ରାହାଣେ ଓ ‌କୋହଲି ବିପରୀତଧର୍ମୀ ଅଧିନାୟକ

ପ୍ରଭାବଶାଳୀ ଫଳାଫଳ

ନୂଆଦିଲ୍ଲୀ : ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବ ଶୈଳୀରେ ଢେର ଭିନ୍ନତା ରହିଛି। ଜଣେ ବରଫ ଭଳି ଶାନ୍ତ ଏବଂ ଅନ୍ୟ ଜଣକ ଉଗ୍ର ଓ ଆକ୍ରମଣାତ୍ମକ। ଉଭୟଙ୍କ ଲକ୍ଷ୍ୟ କିନ୍ତୁ ସମାନ। ଆଉ ତାହା ହେଉଛି ଭାରତକୁ ‌ଯେ କୌଣସି ପରିସ୍ଥିତି ଓ ପରିବେଶରେ ଜିତାଇବା। ମେଲବର୍ନରେ ଲଢ଼ୁଆ ଶତକ ସହ ନିଜ ବଳିଷ୍ଠ ନେତୃତ୍ବ ବଳରେ ରାହାଣେ ଭାରତୀୟ କ୍ରିକେଟ୍ ଦଳକୁ ବିଜୟୀ କରିବା ପରେ କିନ୍ତୁ ସାମାଜିକ ଗଣମାଧ୍ୟମରେ ‘ଭାରତୀୟ ଟେଷ୍ଟ୍ ଦଳର ଅଧିନାୟକ ପଦରୁ କୋହଲି ଇସ୍ତଫା ଦେବା ଉଚିତ’ ଟ୍ରେଣ୍ଡ ବଢୁଛି। ଏଭଳି ସ୍ଥିତିରେ ରାହାଣେ ଓ କୋହଲିଙ୍କ ନେତୃତ୍ବରେ ଭାରତ ଟେଷ୍ଟ୍ କ୍ରିକେଟ୍‌ରେ କି ପ୍ରକାର ଏବଂ କେତେ ସଫଳ ହୋଇଛି, ସେ କଥା ପାଠକଙ୍କୁ ଜଣାଇବାର ଆବଶ୍ୟକତା ଦେଖାଦେଇଛି।

କୋହଲିଙ୍କ ନେତୃତ୍ବରେ ଭାରତ ୧୮ ଟେଷ୍ଟ୍ ଶୃଙ୍ଖଳା ଖେଳି ୧୪ଟିରେ ବିଜୟୀ ହୋଇଛି। ରାହାଣେ ମଧ୍ୟ ନିଜ ଛୋଟିଆ ଅଧିନାୟକତ୍ବ ଅବଧିରେ ବହୁତ ଭଲ କରିଛନ୍ତି। ସତକଥା କହିବାକୁ ଗଲେ ଅଧିନାୟକ ଭାବେ ତାଙ୍କର ଶତପ୍ରତିଶତ ସଫଳତା କୀର୍ତ୍ତିମାନ ରହିଛି। ସେ ଜଣେ ଚତୁର ନେତା ଏବଂ ସ୍ବାଭାବିକ ଅଧିନାୟକ। ଏହି ଗୁଣର ପରିପ୍ରକାଶ ୨୦୧୭ ମସିହାରେ ଧର୍ମଶାଳାରେ ସେ ଦେଖାଇ ସାରିଛନ୍ତି। ସେହି ଶୃଙ୍ଖଳାର ଶେଷ ଟେଷ୍ଟ୍‌ରେ ରାହାଣେଙ୍କ ନେତୃତ୍ବରେ ହିଁ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ଶୃଙ୍ଖଳା କବ୍‌ଜା କରି ନେଇଥିଲା। ସେପଟେ ୨୦୧୮-୧୯ ଗସ୍ତରେ କୋହଲିଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ମାଟିରେ ଭାରତ ପ୍ରଥମ ଥର ପାଇଁ ଟେଷ୍ଟ୍ ଶୃଙ୍ଖଳା ଜିତିବାର ଗୌରବ ଅର୍ଜନ କରିଥିଲା। ତେବେ ଏକଥା ବି ସତ ଯେ ଅଧିନାୟକତ୍ବକୁ ନେଇ ସେମାନଙ୍କ ଭାବନା, ପଡ଼ିଆ ଭିତର ନିଷ୍ପତ୍ତି ଏବଂ ଆଚରଣ ପରସ୍ପରଠାରୁ ପୂରା ଅଲଗା। କୋହଲି ସବୁବେଳେ ଆକ୍ରମଣ କରିବାକୁ ପସନ୍ଦ କରୁଥିଲା ବେଳେ ରାହା‌ଣେ ଶାନ୍ତ ଓ ସ୍ଥିତପ୍ରଜ୍ଞ। କୋହଲି ନିଜ ସହ ଲଢ଼ୁଆ ପ୍ରବୃତ୍ତି ଆଣନ୍ତି, ମୁହଁରେ ମୁହଁରେ ଜବାବ ଦେବାକୁ ପସନ୍ଦ କରନ୍ତି। ଅନ୍ୟପକ୍ଷରେ ରାହାଣେ ଶାନ୍ତଚିତ୍ତର ଅଧିକାରୀ। କୋହଲିଙ୍କ ପ୍ରଗାଢତା ଜଳ ଜଳ ହୋଇ ଦେଖାଯାଏ। ସେପଟେ ରାହାଣେ ଏକାଗ୍ରତା ଉପରେ ଅଧିକ ଧ୍ୟାନ ଦିଅନ୍ତି। ଉଭୟ କିନ୍ତୁ ପଡ଼ିଆ ଭିତର ଆବଶ୍ୟକତା ଏବଂ ଖେଳକୁ ଭଲ ଭାବରେ ପଢ଼ିପାରନ୍ତି।

ମହାନ ବ୍ୟାଟ୍ସମ୍ୟାନ୍ ସୁନିଲ ଗାଭାସ୍କର କୁହନ୍ତି ଯେ କୋହଲିଙ୍କ ଭାବନା ତାଙ୍କ ଶାରୀରିକ ଭାଷାରୁ ଅନୁମାନ କରିହୁଏ। ରାହାଣେ ନିଜ ଶାରୀରିକ ଭାଷାରେ ଆକ୍ରମଣା‌ତ୍ମକ ଆଭିମୁଖ୍ୟକୁ ପରିପ୍ରକାଶ ହେବାକୁ ଦିଅନ୍ତି ନାହିଁ। ଉଭୟଙ୍କ ରଣନୀତିରେ କିନ୍ତୁ ଆକାଶ ପାତାଳ ଫରକ ରହିଛି। କୋହଲି ପ୍ରତିପକ୍ଷକୁ ପେସ୍ ବୋଲିଂରେ ଘାଇଲା କରିବାକୁ ଚାହାନ୍ତି। ଦ୍ରୁତ ବୋଲର ହିଁ ତାଙ୍କୁ ୨୦ ୱିକେଟ୍ ଦେଇ ପାରିବେ ବୋଲି ଭାବନ୍ତି। ରାହାଣେ ଅପରପକ୍ଷରେ ଖୋଲା ମନରେ ରୁହନ୍ତି ଏବଂ ପରିସ୍ଥିତିକୁ ଆକଳନ କରି ବୋଲର ଲଗାନ୍ତି। ଯାହା ମେଲବର୍ନ ଟେଷ୍ଟ୍‌ରୁ ସ୍ପଷ୍ଟ ହୋଇଛି। ରବିଚନ୍ଦ୍ରନ୍‌ ଅଶ୍ବିନଙ୍କୁ ସେ ଏକାଦଶ ଓଭରରେ ବୋଲିଂ ଦେବା ଏହାର ଜ୍ବଳନ୍ତ ଉଦାହରଣ। ଦୁଇ ଜଣଙ୍କ ନେତୃତ୍ବ ଶୈଳୀର ଆଉ ଏକ ଭିନ୍ନତା ହେଉଛି ରାହାଣେ ବୋଲରଙ୍କୁ ଲମ୍ବା ସ୍ପେଲ୍‌ ଦିଅନ୍ତି। ମେଲ୍‌ବର୍ନରେ ଯଶପ୍ରୀତ ବୁମ୍‌ରା ୬ ଓଭର ସ୍ପେଲ୍‌ରୁ ଆରମ୍ଭ କରିଥିଲା ବେଳେ ଉମେଶ ୭ ଏବଂ ଅଶ୍ବିନ ଗୋଟିଏ ସ୍ପେଲ୍‌ରେ ୧୨ ଓଭର ବୋଲିଂ କରିଥିଲେ। କୋହଲି ନିଜ ବୋଲରଙ୍କୁ ଛୋଟିଆ ସ୍ପେଲ୍ ଏପରିକି କେବେ କେବେ ଗୋଟିଏ, ଦୁଇଟି ଓଭର ବୋଲିଂ ପରେ ବଦଳାଇ ଦେଇଥା’ନ୍ତି।

ସମ୍ବନ୍ଧିତ ଖବର