ସିରାଜ ଓ ବୁମ୍‌ରାଙ୍କୁ ଜାତିଆଣ ଆକ୍ଷେପ

ବିସିସିଆଇର ଆନୁଷ୍ଠାନିକ ପ୍ରତିବାଦ

ସିଡ୍‌ନି ଟେଷ୍ଟ୍‌ର ତୃତୀୟ ଦିନରେ ଏକ ଅଶୋଭନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଦର୍ଶକ ଷ୍ଟାଣ୍ଡ୍‌ରେ ବସିଥିବା କିଛି ବିଶୃଙ୍ଖଳିତ ଦର୍ଶକ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ ଯଶପ୍ରୀତ ବୁମ୍‌ରାଙ୍କୁ ଜାତିଆଣ ଅକ୍ଷେପ କରିଥିଲେ। ଯାହାକୁ ନେଇ ଭାରତୀୟ ଖେଳାଳି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଶନିବାରର ଖେଳ ଶେଷ ହେବା ପରେ ଅଧିନାୟକ ଅଜିଙ୍କ୍ୟ ରାହା‌ଣେ ଏବଂ ବରିଷ୍ଠ ଖେଳାଳି ଆର ଅଶ୍ବିନ ଏହି ବିଷୟ ପଡ଼ିଆ ଅମ୍ପାୟାର ପଲ୍ ରିଫଲ ଓ ପଲ୍ ୱିଲସନଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ଏଥିନେଇ ଅମ୍ପାୟାର ଏବଂ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଦୀର୍ଘ ସମୟ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଗତକାଲି ମଧ୍ୟ ଦଳ ଅନ୍ୟ କିଛି ଖେଳାଳିଙ୍କ ଉପଲକ୍ଷେ ଦର୍ଶକ ରଙ୍ଗଭେଦ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଥି‌ଲେ। ଏହା ପରେ ଦୁଇ ଅମ୍ପାୟାର, ଭାରତୀୟ ଖେଳାଳି ଏବଂ ସୁରକ୍ଷା ଅଧିକାରୀଙ୍କ ମଧ୍ୟରେ ଅନ୍ୟୁନ ୫ ମିନିଟ୍ ଧରି କଥାବାର୍ତ୍ତା ଚାଲିଥିଲା।

ଭାରତୀୟ ଖେଳାଳିମାନେ ଢେର ସମୟ ଡ୍ରେସିଂ ରୁମ୍ ପାଖରେ ଅଟକି ରହିଥିଲେ ଏବଂ ଭାରତୀୟ ଦଳର ସୁରକ୍ଷାକର୍ମୀ ଷ୍ଟାଡିୟମ୍ ସୁରକ୍ଷାକର୍ମୀଙ୍କ ସହ ମାମଲାକୁ ନେଇ ଚର୍ଚା କରିଥିଲେ। ଏହି ଅବସରରେ ଆଇସିସି ସୁରକ୍ଷା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏହାପରେ ଭାରତୀୟ ଦଳ ମ୍ୟାଚ୍ ରେଫରି ଡେଭିଡ୍ ବୁନଙ୍କ ପାଖରେ ଏଥିନେଇ ଆନୁଷ୍ଠାନିକ ଅଭିଯୋଗ ଦାୟର କରିଥିଲା। ଏହି ବିଷୟ ବିସିସିଆଇ ଜାଣିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କ୍ରି‌କେଟ୍ ଅଷ୍ଟ୍ରେଲିଆକୁ ଆହ୍ବାନ କରିଛି। ବୋର୍ଡ ମଧ୍ୟ ନିଜ ତରଫରୁ ଆଇସିସିକୁ ଏହି ବିଷୟରେ ଅବଗତ କରାଇଥିବା ଜଣାପଡ଼ିଛି। ବୁମ୍‌ରା ଏବଂ ସିରାଜ୍‌ କ୍ଷେତ୍ରରକ୍ଷଣ କରୁଥିଲା ବେଳେ କିଛି ମଦୁଆ ଦର୍ଶକ ସେମାନଙ୍କୁ ମାଙ୍କଡ଼ ବୋଲି ଡାକିବା ସହ ଲଗାତାର ଗାଳିଗୁଲଜ କରିଥିଲେ। ସିଡ୍‌ନି ଷ୍ଟାଡିୟମରେ ଏବେ ମାତ୍ର ୧୦୦୦୦ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିଥିବାରୁ ଦର୍ଶକମାନେ ବ୍ୟବହାର କରୁଥିବା ଅପଶବ୍ଦ ସ୍ପଷ୍ଟ ଭାବେ ସମସ୍ତଙ୍କୁ ଶୁଣାଯାଉଥିଲା। ଏହି ମାମଲାରେ କ୍ରିକେଟ୍ ଅଷ୍ଟ୍ରେଲିଆ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ବିସିସିଆଇ ଆଗାମୀ ବ୍ରିସବେନ୍‌ ଟେଷ୍ଟ୍‌କୁ ନେଇ କିଛି ବଡ଼ ନିଷ୍ପତ୍ତି ନେବାର ଯଥେଷ୍ଟ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର