ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ଯୁବ କ୍ରିକେଟର ରଚିନ ରବିନ୍ଦ୍ର ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି । ଏହି ଥର ଚାମ୍ପିଅନ୍ସ ଟ୍ରଫିର ଫାଇନାଲିଷ୍ଟ କେଉଁ ୨ଟି ଟିମ୍ ହେବେ ତାହା ରଚିନ ରବିନ୍ଦ୍ର ଜଣାଇଛନ୍ତି। ଆଇସିସିକୁ ଦେଇଥିବା ଏକ ସାକ୍ଷାତକାରରେ, ନ୍ୟୁଜିଲାଣ୍ଡ କ୍ରିକେଟର ଦୁଇଟି ଦଳର ନାମ ଦେଇଛନ୍ତି ଯେଉଁମାନେ ଫାଇନାଲିଷ୍ଟ ହୋଇପାରିବେ। 

Advertisment

କ୍ରିକେଟ ପ୍ରେମୀମାନେ ଫାଇନାଲରେ ଭାରତ-ପାକିସ୍ତାନ ମୁହାଁମୁହିଁ ହୁଅନ୍ତୁ ବୋଲି ଚାହୁଥିବା ବେଳେ ରଚିନ୍ ଏହି ୨ଟି ଟିମକୁ ବାଦ୍ ଦେଇଛନ୍ତି। ନ୍ୟୁଜିଲାଣ୍ଡ ଫାଇନାଲରେ ପହଞ୍ଚିବ ବୋଲି ଦାବି କରିବା ସହ ରଚିନ ରବିନ୍ଦ୍ର ଦ୍ୱିତୀୟ ଫାଇନାଲିଷ୍ଟ ଭାବରେ ଅଷ୍ଟ୍ରେଲିଆକୁ ବାଛିଛନ୍ତି। ସେ କହିଛନ୍ତି, "ଅଷ୍ଟ୍ରେଲିଆ ଭଳି ଦଳ ମଧ୍ୟ ଖେଳୁଛି। ସେମାନଙ୍କୁ ଭୁଲିଯିବା ଉଚିତ୍ ନୁହେଁ। ମୁଁ ଭାବୁଛି ସେମାନେ ପ୍ରକୃତରେ ଏକ ଭଲ ଦଳ ଏବଂ ସେମାନେ ସମସ୍ତ ଫର୍ମାଟରେ କେତେ ଶକ୍ତିଶାଳୀ ତାହା ଦେଖାଇଛନ୍ତି। ଦିନିକିଆ ବିଶ୍ୱକପ୍ ଟାଇଟଲ ଜିତିବା ସବୁଠାରୁ ବଡ଼ ଉଦାହରଣ। ତେଣୁ ଆଶା କରୁଛି ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ଫାଇନାଲରେ ମୁହାଁମୁହିଁ ହେବେ।"

ଉଲ୍ଲେଖଯୋଗ୍ୟ, ଚାମ୍ପିଅନ୍ସ ଟ୍ରଫି ଫେବ୍ରୁଆରି ୧୯ରେ ପାକିସ୍ତାନ ଏବଂ ଦୁବାଇରେ ଆରମ୍ଭ ହେବାକୁ ଯାଉଛି। ୨୦୧୭ ପରେ ପ୍ରଥମ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ। ନ୍ୟୁଜିଲାଣ୍ଡ ଦଳ ଚାମ୍ପିଅନ୍ସ ଟ୍ରଫିରେ ଫେବ୍ରୁଆରି ୧୯ରେ ପାକିସ୍ତାନ ସହିତ ପ୍ରଥମ ମ୍ୟାଚ୍ ଖେଳିବ। ସେହିପରି, ଅଷ୍ଟ୍ରେଲିଆ ଦଳ ଫେବ୍ରୁଆରି ୨୨ରେ ଇଂଲଣ୍ଡ ବିପକ୍ଷରେ ଖେଳି ଚାମ୍ପିଅନ୍ସ ଟ୍ରଫିରେ ତା’ର ଅଭିଯାନ ଆରମ୍ଭ କରିବ। ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ମ୍ୟାଚ୍ ମାର୍ଚ୍ଚ ୯ରେ ଖେଳାଯିବ।