ସୁପ୍ରିମ କୋର୍ଟରେ ରାଫେଲ ଓ ଚିଟ୍‌ଫଣ୍ଡ:କେନ୍ଦ୍ରକୁ ମେ ୪ ସୁଦ୍ଧା ସମୟ ଦେଲେ

ନୂଆଦିଲ୍ଲୀ: ରାଫେଲ୍‌ ମାମଲାର ସମୀକ୍ଷା ଆବେଦନ ଉପରେ ମେ’ ୪ ସୁଦ୍ଧା ଜବାବ ରଖିବାକୁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାର ଏଥିପାଇଁ ଅଧିକ ୪ ସପ୍ତାହ ସମୟ ମାଗିଥିଲେ। ସୁପ୍ରିମ କୋର୍ଟ ସରକାରଙ୍କ ଏହି ଆବେଦନକୁ ଅାଗ୍ରହ୍ୟ କରିଦେବା ସହିତ ମେ’ ୬ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି।
ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌କେ କୌଲ ଏବଂ କେଏମ୍‌ ଜୋସେଫ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରୁଛନ୍ତି। ଉଲ୍ଲେଖଯୋଗ୍ୟ, ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ, ଯଶୋବନ୍ତ ସିହ୍ନା ଏବଂ ଅରୁଣ ସୌରୀ ସର୍ବୋଚ୍ଚ ଅଦାଲତ ୧୪ ଡିସେମ୍ବର ରାୟ ଉପରେ ସମୀକ୍ଷା କରିବାକୁ ଆବେଦନ କରିଥିଲେ। ଉକ୍ତ ରାୟରେ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ରାଫେଲ୍‌ ମାମଲାରେ କ୍ଲିନ୍‌ ଚିଟ୍‌ ଦେଇଥିଲେ। ଏହି ସମୀକ୍ଷା ଆବେଦନକୁ ସୁପ୍ରିମ କୋର୍ଟ ଗ୍ରହଣ କରିବା ସହ ଏହାକୁ ଖାରଜ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଅାଗ୍ରହ୍ୟ କରିଦେଇଥିଲେ। ଏହି ମାମଲାରେ ଆମ୍‌ ଆଦ୍‌ମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ମଧ୍ୟ ଅନ୍ୟ ଏକ ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି।

କୁମାରଙ୍କ ବିରୋଧରେ ସିବିଆଇ ପ୍ରମାଣ ଦେଉ
ନୂଆଦିଲ୍ଲୀ: କେବଳ ସତ୍ୟପାଠ ଦାଖଲ କରିଦେଲେ ଚଳିବ ନାହିଁ। ପ୍ରମାଣ ଥିବା ଦସ୍ତାବିଜ ଦେଖାଅ। ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ଦିଅ। କେଉଁ ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ତାହା ସ୍ପଷ୍ଟ କର। ଶାରଦା ଚିଟ୍‌ଫଣ୍ଡ ମାମଲାରେ କୋଲକାତାର ପୂର୍ବତନ ପୁଲିସ କମିସନର୍‌ ରାଜୀବ କୁମାରଙ୍କୁ ଗିରଫ କରିବା ପାଇଁ ସିବିଆଇର ଆବେଦନର ଶୁଣାଣି ବେଳେ କୋର୍ଟ ଏହା କହିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି, କୁମାର ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାର ପ୍ରମାଣ ନଷ୍ଟ କରିଥିବା ଅଥବା ପ୍ରମାଣ ହଜାଇଥିବାର ପ୍ରମାଣ ସିବିଆଇ ଦେଉ। ଏତଦ୍‌ବ୍ୟତୀତ ଉକ୍ତ ମାମଲାରେ କୁମାରଙ୍କ ସମ୍ପୃକ୍ତିକୁ ନେଇ ସମସ୍ତ ତଥ୍ୟ ଦାଖଲ କରିବାକୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି। ନିର୍ଦିଷ୍ଟ ଭାବେ କୁମାରଙ୍କ ଲାପ୍‌ଟପ୍‌ରେ ଥିବା ସମସ୍ତ ତଥ୍ୟ, ମୋବାଇଲ୍‌ ଫୋନ୍‌ ଏବଂ ବିଭିନ୍ନ ଡାଇରୀ ଯେଉଁଥିରେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଟଙ୍କା ଦେବାର ତଥ୍ୟକୁ ନଷ୍ଟ କରିବାର ପ୍ରମାଣ ରହିଛି ତାହାକୁ ଦାଖଲ କରିବା ଲାଗି ସିବିଆଇକୁ ନିର୍ଦେଶ ଦିଆଯାଇଛି। ବୁଧବାର ସୁଦ୍ଧା ସମସ୍ତ ତଥ୍ୟ ସମ୍ବଳିତ ସତ୍ୟପାଠ ଦାଖଲ କରିବା ଲାଗି ସିବିଆଇକୁ କୁହାଯାଇଛି। ଶାରଦା ଚିଟ୍‌ଫଣ୍ଡ ମାମଲାରେ ସିବିଆଇ କୁମାରଙ୍କୁ ନୋଟିସ ଜାରି କରିଥିଲେ ମଧ୍ୟ ସିବିଆଇ ଆଗରେ କୁମାର ହାଜର ହୋଇନଥିଲେ। ପରବର୍ତ୍ତୀ ସମୟରେ କୁମାରଙ୍କୁ ସିବିଆଇ ଗିରଫ କରିବାକୁ ଉଦ୍ୟମ କରିବା ପରେ ପଶ୍ଚିମ ବଙ୍ଗରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର