କରୋନା ସହାୟତା: ରାହାଣେ ଦେଲେ ୧୦ ଲକ୍ଷ

କୋଟିଏ ଦେଲା କେଏସ୍‌ସିଏ, ସାଂସଦ ପାଣ୍ଠିରୁ ଗମ୍ଭୀର ଦେଲେ ୧ କୋଟି

ମୁମ୍ବାଇ: କରୋନା ସହାୟତା ପାଇଁ ଶନିବାର ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ୫୧ କୋଟି ଟଙ୍କା ପ୍ରଧାନମନ୍ତ୍ରୀଙ୍କ ଆପଦକାଳୀନ ପାଣ୍ଠିକୁ ଦାନ କରିବାର ଦିନକ ପରେ ଭାରତୀୟ ଟେଷ୍ଟ୍‌ ଦଳର ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ୧୦ ଲକ୍ଷ ଟଙ୍କା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରିଛନ୍ତି। ତାଙ୍କ ପୂର୍ବରୁ କିଂବଦନ୍ତି କ୍ରିକେଟର୍‌ ସଚିନ ତେନ୍ଦୁଲକର ୫୦ ଲକ୍ଷ ଏବଂ ବାମହାତୀ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ୫୨ ଲକ୍ଷ ଟଙ୍କା ଦାନ କରିଥିଲେ। ସୂଚନାଯୋଗ୍ୟ ଯେ ଏପର୍ଯ୍ୟନ୍ତ ଭାରତର କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସର୍ବାଧିକ ମହାରାଷ୍ଟ୍ରରେ ରହିଛନ୍ତି।

ପାରା କ୍ରୀଡ଼ା ବିଜେତା ଶରଦ ବଢ଼ାଇଲେ ସହାୟତାର ହାତ
ନୂଆଦିଲ୍ଲୀ: ଏସୀୟ ପାରା କ୍ରୀଡ଼ାର ଉଚ୍ଚଡିଆଁରେ ଯୁଗଳ ମୁକୁଟ କରାୟତ୍ତ କରିଥିବା ଶରଦ କୁମାର କରୋନା ମୁକାବିଲା ଲାଗି ସହାୟତାର ହାତ ବଢ଼ାଇଛନ୍ତି। ସେ ତାଙ୍କ ଉପାର୍ଜିତ ଧନରୁ ୧ ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ‘କୋଭିଡ୍‌-୧୯’ ବିପକ୍ଷ ଲଢ଼େଇ ଲାଗି ମୁଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ ଲକ୍ଷ ୧ ଟଙ୍କା ଦାନ କରୁଛି। ଯାହା ମୋ ଏବର ସମ୍ପତ୍ତିର ଏକ ପ୍ରତିଶତ ବୋଲି ବିହାରର ଏହି ଦିବ୍ୟାଙ୍ଗ ତାରକା ଟ୍ବିଟ୍‌ କରି ଜଣାଇଛନ୍ତି। ଶରଦ ୨୦୧୪ ଓ ୨୦୧୮ ଏସୀୟ କ୍ରୀଡ଼ାର ଟି୪୨ ବର୍ଗ ଉଚ୍ଚ ଡିଆଁରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ମଧ୍ୟ ୨୦୧୭ ଆଇପିସି ବିଶ୍ବ ଚାମ୍ପିଆନ୍ସ ରୌପ୍ୟ ବିଜେତା।

ଲକ୍ଷେ ଟଙ୍କା ଦାନ କଲେ ରିଚା
କୋଲ୍‌କାତା: ସଦ୍ୟ ଶେଷ ହୋଇଥିବା ଟ୍ବେଣ୍ଟି-୨୦ ମହିଳା ବିଶ୍ବକପ୍‌ରେ ଭାରତରୁ ପ୍ରତିନିଧିତ୍ବ କରୁଥିବା ୧୬ ବର୍ଷୀୟା ଅଲ୍‌ରାଉଣ୍ଡର ରିଚା ଘୋଷ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି। କରୋନା ବିପକ୍ଷ ଲଢ଼େଇ ଲାଗି ରିଚାଙ୍କ ପକ୍ଷରୁ ତାଙ୍କ ବାପା ମନବେନ୍ଦ୍ର ଘୋଷ ଏହି ଚେକ୍‌ ସିଲିଗୁଡ଼ି ଜିଲ୍ଲାପାଳଙ୍କୁ ଶନିବାର ପ୍ରଦାନ କରିଥିଲେ। ରିଚା ବିଶ୍ବକପ୍‌ରେ ଦୁଇଟି ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଥିଲେ। ରିଚାଙ୍କ ବାଦ୍‌ ପୂର୍ବତନ ଟେଷ୍ଟ୍‌ ଖେଳାଳି ମିଠୁ ମୁଖାର୍ଜୀ ୨୫୦୦୦ ଟଙ୍କା ଏବଂ ୨୩ ବର୍ଷରୁ କମ୍‌ ବେଙ୍ଗଲ ମହିଳା କ୍ରିକେଟ୍‌ ଦଳର ପ୍ରଶିକ୍ଷକ ଜୟନ୍ତ ଘୋଷ ୧୦୦୦୦ ଟଙ୍କା ଦାନ କରିଛନ୍ତି।

କୋଟିଏ ଦେଲା କେଏସ୍‌ସିଏ
ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍‌ ସଂଘ (କେଏସ୍‌ସିଏ) ‘କୋଭିଡ-୧୯’ ଲଢ଼େଇ ଲାଗି ‌ଏକ କୋଟି ଟଙ୍କା କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାନ କରିଛି। କେଏସ୍‌ସିଏ କରୋନା ମୁକାବିଲାରେ ନିଜକୁ ସାମିଲ କରିବାକୁ ଯାଇ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ଜରୁରୀକାଳୀନ ରିଲିଫ୍‌ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ଏବଂ କର୍ଣ୍ଣାଟକ ସରକାର ରାଜ୍ୟ ରିଲିଫ୍‌ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛି ବୋଲି ସଂଘର ମୁଖପାତ୍ର ସୂଚନା ଦେଇଛନ୍ତି। ଏହି ଦାନ ଅର୍ଥ‌ରେ ‌କେନ୍ଦ୍ର ଓ ରାଜ୍ୟ ସରକାର ନାଗରିକଙ୍କୁ କରୋନାରୁ ସୁରକ୍ଷା ଦେବା ଲାଗି ଖର୍ଚ୍ଚ କରିବେ। କର୍ଣ୍ଣାଟକ ସରକାରଙ୍କ ସହ କେଏସ୍‌ସିଏ ଯୋଗାଯୋଗରେ ରହିଛି। କିଛି ବି ସହାୟତା ସରକାର ଆମଠୁ ଚାହିଁଲେ ଦେବାକୁ ପ୍ରସ୍ତୁତ ରହିଛୁ ବୋଲି ମୁଖପାତ୍ର ସୂଚନା ଦେଇଛନ୍ତି। ଶନିବାର ବିସିସିଆଇ ୫୦ କୋଟି ଟଙ୍କା ଦେଇଥିଲା ‌ବେଳେ ଅନ୍ୟ ରାଜ୍ୟ ସଂଘ ସିଏବି, ଏମ୍‌ସିଏ ଓ ଏସ୍‌ସିଏ କରୋନା ମୁକାବିଲା ଲାଗି ସହାୟତାରେ ସାମିଲ ହୋଇଛନ୍ତି।

ସାଂସଦ ପାଣ୍ଠିରୁ ଗମ୍ଭୀର ଦେଲେ ୧ କୋଟି
ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବ୍ୟାଟ୍‌ସମ୍ୟାନ୍‌ ଗୌତମ ଗମ୍ଭୀର ରବିବାର ପ୍ରଧାନମନ୍ତ୍ରୀଙ୍କ କେୟାର ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିଛନ୍ତି। ଏହି ଅର୍ଥ ସେ ନିଜ ସାଂସଦ ପାଣ୍ଠିରୁ ପ୍ରଦାନ କରିଛନ୍ତି। ସେହିଭଳି ଆଜିକାର ଘଡ଼ିସନ୍ଧି ମୁହୂର୍ତ୍ତରେ ସବୁ ଭାରତୀୟ ସହାୟତାର ହାତ ବଢ଼ାଇବାକୁ ସେ ଟ୍ବିଟ୍ କରି ଆହ୍ବାନ କରିଛନ୍ତି। ତାଙ୍କ ଦାତବ୍ୟ ଅନୁଷ୍ଠାନ ପ୍ରତିଦିନ ବାସହରା ଓ ଗରିବ ଲୋକଙ୍କୁ ମଧ୍ୟ ୨,୦୦୦ ଖାଦ୍ୟ ପୁଡ଼ିଆ ପ୍ରଦାନ କରୁଛି ବୋଲି ଗମ୍ଭୀର ମତ ଦେଇଛନ୍ତି। ଏହା ପୂର୍ବରୁ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ନିଜ ସାଂସଦ ପାଣ୍ଠିରୁ ୧ କୋଟି ଟଙ୍କା ଦେଇ ସାରିଛନ୍ତି।

ସମ୍ବନ୍ଧିତ ଖବର