ରାହାଣେ, ବିହାରୀଙ୍କ ଅର୍ଧଶତକ, ଅଭ୍ୟାସ ମ୍ୟାଚ୍ ଅମୀମାଂସିତ

କଲିଜ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ବୋର୍ଡ ସଭାପତି ଏକଦଶ ମଧ୍ୟରେ ଖେଳା ଯାଉଥିବା ତିନି ଦିନିଆ ଅଭ୍ୟାସ ମ୍ୟାଚ୍ ଅମୀମାଂସିତ ରହିଛି। ଭାରତୀୟ ବ୍ୟାଟ୍ସମ୍ୟାନ୍ ଓ ବୋଲର କିନ୍ତୁ ଏହାର ସଠିକ୍ ଉପଯୋଗ କରିଛନ୍ତି। ପ୍ରଥମ ପାଳିରେ ଚେତେଶ୍ବର ପୂଜରା (୧୦୦) ଶତକ ଏବଂ ରୋହିତ ଶର୍ମା (୬୮) ଅର୍ଧଶତକ ଅର୍ଜନ କରିବା ପରେ ଦ୍ବିତୀୟ ପାଳିରେ ଅଧିନାୟକ ଅଜିଙ୍କ୍ୟ ରାହାଣେ (୫୪) ଓ ହନୁମା ବିହାରୀ (୬୪) ଅର୍ଧଶତକ ଅର୍ଜନ କରିଛନ୍ତି। ଈଶାନ୍ତ ଶର୍ମା, ଉମେଶ ଯାଦବ ଓ କୁଲଦୀପ ଯାଦବ ତିନିଟି ଲେଖାଏଁ ୱିକେଟ୍ ନେଇ ୨୨ ତାରିଖରୁ ଆରମ୍ଭ ହେଉଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ଶୃଙ୍ଖଳା ପୂର୍ବରୁ ନିଜ ନିଜର ଆତ୍ମବିଶ୍ବାସ ବଢ଼ାଇଛନ୍ତି। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଭାରତ ୫ ୱିକେଟ୍ ବିନିମୟରେ ୨୯୭ ରନ୍ କରି ପ୍ରଥମ ପାଳି ଘୋଷଣା କରିଥିଲା। ଏହା ପରେ ୱେଷ୍ଟଇଣ୍ଡିଜ୍ ବୋର୍ଡ ସଭାପତି ଏକାଦଶକୁ ୧୮୧ ରନ୍‌ରେ ଅଲଆଉଟ୍ କରି ‌ଦେଇଥିଲା। ସେହିଭଳି ଦ୍ବିତୀୟ ପାଳିରେ ୫ ୱିକେଟ୍‌ରେ ୧୮୮ ରନ୍ କରି ପୁନର୍ବାର ପାଳି ଘୋଷଣା କରିଥିଲା। ଫଳରେ ୱେଷ୍ଟଇଣ୍ଡିଜ୍ ବୋର୍ଡ ସଭାପତି ଏକାଦଶ ସମ୍ମୁଖରେ ୩୦୫ ରନ୍‌ର ଅସାଧ୍ୟ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହାର ଜବାବରେ ବୋର୍ଡ ସଭାପତି ଏକାଦଶ ସୋମବାର ତୃତୀୟ ତଥା ଶେଷ ଦିନର ଖେଳ ବନ୍ଦ ବେଳକୁ ୨୧ ଓଭରରେ ୩ ୱିକେଟ୍ ହରାଇ ୪୭ ରନ୍ କରିଥିଲା। ଯଶପ୍ରୀତ ବୁମରା, ଆର ଅଶ୍ବିନ ଓ ରବୀନ୍ଦ୍ର ଜାଦେଜା ଗୋଟିଏ ଲେଖାଏଁ ୱିକେଟ୍ କରାୟତ କରିଥିଲେ।

ସମ୍ବନ୍ଧିତ ଖବର