ଉପଅଧିନାୟକ ଭୂମିକା ବଖାଣିଲେ ରାହାଣେ ‘ଦ୍ରାବିଡ଼ଙ୍କ ପରାମର୍ଶରେ ଟି-୨୦ ସଫଳତା ପାଇଥିଲି’

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ବରେ ଟେ‌ଷ୍ଟ ଉପଅଧିନାୟକ ଥିବା ଆଜିଙ୍କ୍ୟ ରାହାଣେ ତାଙ୍କ ଭୂମିକା ନେଇ ମୁହଁ ଖୋଲିଛନ୍ତି। ଅଧିନାୟକ କିପରି ନିୟଂତ୍ରଣରେ ରହିବେ ତାହା ଦେଖିବା ତାଙ୍କର ବଡ଼ କାମ। ଏଥି ସହିତ କୋହଲିଙ୍କ ସର୍ତ୍ତାବଳୀକୁ ଗ୍ରହଣ କରିବା ମଧ୍ୟ ତାଙ୍କ ଦାୟିତ୍ବ। ଯଦିଓ ସେହି ସମୟରେ ପବରର୍ତୀ ଯୋଜନା ପ୍ରସ୍ତୁତ ରହିଥାଏ, ତଥାପି ଆବଶ୍ୟକସ୍ଥଳେ ସେ ଅଧିନାୟକଙ୍କୁ କିଛି ବି ପରାମର୍ଶ ଦେଇପାରିବେ ବୋଲି କହିଛନ୍ତି ରାହାଣେ। ବାସ୍ତବିକ କଥା ହେଲା ଜଣେ ଉପଅଧିନାୟକ ଭାବେ ସବୁବେଳେ ପଛ ସିଟ୍‌ରେ ରହିବା ହେଲା ମୋର ଭୂମିକା। ମୁଁ ଦଳର ରଣନୀତିରେ ଅଧିକ ସଂପୃକ୍ତ ହୁଏନି। କାରଣ ଅଧିନାୟକଙ୍କ ମନ ଭିତରେ ଯଥେଷ୍ଟ ଚିନ୍ତା ରହିଥାଏ। କେତେବେଳେ କେଉଁ ବୋଲରଙ୍କୁ ଆକ୍ରମଣରେ ନିୟୋଜିତ କରିବେ ଏବଂ କେଉଁଠି କିପରି କ୍ଷେତ୍ରସଜା କରିବେ ସେ ଚିନ୍ତା ତାଙ୍କ ମୁଣ୍ଡରେ ରହିଥାଏ। ତେଣୁ ଉପଅଧିନାୟକ ଭାବେ କେତେକ ଯୋଜନା ପ୍ରସ୍ତୁତ ରଖିବା ମୋର କାମ। ଏପରିକି ଅଧିନାୟକଙ୍କୁ ସମର୍ଥନ କରିବା ସହ ତାଙ୍କ ରଣନୀତି ଅନୁଯାୟୀ ଯୋଜନା ପ୍ରସ୍ତୁତ କରି ପରିସ୍ଥିତିକୁ ବିଶ୍ଲେଷଣ କରିବା ମୋ ପାଇଁ ଗୁରୁତ୍ବପୂର୍ଣ୍ଣ। ବେଳେବେଳେ ମୁଁ ସକାରାତ୍ମକ ପ୍ରସ୍ତାବ ଏବଂ ସମାଧାନର ବାଟ ବତାଇଥାଏ, କିନ୍ତୁ ଅଧିକ ସମୟ ମୁଁ ପଛ ସିଟ୍‌ରେ ରହିଥାଏ।

ତାଙ୍କ ଉପଅଧିନାୟକ ଭୂମିକା ନେଇ ରାହାଣେ ମଧ୍ୟ ଭାରତର ୨୦୧୬ ୱେଷ୍ଟ୍‌ଇଣ୍ଡିଜ୍‌ ଗସ୍ତ କଥା କହିଛନ୍ତି। ସେହି ଗସ୍ତରେ ତାଙ୍କୁ ଟେଷ୍ଟ୍‌ ଦଳର ଉପଅଧିନାୟକ ମନୋନୀତ କରାଯାଇଥାଏ। କାରବୀୟରେ ଭାରତ ଖେଳିଥିବା ଦୁଇଟି ଟେଷ୍ଟ୍‌ରେ ଗୋଟିଏ ଶତକ ଏବଂ ଆଉ ଗୋଟିଏ ଅର୍ଧଶତକ (ଅପରାଜିତ ୭୮ରନ୍‌) ହାସଲ କରି ରାହାଣେ ତାଙ୍କର ଅନ୍ୟ ଭୂମିକାକୁ ପ୍ରମାଣିତ କରିଥିଲେ। ପୁଣି ଏହି ଗସ୍ତ ପରେ ସେହିବର୍ଷ ମଧ୍ୟ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଜୀବନର ଶ୍ରେଷ୍ଠ ପାଳି (୧୮୮) ଖେଳିଥିଲେ। ଉପଅଧିନାୟକ ନିଯୁକ୍ତ ହେବାର ବର୍ଷକରୁ କମ୍‌ ସମୟ ମଧ୍ୟରେ ରାହାଣେ ମଧ୍ୟ ପ୍ରଥମ ଥର ଲାଗି ଦଳର ନେତୃତ୍ବ ନେବାର ସୁ‌ଯୋଗ ପାଇଯାଇଥିଲେ। ଭାରତରେ ଆୟୋଜିତ ୨୦୧୭ ବର୍ଡର-ଗ‌ାଭାସ୍କର ଟ୍ରଫି ଅବସରରେ କାନ୍ଧଜନିତ ଆଘାତ ଯୋଗୁଁ କୋହଲି ତୃତୀୟ ତଥା ଶେଷ ଟେଷ୍ଟ୍‌ରୁ ଓହରିଯାଇଥିଲେ। ଆଉ ରାହାଣେଙ୍କୁ ଏହା ନେତୃତ୍ବ ନେବାର ସୁଯୋଗ ଆଣିଦେଇଥିଲା। ସେତେବେଳକୁ ଶୃଙ୍ଖଳା ୧-୧ରେ ରହିଥିବ‌ାରୁ ଉଭୟ ଦଳ ପାଇଁ ତୃତୀୟ ଟେଷ୍ଟ୍‌ର ଗୁରୁତ୍ବ ବଢ଼ିଯାଇଥିଲା। କିନ୍ତୁ ରାହାଣେ ଭାରତକୁ ୮ ୱିକେଟ୍‌ର ବିଜୟ ଭେଟିଦେବା ଯୋଗୁଁ ଦଳ ୨-୧ରେ ଶୃଙ୍ଖଳା ଜିତିନେଲା।

ଭାରତୀୟ ଦଳକୁ ନେତୃତ୍ବ ଦେବା ମୋ ପାଇଁ ସ୍ବତନ୍ତ୍ର ଥିଲା। ବାସ୍ତବରେ ଦେଖିବାକୁ ଗଲେ ସେହି ଟେଷ୍ଟ୍‌ରେ ମୁଁ ନେତୃତ୍ବ ଭାରତ ପାଇବାର ଚିନ୍ତା ବି କରିନଥିଲି। ଦ୍ବିତୀୟ ଟେଷ୍ଟ୍‌ ପରେ ପରେ କୋହଲିଙ୍କ ଫିଟନେସ୍‌ ପରୀକ୍ଷା କାରଣରୁ ତୃତୀୟ ଟେଷ୍ଟ୍‌ରେ ନେତୃତ୍ବ ନେଇପାରେ ବୋଲି ମୋତେ ଆଭାସ ଦିଆଯାଇଥିଲା। ତଥାପି ମ୍ୟାଚ୍‌ ପୂର୍ବଦିନ ପର୍ଯ୍ୟନ୍ତ ଅଧିନାୟକ ଦାୟିତ୍ବ ମିଳିବ କି ନାହିଁ ସେନେଇ ମୋର କିଛି ଧାରଣା ନଥିଲା। କିନ୍ତୁ ମ୍ୟାଚ୍‌ ଦିନ ହିଁ କୋହଲି ମୋତେ ଦଳର ନେତୃତ୍ବ ନେବା କଥା କହିଥିଲେ। ସେତେବେଳେ ଅନିଲ ଭାଇ (ଅନିଲ କୁମ୍ବଲେ) ପ୍ରଶିକ୍ଷକ ଥାଆନ୍ତି। ସେ ମଧ୍ୟ ମୋତେ କହିଲେ, କୋହଲି ପୂରା ଫିଟ୍‌ ନଥିବାରୁ ତୃତୀୟ ଟେଷ୍ଟ୍‌ ଖେଳିପାରିବେନି; ତୁମକୁ ନେତୃତ୍ବ ନେବାକୁ ପଡ଼ିବ। ଆଉ ସେହି ମୁହୁର୍ତ୍ତ ହିଁ ମୋ ପାଇଁ ସ୍ବତନ୍ତ୍ର ଥିଲା। ଏପରିକି ଭାରତର ନେତୃତ୍ବ ନେବି ବୋଲି ଆଦୌ ବିଶ୍ବାସ କରିପାରିନଥିଲି। ତଥାପି ସେହି ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିପାରିଥିବାରୁ ଅଧିନାୟକ ଭାବେ ମୋର ପ୍ରଥମ ମ୍ୟାଚ୍‌ ପ୍ରକୃତରେ ମୋ ପାଇଁ ସ୍ବତନ୍ତ୍ର ରହିଥିଲା ବୋଲି କହିଥିଲେ ରାହାଣେ।

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ଼ଙ୍କ ପରାମର୍ଶ ଯୋଗୁଁ ଟି-୨୦ରେ ସଫଳତା ପାଇଥିଲେ ଆଜିଙ୍କ୍ୟ ରାହାଣେ। ରବିବାର ଇଏସ୍‌ପିଏନ୍‌ ବିଡିଓକାଷ୍ଟରେ ଦୀପ୍‌ ଦାସଗୁପ୍ତାଙ୍କୁ ଏହି କଥା କହିଛନ୍ତି ରାହାଣେ। ବେଳେବେଳେ ଟି-୨୦ କ୍ରିକେଟ୍‌ରେ ସଟ୍‌ଗୁଡ଼ିକ ଭଲ ଦେଖାଯାଏନାହିଁ। ଆପଣ ଭାବୁଥିବେ ଯେ ଏହି ଖରାପ ସଟ୍‌ ଖେଳି ମୁଁ ଆଉଟ୍‌ ହୋଇଯାଉଛି। କିନ୍ତୁ ରାହୁଲ ଭାଇ ମୋତେ ଟି-୨୦ରେ ସଟ୍‌ ବିଷୟରେ ଚିନ୍ତା ନକରିବାକୁ ପରାମର୍ଶ ଦେଇଥି‌ଲେ। ଯାହା ପାଇଁ ମୁଁ ଏହି ଫର୍ମାଟ୍‌ରେ ସଫଳ ହୋଇଛି। ଭଲ ସଟ୍‌ ଟି-୨୦ରେ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଟି-୨୦ରେ କେବଳ ବଲ୍ ଦେଖି ମାରିବା ଆବଶ୍ୟକ। ସଟ୍‌ର ପ୍ରଭାବ ହେଉଛି ଗୁରୁତ୍ବପୂର୍ଣ୍ଣ ବୋଲି ରାହୁଲ ଭାଇ ପରାମର୍ଶ ଦେଇଥିଲେ ବୋଲି ରାହାଣେ କହିଛନ୍ତି। ଦ୍ରାବିଡ଼ ଓ ରାହାଣେ ଏକାଠି ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସ ଦଳରେ କିଛି ଦିନ ରହିଥିଲେ। ଦ୍ରାବିଡ ଏହି ଦଳର ପରାମର୍ଶଦାତା ଥିଲେ।

ରାହାଣେ ଏହି ଆଲୋଚନା ବେଳେ ଟି-୨୦ରେ ବ୍ୟାଟିଂ ଉପରେ ବୁଝାଇଥିଲେ। ମୁଁ ଟି-୨୦ କ୍ରିକେଟ୍‌ରେ କାହାକୁ ନକଲ କରିବାକୁ ଚେଷ୍ଟା କରେନି। ଇନ୍‌ସାଇଡ୍‌ ଆଉଟ୍‌ରେ ଏବଂ ବୋଲରର ପଛପଟ ସହ ଏଭଳି ଅନେକ ସଟ୍‌ ଖେଳିଥାଏ। ଏହା ଉପରେ ଆହୁରି ଭଲ କରିବା ଲାଗି ଚେଷ୍ଟା ଜାରି ରଖିଥାଏ। ମୁଁ ଭାବୁଛି ଯଦି ନିଜ ସଟ୍‌ ଉପରେ ବଶ୍ବାସ ରହିବ ତେବେ ନିଶ୍ଚିତ ଭଲ ସ୍କୋର୍‌ ପାଇବ ବୋଲି ରାହାଣେ କହିଛନ୍ତି। ମୁଁ ସର୍ବଦା ମୋର ଷ୍ଟ୍ରାଇକ୍‌ରେଟ୍‌ ୧୫୦ରୁ ୧୬୦ ମଧ୍ୟରେ ରଖିବାକୁ ଯୋଜନା କରିଥାଏ। ଯଦି ମୁଁ ୬ ଓଭର ଭିତରେ ୧୮ ବଲ୍ ଖେଳୁଛି ତାହାଲେ ସେହି ୬ ଓଭର ପରେ ଭଲ ପାଳି ଖେଳିବା ଲାଗି ଚେଷ୍ଟା କରିଥାଏ ବୋଲି ରାହାଣେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର