ନୂଆଦିଲ୍ଲୀ: ଭାରତର ରଘୁ ପ୍ରସାଦ ଆର୍‌ଭି ଚଳିତବର୍ଷ ଲାଗି ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍)ର ଶ୍ରେଷ୍ଠ ଅମ୍ପାୟାର ମନୋନୀତ ହୋଇଛନ୍ତି। ଏପର୍ଯ୍ୟନ୍ତ ୧୯୮ ଅନ୍ତର୍ଜାତୀୟ ହକି ମ୍ୟାଚ୍‌ରେ ଅମ୍ପାୟାରିଂ କରି ସାରିଥିବା ରଘୁ ୨୦୧୫ ମସିହା ପରେ ଏଫ୍‌ଆଇଏଚ୍ ବର୍ଷର ଶ୍ରେଷ୍ଠ ଅମ୍ପାୟାର ପୁରସ୍କାର ଲାଭ କରିବାରେ ପ୍ରଥମ ଭାରତୀୟ ଓ ଏସୀୟ ହୋଇଛନ୍ତି। ବେଙ୍ଗାଲୁରୁ ବାସିନ୍ଦା ରଘୁ ନିଜ ଅମ୍ପାୟାରିଂ ଜୀବନ ୨୦୦୧ ମସିହାରେ ଆରମ୍ଭ କରିଥିଲେ। ଅନେକ ସ୍କୁଲ୍, କଲେଜ୍ ଓ ଲିଗ୍ ସ୍ତରୀୟ ପ୍ରତିଯୋଗିତାରେ ଅମ୍ପାୟାରିଂ କରିବା ପରେ ୨୦୦୩ ମସିହାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ।

Advertisment

ସେବେଠାରୁ ସେ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ଦୁଇଟି ଏସୀୟ କ୍ରୀଡ଼ା (୨୦୧୮, ୨୦୨୨), ଚାରିଟି ବିଶ୍ବକପ୍ (୨୦୧୦, ୨୦୧୪, ୨୦୧୮, ୨୦୨୩), ତିନିଟି ଅଲିମ୍ପିକ୍ସ (୨୦୧୨, ୨୦୨୦ ଓ ୨୦୨୪)ରେ ସଫଳତାର ସହ ଅମ୍ପାୟାରିଂ କରି ସାରିଛନ୍ତି। ହକି ଅମ୍ପାୟାରିଂରେ ଲମ୍ବା ଅଭିଜ୍ଞତା ରଖିଥିବା ଭାରତୀୟ ଅମ୍ପାୟାରଙ୍କ ମଧ୍ୟରେ ସେ ହେଉଛନ୍ତି ଅନ୍ୟତମ। ଏହି ସଫଳତା ଲାଗି ରଘୁଙ୍କୁ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କି ଓ ସଂପାଦକ ଭୋଳାନାଥ ସିଂହ ଅଭିନନ୍ଦନ ଜଣାଇଛନ୍ତି।