ରାଡୁକାନୁ ନୂଆ ବିଜୟିନୀ: ଗ୍ରାଣ୍ଡ୍ସ୍ଲାମ୍ ଟ୍ରଫି ଜିତିବାରେ ପ୍ରଥମ କ୍ବାଲିଫାୟାର
ସାରାପୋଭାଙ୍କ ପରେ ସର୍ବକନିଷ୍ଠା, ଟେନିସ ରାଜକୁମାରୀଙ୍କୁ ବ୍ରିଟେନ୍ ରାଣୀଙ୍କ ଶୁଭେଚ୍ଛା
ନ୍ୟୁୟର୍କ: ବ୍ରିଟେନ୍ର ଈମା ରାଡ଼ୁକାନୁ ୟୁଏସ୍ ଓପନ୍ ମହିଳା ଏକକରେ ନୂଆ ବିଜୟିନୀ ହୋଇଛନ୍ତି। ଶନିବାର ଏହି ୧୮ ବର୍ଷୀୟା ଯୁବତୀ ସିଧାସଳଖ ୬-୪, ୬-୩ ସେଟ୍ରେ ୧୯ ବର୍ଷୀୟା କାନାଡ଼ାର ଲିଲା ଫର୍ଣ୍ଣାଣ୍ଡିସ୍ଙ୍କୁ ପରାସ୍ତ କରିଥିଲେ। ଏଥିସହ ରାଡ଼ୁକାନୁ ପ୍ରଥମ କ୍ବାଲିଫାୟାର (ଯୋଗ୍ୟତାପର୍ଯ୍ୟାୟରୁ ଆସିଥିବା) ଭାବେ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି କରାୟତ୍ତ କରିବାର ଗୌରବ ଅର୍ଜନ କରିଛନ୍ତି। ପୁଣି ସେ ଭିର୍ଜିନିଆ ୱାଦେ (୧୯୭୭ ୱିମ୍ବଲ୍ଡନ୍)ଙ୍କ ପରେ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ଜିତିବାରେ ପ୍ରଥମ ବ୍ରିଟିସ ମହିଳା ହୋଇଛନ୍ତି। ସେ ମଧ୍ୟ ଗ୍ରାଣ୍ଡ ସ୍ଲାମ୍ ଜିତିବାରେ ମାରିଆ ସାରାପୋଭାଙ୍କ ପରେ ସର୍ବକନିଷ୍ଠ ହୋଇଛନ୍ତି। ସାରାପୋଭା ୨୦୦୪ରେ ୧୭ ବର୍ଷ ବୟସରେ ୱିମ୍ବଲଡନ୍ ଟ୍ରଫି ଜିତିଥିଲେ।
ଦୁଇ ଅଣମାନ୍ୟତାପ୍ରାପ୍ତ ଖେଳାଳି କ୍ବାଲିଫାୟାର ରାଡ଼ୁକାନୁ (୧୫୦) ଏବଂ ଫର୍ଣ୍ଣାଣ୍ଡିସ୍ (୭୩) ଫାଇନାଲ୍ରେ ପହଞ୍ଚି ସମସ୍ତଙ୍କୁ ଚକିତ କରିଥିଲେ। ଏଥିସହ ୧୯୯୯ ପରେ ପ୍ରଥମ ଥର ଦୁଇ କିଶୋରୀଙ୍କ ମଧ୍ୟରେ ଟ୍ରଫି ଲଢ଼େଇ ହୋଇଥିଲା। ତେଣୁ ଏମାନଙ୍କ ମଧ୍ୟରୁ କିଏ ବିଜୟିନୀ ହେବ କେହି ବି ଅନୁମାନ ଲଗାଇ ପାରିନଥିଲେ। ହେଲେ ରାଡ଼ୁକାନୁ ଆଗରେ ରହି ଟ୍ରଫି ନିଜ ନାମରେ କରିଥିଲେ। ଏଠାରେ ୩ କ୍ବାଲିଫାୟାର ସହ ମୋଟ ୧୦ ମ୍ୟାଚ୍ (୨୦ ସେଟ୍) ଖେଳିଥିବା ରାଡ଼ୁକାନୁ କୌଣସି ବି ସେଟ୍ ହାରିନଥିଲେ। ଅନ୍ୟପକ୍ଷରେ ଫର୍ଣ୍ଣାଣ୍ଡିସ୍ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଆରିନା ସାବାଲେଙ୍କା, ୪ ଥରର ଗ୍ରାଣ୍ଡ ସ୍ଲାମ୍ ଓ ଗତ ଥରର ବିଜୟିନୀ ନାଓମି ଓସାକା, ପଞ୍ଚମ ମାନ୍ୟତାପ୍ରାପ୍ତ ଏଲିନା ସ୍ବିତୋଲିନା ଏବଂ ୩ ଥରର ଗ୍ରାଣ୍ଡ ସ୍ଲାମ୍ ବିଜୟିନୀ ଆଞ୍ଜେଲିକ୍ କର୍ବରଙ୍କ ଭଳି ବଡ଼ ତାରକାଙ୍କୁ ହରାଇ ଫାଇନାଲ୍ରେ ପହଞ୍ଚିଥିଲେ। କିନ୍ତୁ ବରଫ ଭଳି ଶିତଳ ନିଜଠୁ ଗୋଟିଏ ବର୍ଷ ସାନ ରାଡ଼ୁକାନୁଙ୍କ ସହ ଫାଇନାଲ୍ରେ ୧ ଘଣ୍ଟା ୫୧ ମିନିଟ୍ର ସଂଘର୍ଷ ସତ୍ତ୍ବେ ପରାଜୟ ବରଣ କରି ଉପବିଜୟିନୀରେ ସନ୍ତୁଷ୍ଟ ରହିଥିଲେ ଫର୍ଣ୍ଣାଣ୍ଡିସ୍। ଅନ୍ୟପକ୍ଷରେ ରାଡ଼ୁକାନୁ ଅଲିମ୍ପିକ୍ ବିଜୟିନୀ ବେଲିନ୍ଦା ବେନ୍ସିକ ଏବଂ ସପ୍ତଦଶ ମାନ୍ୟତାପ୍ରାପ୍ତ ମାରିଆ ସାକାରିଙ୍କୁ ହରାଇ ଫାଇନାଲ୍ ସ୍ଥାନ ପକ୍କା କରିଥିଲେ।
‘‘ମୁଁ ଭାବୁଛି ୱିମ୍ବଲଡ୍ନ୍ରୁ ଅବିଶ୍ବାସନୀୟ ଅଭିଜ୍ଞତା ପାଇଛି। ସେଠାରେ ଚତୁର୍ଥ ରାଉଣ୍ଡରେ ପହଞ୍ଚିବା ଏବଂ ଏଠାରେ ଦୁଇ ସପ୍ତାହ ଖେଳିବାକୁ ବିଶ୍ବାସ କରିପାରୁନି। ଏହି ସଫଳତା ପାଇଥିଲେ ମଧ୍ୟ ଆହୁରି ଭୋକିଲା ରହିଛି। ମୁଁ ଜାଣିଥିଲି ମୋତେ କଡ଼ା ମୁକାବିଲା କରିବାକୁ ପଡ଼ିବ। ଏହି ମ୍ୟାଚ୍ ଅବିଶ୍ୱାସନୀୟ କଷ୍ଟସାଧ୍ୟ ଥିଲା କିନ୍ତୁ ମୁଁ ଭାବିଲି ଉଚ୍ଚ ସ୍ତରରେ ରହିଛି। ମୁଁ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲି’’ ବୋଲି ବିଜୟ ପରେ ରାଡ଼ୁକାନୁ କହିଛନ୍ତି। ମୁଁ ଗର୍ବିତ ଯେ ଦୁଇ ସପ୍ତାହ ଧରି ଏଠାରେ ଖେଳିଥିଲି। ମୋର ବିଶ୍ବାସ ଥିଲା ଯେ ଫାଇନାଲ୍ ଜିତି ଟ୍ରଫି ହାସଲ କରିବି। ଦୁଇ ସପ୍ତାହ ଧରି ଆମେ ଦୁହେଁ ନିର୍ଭିକ ଭାବେ ଟେନିସ ଖେଳିଛୁ। ଖେଳରେ ବିଜୟ ପରାଜୟ ଥାଏ। ବିଶ୍ବାସ ଯେ ଆମେ ଦୁହେଁ ଆଗକୁ ଅନେକ ପ୍ରତିଯୋଗିତା ଏବଂ ଫାଇନାଲ୍ରେ ମୁହାଁମୁହିଁ ହେବୁ’’ ବୋଲି ପର୍ଣ୍ଣାଣ୍ଡିସ୍ କହିଛନ୍ତି।
ଟେନିସ ରାଜକୁମାରୀଙ୍କୁ ବ୍ରିଟେନ୍ ରାଣୀଙ୍କ ଶୁଭେଚ୍ଛା
୧୮ ବର୍ଷ ବୟସରେ ୟୁଏସ୍ ଓପନ୍ ଟ୍ରଫି ଜିତି ରାତାରାତି ଟେନିସ ରାଜକୁମାରୀ ପାଲଟିଯାଇଥିବା ରାଡ଼ୁକାନୁଙ୍କୁ ବ୍ରିଟେନ୍ ରାଣୀ ଏଲିଜାବେଥ ଶୁଭେଚ୍ଛା ଜଣାଇଛନ୍ତି। ‘‘ଏତେ କମ୍ ବୟସରେ ଏହା ଏକ ଉଲ୍ଲେଖନୀୟ ସଫଳତା। ତୁମେ କଠିନ ପରିଶ୍ରମ ଏବଂ ଅହେତୁକ ଏକାଗ୍ରତାର ପ୍ରମାଣ ଛାଡ଼ିଛ। ସେଥିପାଇଁ ତୁମକୁ ସଲାମ। ତୁମର ଏବଂ ପ୍ରତିଦ୍ବନ୍ଦ୍ବୀ ଲିଲା ଫର୍ଣ୍ଣାଣ୍ଡିସ୍ଙ୍କ ପ୍ରଦର୍ଶନରେ କୌଣସି ସନ୍ଦେହ ନାହିଁ। ତୁମେ ଆଗାମୀ ଟେନିସ ପିଢ଼ି ପାଇଁ ପ୍ରେରଣା। ତୁମକୁ ଏବଂ ତୁମର ଥିବା ଅନେକ ପ୍ରଶଂସକଙ୍କୁ ମୋର ଶୁଭେଚ୍ଛା’’ ବୋଲି ରାଣୀ ଏଲିଜାବେଥ ‘ଦ ରୟାଲ ଫାମିଲି’ ଟ୍ବିଟର୍ ପୃଷ୍ଠାରେ ଲେଖିଛନ୍ତି। ରାଣୀଙ୍କ ସହ ବ୍ରିଟିସ୍ ରାଜପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ରାଡ଼ୁକାନୁଙ୍କୁ ୟୁଏସ୍ ଓପନ୍ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ‘‘ଚମତ୍କାର ପ୍ରଦର୍ଶନ ଏବଂ ଗ୍ରାଣ୍ଡ ସ୍ଲାମ୍ ବିଜୟ ପାଇଁ ଅନେକ ଶୁଭେଚ୍ଛା ରାଡ଼ୁକାନୁ। ତୁମ ପାଇଁ ଆମେ ଗର୍ବିତ।’’ ବୋଲି ପ୍ରିନ୍ସ ୱିଲିୟମ ଓ ତାଙ୍କ ପତ୍ନୀ କାଥେରିନା ଟ୍ବିଟରରେ ଲେଖିଛନ୍ତି। ‘‘ୟୁଏସ୍ ଓପନ୍ ବିଜୟ ପାଇଁ ଶୁଭେଚ୍ଛା। କି ଚମତ୍କାର ସଫଳତା! ଆମେ ତୁମ ପାଇଁ ଗର୍ବିତ’’ ବୋଲି ପ୍ରିନ୍ସ ଚାଲର୍ସ ଓ ତାଙ୍କ ପତ୍ନୀ କାମିଲା ଟ୍ବିଟର୍ରେ ପ୍ରକାଶ କରିଛନ୍ତି। ଏମାନଙ୍କ ସହ ବ୍ରିଟିସ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍, ମହିଳା ଟେନିସ କିଂବଦନ୍ତି ବିଲି ଜିନ୍ କିଙ୍ଗ୍, ମାଟ୍ରିନା ନାଭ୍ରାତିଲୋଭା ପ୍ରମୁଖ ରାଡ଼ୁକାନୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।