‘ବ୍ୟାଟର୍‌ଙ୍କୁ ବୋଲର୍‌ ଆହ୍ବାନ ଦେବା ଭଳି ଫର୍ମାଟ୍‌ ରହିବା ଉଚିତ’ ସଚିନ୍‌ଙ୍କୁ ୧୪ ବର୍ଷ ବୟସରେ ଭେଟିଥିଲେ ରହାଣେ

ସଚିନ୍‌ଙ୍କ ସ୍ମୃତିକୁ ମନେପକାଇଲେ ସରୋଜ

ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସଚିନ ତେନ୍ଦୁଲକର ଅବସର ନେବା ପରେ ଅନେକ କିଛି ପରିବର୍ତନ ଘଟିଛି। ଟି-୨୦ କ୍ରିକେଟର୍‌ ଅଭ୍ୟୁଦୟ ସହିତ କେତେକ ମୌଳିକ ପରିବର୍ତନ ମଧ୍ୟ ଘଟିଛି। ତଥାପି ସୀମିତ ଓଭର କ୍ରିକେଟ୍‌ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଅଧିକ ଫାଇଦା ଦେଉଛି। ଖାସ ଏହି କାରଣରୁ ବିଶ୍ବର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌ ସଚିନ ତେନ୍ଦୁଲକର ତାଙ୍କ ୪୭ତମ ଜନ୍ମଦିନ ଅବସରରେ କହିଛନ୍ତି ଏଭଳି ଏକ ଫର୍ମାଟ ରହିବା କଥା ଯେଉଁଥିରେ ବ୍ୟାଟସମ୍ୟାନ୍‌ଙ୍କୁ ବୋଲର ଆହ୍ବାନ ଦେଇପାରୁଥିବ। ଆଜିର କ୍ରିକେଟ୍‌ରେ ବି ମୁଁ ଖେଳିପାରନ୍ତି ବୋଲି ସଚିନ କହିଛନ୍ତି। ଆଧୁନିକ କ୍ରିକେଟ୍‌ରେ କିଛି ସୃଜନଶୀଳତାର ଆବଶ୍ୟକତା ରହିଛି ଯେଭଳି-ସ୍ଲୋୟର୍ ବଲ୍‌ ବାଉଁସର, ନକଲ୍‌ବଲ୍‌, ୱାଇଡ୍ ୟର୍କର ଆଦି କ୍ରମେ ବିକଶିତ ହୋଇଛି। ବ୍ୟାଟ୍‌ସୁଇଙ୍ଗ୍ ଏବଂ ଷ୍ଟାନ୍ସ ବି ଭିନ୍ନ ହୋଇପାରିବ। ଅନେକ କିଛି ହୋଇପାରିନି କାରଣ ଏବେ ଏସବୁର ଚାହିଦା ଆସିନାହିଁ। ଏହା ନିଶ୍ଚିତ ଆଗକୁ ଆସିବ ଏବଂ ପରିବର୍ତନ ବି ହୋଇପାରେ। ୧୯୯୯-୨୦୦୦ ଭାରତ ଗସ୍ତରେ ଆଣ୍ଡି ଫ୍ଲାୱାର ସର୍ବାଧିକ ଟେଷ୍ଟ୍ ରନ୍ କରିଥିଲେ ଏବଂ ରିଭର୍ସ ସୁଇପ୍‌ ଖେଳିବା ଆମେ ମନେ ରଖିଛୁ। ସେ ସେତେବେ‌ଳେ ଆମଠାରୁ ୮/୧୦ ବର୍ଷ ଆଗରେ ରହିଥିଲେ। ଦୁଇଟି ପ୍ରସଙ୍ଗ ଉପରେ ମଧ୍ୟ ସଚିନ ନଜର ପକାଇଥିଲେ। ଡିଆର୍‌ଏସ୍ ନଥିବାରୁ ତ୍ରୁଟିପୂର୍ଣ୍ଣ ଅମ୍ପାୟାରିଂ ହେଉଥିଲା ଏବଂ ଏହା ଫଳାଫଳକୁ ପ୍ରଭାବିତ କରୁଥିଲା। ଆଉଟ୍ ବ୍ୟାଟ୍‌ସମ୍ୟାନ୍ ଆଉଟ୍ ହେଉଥିଲା, ନଟ୍ ଆଉଟ୍ ବ୍ୟାଟ୍‌ସମ୍ୟାନ୍‌ ବି ଆଉଟ୍ ହେଉଥିଲା। ଆଜିକାଲି ‌ଏହା ହେଉନାହିଁ। ଅନ୍ୟ କଥାଟି ହେଉଛି ଦିନିକିଆ କ୍ରିକେଟ୍ ନିୟମରେ ପରିବର୍ତନ। ଦୁଇଟି ବଲ୍‌ ବ୍ୟବହାର କାରଣରୁ ଯଦି ପିଚ୍‌ରୁ କିଛି ସହାୟତା ମିଳୁନାହିଁ ତେବେ ଜଣେ ବୋଲର ଜୀବନ କଷ୍ଟକର ହୋଇପଡୁଛି। ଦୁଇଟି ନୂଆ ବଲ୍‌ ବସ୍ତୁତଃ ରିଭର୍ସ ସୁଇଙ୍ଗକୁ ଶେଷ କରି ଦେଇଛି। ବୋଲରଙ୍କ ପାଇଁ ଅଧିକ ଆହ୍ବାନ ଆସୁଛି। ବଳୟ ଭିତରେ ୫ ଫିଲଡର ବି ଅତିରିକ୍ତ ଆହ୍ବାନ ଆଣିଛି। ଭଲ ଖେଳୁଥିବା ବ୍ୟାଟସମ୍ୟାନ୍‌କୁ ନିଶ୍ଚିତ ବୋଲର ବୋଲିଂ କରିବାକୁ ଚାହିଁବ ନାହିଁ।

ଆଜକୁ ପ୍ରାୟ ୧୦ ବର୍ଷ ତଳେ ସଚିନ ପ୍ରଥମ ଖେଳାଳି ଭାବେ ଦିନିକିଆରେ ଦ୍ବିଶତକ ହାସଲ କରିଥିଲେ। ଏହି ଦଶନ୍ଧି ମଧ୍ୟରେ ଅନ୍ୟ ୫ ଜଣ ବ୍ୟାଟ୍‌ସମ୍ୟାନ୍‌ ଏହା କରି ସାରିଛନ୍ତି। ରୋହିତ ଶର୍ମା ତ ୩ ଥର ଏହି ମାଇଲଖୁଣ୍ଟ୍ ଅତିକ୍ରମ କରିଛନ୍ତି। ଭଲ ‌ଖେଳୁଥିବା ବ୍ୟାଟ୍‌ସମ୍ୟାନ୍‌ କିଭଳି ଫାଇଦା ପାଏ ତାହାର ଉଦାହରଣ ବି ଦେଇଥିଲେ। ସଚିନ କହିଥିଲେ, ‘ତୁମେ ଯଦି ବାଉଣ୍ଡରି ମାରିଲ ତେବେ ପରବର୍ତୀ ବଲ୍‌ ତୁମେ ଖେଳିବ’। ଅତିରିକ୍ତ ୩ ରନ୍ ପାଇବା ସହିତ ଷ୍ଟ୍ରାଇକ୍ ରଖିବାର ସୁଯୋଗ ମିଳିଥାଏ। ୧୯୯୮ ମସିହାର ସାରଜାରେ ହାସଲ କରିଥିବା ଅଷ୍ଟ୍ରେଲିଆ ବିପକ୍ଷ ‘ମରୁ ଝଡ଼’ ଆଖ୍ୟାର ୨ ଶତକକୁ ସଚିନ ମଧ୍ୟ ମନେ ପକାଇଥିଲେ। ଶେଷ ଲିଗ୍‌ରେ ୧୪୩ ରନ୍ ଏବଂ ଫାଇନାଲରେ ୧୨୩ ରନ୍‌ ପାଳି ଖେଳିଥିଲେ ସଚିନ। ଭାରତ ବିଜେତା ହୋଇଥିଲା। ୧୪୩ ରନ୍ ପାଳିରେ ଭିଭିଏସ୍‌ ଲକ୍ଷ୍ମଣ ଥିଲେ ସାଥୀରେ। ୧୦୪ ରନ୍ ଭାଗୀଦାରିରେ ସେ ମାତ୍ର ୨୩ ରନ୍ କରିଥିଲେ। ଏ ସମ୍ପର୍କରେ ଲକ୍ଷ୍ମଣ କହିଛନ୍ତି, ‘ସେ ମୋ କଥା ଶୁଣୁନଥିଲେ’। କେବଳ ରନ୍‌ ରେଟ୍ ନୁହେଁ ମୁଁ ବିଜୟ ପାଇଁ ଖେଳିଥିଲି ଏବଂ ପ୍ରତି ବଲ୍‌କୁ ମୁକାବିଲା କରିବାକୁ ବି ଆଗ୍ରହୀ ଥିଲି ବୋଲି ସଚିନ ପ୍ରକାଶ କରିଛନ୍ତି।
ଆମ ସମୟ ଭଳି ଏବେ ବି ଭିନ୍ନ ଧରଣର ଖେଳାଳି ଅଛନ୍ତି। ପୃଥ୍ବୀ ସ’, ଶୁଭମନ ଗିଲ୍‌ ଏବଂ ସଞ୍ଜୁ ସାସମନଙ୍କ ଭଳି ଖେଳାଳି ଭିନ୍ନ ଭିନ୍ନ ଶୈଳୀର। ଆମ ଖେଳ ଜୀବନରେ ରାହୁଲ (ଡ୍ରାବିଡ଼) ମୋଠାରୁ ଭିନ୍ନ ଥିଲେ, ମୁଁ ସୌରଭଙ୍କ (ଗାଙ୍ଗୁଲି)ଙ୍କଠାରୁ ଅଲଗା ଥିଲି ଏବଂ ଲକ୍ଷ୍ମଣ ଆମ ସମସ୍ତଙ୍କଠାରୁ ଭିନ୍ନ ଥିଲେ। ତେଣୁ ଏସବୁ ଯୁବ ଖେଳାଳି ଭିନ୍ନ ଭିନ୍ନ ଥିଲେ ବି ନିଜସ୍ବ ଶୈଳୀ ରଖିଛନ୍ତି ଏବଂ ଭବିଷ୍ୟତ ଭଲ’ ବୋଲି ସଚିନ ପ୍ରକାଶ କରିଥିଲେ।

ଟେଷ୍ଟ୍ କ୍ରିକେଟ୍‌ର ପରିମାଣ (୫ କି ୪ ଦିନିଆ) କଥା ଚିନ୍ତା ନ କରି ଏହାର ମାନକୁ ଦେଖାଯାଉ ବୋଲି ସଚିନ ମଧ୍ୟ କହିଥିଲେ। କ୍ରିକେଟ୍ ବୋର୍ଡଗୁଡିକ ସମ୍ପୂର୍ଣ୍ଣ ମୃତ ପିଚ୍‌ କିମ୍ବା ଖେଳି ହେଉନଥିବା ପିଚ୍‌ କରନ୍ତୁ ନାହିଁ। ଏପରିକି କେବଳ ସ୍ପିନ୍‌‌ କି କେବଳ ସିମ୍‌ ପାଇଁ ଏହା ଅନୁକୂଳ ନ ରହୁ। ଖେଳ ପରିବେଶକୁ ଠିକ୍ କରିବା ବଡ଼ କଥା। ସଚିନ ତେନ୍ଦୁଲକର, କ୍ରିକେଟର୍‌, କ୍ରିକେଟ୍ ପ୍ରଶଂସକଙ୍କର କିନ୍ତୁ ଭିନ୍ନ ମତ ରହିଥିବା ନଜରକୁ ଆସିଛି। ସଚିନ କହିଛନ୍ତି ଆମ ନିକଟରେ ଥିବା ଦୁଇଟି ଫର୍ମାଟର କ୍ଷେତ୍ରରକ୍ଷଣ ନିୟମ ବୋଲରଙ୍କୁ କଡ଼ା ଆହ୍ବାନ ଦେଉଛି। ଏଭଳି ଏକ ଫର୍ମାଟ ରହୁ ଯେଉଁଟି ବୋଲର ବି ବ୍ୟାଟ୍‌ରଙ୍କୁ ଆହ୍ବାନ ଦେଇପାରିବେ ବୋଲି ସଚିନ ମତ ରଖିଥିଲେ।

ସଚିନ୍‌ଙ୍କୁ ୧୪ ବର୍ଷ ବୟସରେ ଭେଟିଥିଲେ ରହାଣେ
ମୁମ୍ବାଇ,୨୪|୪: ଭାରତୀୟ କ୍ରିକେଟ୍‌ର ବ୍ୟାଟିଂ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକରଙ୍କ ସହ ୧୪ ବର୍ଷ ବୟସରେ ପ୍ରଥମ ଭେଟ ହୋଇଥିବା ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ଆଜିଙ୍କ୍ୟ ରହାଣେ କହିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଗୁରୁବାର ଏକ ଭିଡିଓ ଛାଡ଼ି ସେଥିରେ ସେ ସଚିନ୍‌ଙ୍କ ସହିତ ହୋଇଥିବା ଏହି ପ୍ରଥମ ସାକ୍ଷତ ବିଷୟରେ ସୂଚନା‌ ଦେଇଛନ୍ତି। ରାହାଣେ କହିଛନ୍ତି ଯେ ଯେତେବେଳେ ତାଙ୍କୁ ୧୪ ବର୍ଷ ବୟସ ହୋଇଥିଲା, ‌ଦିନେ ପ୍ରଶିକ୍ଷକଙ୍କୁ ସଚିନ୍‌ଙ୍କ ସହିତ ଭେଟ କରିବା ପାଇଁ ଅନୁରୋଧ କରିଥିଲେ। ପରେ ପ୍ରଶିକ୍ଷକ ସଚିନ୍‌ଙ୍କଠୁ ଅନୁମତି ଆଣିବା ପରେ ମୋ ଅନୁରୋଧରେ ରାଜି ହୋଇଥିଲେ। ସଚିନ୍‌ ମଧ୍ୟ ରହାଣେଙ୍କୁ ଭୋର ସା‌େଢ ୪ଟା ବେଳକୁ ଆଣି ଆସିବା ପାଇଁ ପ୍ରଶିକ୍ଷକଙ୍କୁ କହିଥିଲେ। ଯେଉଁଦିନ ସଚିନ୍‌ଙ୍କୁ ଭେଟ କରିବାର ‌ଥିଲା, ସେଦିନ ପ୍ରବଳ ଉତ୍ସାହ ଥିବାରୁ ସକାଳ ସାଢେ ୯ଟାରେ ପ୍ରଶିକ୍ଷକଙ୍କ ଘରେ ପହଞ୍ଚିଯାଇଥିଲେ। ସେତେବେଳେ ଆମେ ଡୋମ୍ବିବାଲିରେ ରହୁଥିଲା ବେଳେ ଦାଦରସ୍ଥିତ ‌ପ୍ରଶିକ୍ଷକଙ୍କ ଘରେ ସକାଳୁ ସକାଳୁ ପହଞ୍ଚିଯାଇଥିଲି। ପ୍ରଶିକ୍ଷକ ମଧ୍ୟ ମୋତେ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ଏତେ ଶୀଘ୍ର ଆସିବାର କାରଣ ପଚାରିଥିଲା। ଯଦି ଟ୍ରେନ୍‌ ବିଳମ୍ବରେ ଆସେ କିମ୍ବା ଟ୍ରେନ୍‌ ନମିଳେ ସଚିନ୍‌ଙ୍କୁ ଭେଟିବା ସୁଯୋଗ ହାତଛଡ଼ା ହୋଇଯିବ। ଏଥିପାଇଁ ଶୀଘ୍ର ଆସିବାକୁ ପଡ଼ିଥିବା ରହାଣେ ପ୍ରଶିକ୍ଷକଙ୍କୁ ଉତ୍ତର ଦେଇଥିଲେ। ସେତେବେଳେ ଦିନସାରା କ’ଣ କରିଥିଲି ଯଦିଓ ମନେନାହିଁ, ତଥାପି ଦାଦର ଷ୍ଟେସନ୍‌ ବାହାରେ ବୁଲୁଥିବା ମନେଅଛି। ସଚିନ୍‌ଙ୍କୁ ଭେଟିବା ପାଇଁ ଏତେ ଉତ୍ସାହିତ ହୋଇପଡ଼ିଥିଲି ଯେ ସମୟ କେତେବେଳେ ସରିଯାଉଥିଲା ଜଣାପଡ଼ିଲାନି। ଶେଷରେ ତାଙ୍କ ଘରେ ସଚିନ୍‌ଙ୍କୁ ଭେଟିବାର ସୌଭାଗ୍ୟ ମିଳିଥିଲା। ସେଠାରେ ତାଙ୍କର ଅଟୋଗ୍ରାଫ ନେବା ସହ କ୍ରିକେଟ ବିଷୟରେ କିଛି ସମୟ ପାଇଁ ଆଲୋଚନା କରିଥିବା ‌ରହାଣେ କହିଛନ୍ତି। ପରବର୍ତ୍ତୀ ସମୟରେ ରାହାଣେ ମୁମ୍ବାଇ ପାଇଁ ଖେଳିବା ଆରମ୍ଭ କରିବା ପରେ ସଚିନ୍‌ଙ୍କ ସହ ଅତି ନିକଟରୁ ମିଶିବା ସୁଯୋଗ ପାଇଥିଲେ।

ସଚିନ୍‌ଙ୍କ ସ୍ମୃତିକୁ ମନେପକାଇଲେ ସରୋଜ
କଟକ: କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ୪୭ତମ ଜନ୍ମଦିନ ଅବସରରେ ତାଙ୍କର ସ୍ମୃତିକୁ ପୁଣିଥରେ ମନେ ପକାଇଛନ୍ତି କ୍ରିକେଟ ସଂଗ୍ରହକ ସରୋଜ ରଂଜନ କର। କଟକ ଦରଘାବଜାରସ୍ଥିତ ଘରେ ଖୋଲିଥିବା ଛୋଟ କ୍ରିକେଟ ଓ ଷ୍ଟାମ୍ପ୍‌ ସଂଗ୍ରହାଳୟରେ ସଚିନ୍‌ଙ୍କ ସହିତ ଜଡ଼ିତ ଥିବା କିଛି ସ୍ମୃତିକୁ ସରୋଜ ଏହି କିମ୍ବଦନ୍ତ୍ରୀ ଖେଳାଳିଙ୍କ ପାଇଁ ଉତ୍ସର୍ଗ କରିଛନ୍ତି। ସଚିନ୍‌ଙ୍କ ଅଟୋଗ୍ରାଫ ଥିବା ବ୍ୟାଟ୍‌, ଟୋପି, ବହି, ସ୍ବତନ୍ତ୍ର ମୃଦୁ ପାନୀୟ କେନ୍‌, ସ୍ବତନ୍ତ୍ର ମୁଦ୍ରା, ମ୍ୟାଚ୍‌ ଟିକଟ, ଡାକ ଟିକଟ, ଦ୍ବିଶତକୀୟ ସ୍ମାରକୀ ଇତ୍ୟାଦିକୁ ପୁଣିଥରେ ଏକାଠି କରିଛନ୍ତି। ଯଦିଓ ତାଙ୍କ ସଂଗ୍ରହାଳୟରେ ଭାରତର ତଥା ଅନ୍ୟ ଦେଶର କ୍ରିକେଟ ଖେଳାଳିଙ୍କ ଅନେକ ସ୍ମାରକୀ ମହଜୁଦ୍‌ ରହିଛି, ତଥାପି ସଚିନ୍‌ଙ୍କ ସ୍ମୃତି ତାଙ୍କ ପାଇଁ ସ୍ବତନ୍ତ୍ର ବୋଲି ସରୋଜ କହିଛନ୍ତି। ସୂଚନାଯୋଗ୍ୟ, ବାରବାଟୀ ଷ୍ଟାଡିୟମରେ ଯେକୌଣସି ଆନ୍ତର୍ଜାତିକ ମ୍ୟାଚ୍‌ କିମ୍ବା ଆଇପିଏଲ୍‌ ‌ମ୍ୟାଚ୍‌ ହେଉଥିବା ବେଳେ ସେ ଖେଳାଳିମାନଙ୍କର ଅତି ନିକଟତର ହୋଇଥାନ୍ତି। ‌ଯାହାଫଳରେ ତାଙ୍କୁ ଖେଳାଳିମାନଙ୍କଠୁ କିଛି ସ୍ମୃତି ସାଉଁଟିବାକୁ ସୁଯୋଗ ମିଳିଥାଏ। ନିକଟରେ ବାରବାଟୀ ଷ୍ଟାଡିୟରେ ଅନୁଷ୍ଠିତ ରଣଜୀ ଟ୍ରଫି ବେଳେ ମଧ୍ୟ ମନୋଜ ତିୱାରୀ ଓ ଇଶାନ କିଶାନ୍‌ଙ୍କ ଅଟୋଗ୍ରାଫ ବ୍ୟାଟ ଓ ଟି-ସାର୍ଟ ଇତ୍ୟାଦି ସଂଗ୍ରହ କରିଥିଲେ। ତେବେ ବାରବାଟୀ ଷ୍ଟାଡିୟମରେ ଏକ କ୍ରିକେଟ୍‌ ସଂଗ୍ରହାଳୟ ଖୋଲିବାକୁ ତାଙ୍କର ଆଗ୍ରହ ରହିଥିବା ସରୋଜ କହିଛନ୍ତି।

ସମ୍ବନ୍ଧିତ ଖବର