‘ରାଜସ୍ଥାନ ରୋୟାଲସ୍‌’ର ନେତୃତ୍ୱ ନେବା ନେଇ ଆଜିଙ୍କ୍ୟ ରାହାଣେ ଉତ୍ସାହିତ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୧୮ ସଂସ୍କରଣରେ ‘ରାଜସ୍ଥାନ ରୋୟାଲସ୍‌’ର ଅଧିନାୟକ ପଦରେ ନିଯୁକ୍ତ ହେବା ପରେ ଆଜିଙ୍କ୍ୟ ରାହାଣେଙ୍କ ଦାୟିତ୍ୱ ବଢ଼ିଯାଇଛି। ଦଳର ନେତୃତ୍ୱ ନେବା ନେଇ ସେ ଉତ୍ସାହିତ ହୋଇ ପଡ଼ିଛନ୍ତି। ନୂତନ ଦାୟିତ୍ୱ ମିଳିଥିବାରୁ ସେ ଟିମ୍‌ ଓ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ ଦକ୍ଷିଣ ଆଫ୍ରିକାର ନ୍ୟୁଲାଣ୍ଡ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିବସରେ ବଲ ଟେମ୍ପରିଂ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ୍‌ ସ୍ମିଥଙ୍କୁ ପଦ ଛାଡ଼ିବାକୁ ପଡ଼ିଛି। ଏଥି ସହିତ ସ୍ମିଥ୍‌ଙ୍କୁ ମଧ୍ୟ ‘ରାଜସ୍ଥାନ ରୋୟାଲସ୍‌’ରୁ ଅଧିନାୟକ ପଦରୁ ବାହାରିବାକୁ ପଡ଼ିଛି।

ଜୟପୁର ଫ୍ରାଞ୍ଚାଇଜ୍‌ ‘ରାଜସ୍ଥାନ ରୋୟାଲସ୍‌’ର ୨ୟ ସଫଳତମ ବ୍ୟାଟସ୍‌ମ୍ୟାନ ରାହାଣେ ୭୨ଟି ଇନିଂସରେ ୨୩୩୩ ରନ୍‌ ସଂଗ୍ରହ କରିଛନ୍ତି। ତାଙ୍କ ଠାରୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି ସେନ୍‌ ଓ୍ଵାଟ୍‌ସନ୍‌(୨୪୭୪ ରନ୍‌)। ଚଳିତ ଆଇପିଏଲ୍‌ ନିଲାମୀରେ ରାଜସ୍ଥାନ ରୋୟାଲସ୍‌ ରାହାଣେଙ୍କୁ ୪ କୋଟି ଟଙ୍କାରେ ନିଲାମ କରିଛି।

ଦଳର ଅଧିନାୟକ ହୋଇ ପାରିଥିବାରୁ ମୁଁ ଉତ୍ସାହିତ ବୋଲି ରାହାଣେ କହିଛନ୍ତି। ଏହି କାମକୁ ସୁଚାରୁ ରୂପେ ତୁଳାଇ ପାରିବି। ରାହାଣେ ତାଙ୍କ ପ୍ରଶଂସକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସେ ୨୦୦୮ ଆଇପିଏଲ୍‌ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନରେ କ୍ୟାରିୟର ଆରମ୍ଭ କରିଥିଲେ। ରାହୁଲ ଦ୍ରାବିଡ଼ଙ୍କ ନେତୃତ୍ୱରେ ଖେଳିଥିବା ରାହାଣେ ୨୦୧୨ରେ କିଙ୍ଗସ୍‌ ଏକସ୍‌ଆଇ ପଞ୍ଜାବ ବିରୋଧରେ ୯୮ ରନ୍‌ ସଂଗ୍ରହ କରି ଦଳକୁ ବିଜୟ ଦେଇଥିଲେ। ସେହିଭଳି ସେ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଅପରାଜିତ ୧୦୩ ରନ୍‌ ସଂଗ୍ରହ କରିଥିଲେ।

ସମ୍ବନ୍ଧିତ ଖବର