୋଷ ଦେଇଥିଲା। ଅସ୍ତ୍ରୋପଚାର ପରେ ମୁଁ ପୁଣି ଭାରୋତ୍ତୋଳନକୁ ଫେରିଥିଲି। ଓଜନ ବର୍ଗ ବି ବଦଳାଇ ଦେଇଥିଲି। ପ୍ରସ୍ତୁତିରେ ଟିକିଏ ଅସୁବିଧା ପାଇଁ ରୌପ୍ୟ ପଦକରେ ରହି ଯାଇଥିଲି। ତଥାପି ମୁଁ ଏହାକୁ ମୋ ଜୀବନର ଏକ ସ୍ମରଣୀୟ ଅଧ୍ୟାୟ ଭାବେ ବର୍ଣ୍ଣନା କରିବି। ଚଳିତ ବର୍ଷ ମୁଁ ଦୁଇଟି ଲକ୍ଷ୍ୟ ନେଇ ଅଭ୍ୟାସ ଜାରି ରଖିଛି। ଏସୀୟ କ୍ରୀଡ଼ା ଏବଂ ବିଶ୍ୱ ପ୍ରତିଯୋଗିତାରେ ସଫଳ ପ୍ରତ୍ୟାବର୍ତନ କରିବି ବୋଲି ଆଶା ରଖିଛି। ଗୋଲ୍ଡକୋଷ୍ଟ ଯାଇଥିବା ଭାରତୀୟ ଦଳକୁ ମୁଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ଭୁବନେଶ୍ୱରରେ ରବିଙ୍କ କର୍ମକ୍ଷେତ୍ର ହୋଇଥିଲେ ମଧ୍ୟ ସଂପ୍ରତି ସେ ବ୍ରହ୍ମପୁରରେ ରହି ଅଭ୍ୟାସ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର