କାମ ଦେଲା ରାହାଣେଙ୍କ ‘ଭୁବନେଶ୍ବର ଭାବନା’ ଧୋନିଙ୍କ ସହ ତୁଳନା

ଭୁବନେଶ୍ବର, ୨୦ା୧: ‘‘କେବେ କେବେ ଆପଣ ଯାହା ଭାବନ୍ତି, ତାହା ଘଟିନଥାଏ। ମନ ମୁତାବକ ଫଳ ମିଳିନଥାଏ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆପଣ କିନ୍ତୁ ନିଜ ଉପରେ ଭରସା ରଖିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଯେତେବେଳେ ପରିସ୍ଥିତି ଏବଂ ପରିବେଶ ଆପଣଙ୍କ ସପକ୍ଷରେ ନଥାଏ, କିଛି ବି ଠିକ୍ ଚାଲିନଥାଏ, ସେତେବେଳେ ଅନେକ ଲୋକ ଆପଣଙ୍କୁ ଦୟା ଓ ସହାନୁଭୂତି ଦେଖାଇବାକୁ ଆଗେଇ ଆସନ୍ତି, ହେଲେ ଦୟା ଏବଂ ସହାନୁଭୂତି ପାଇଁ ଆପଣଙ୍କ ମନରେ ନକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ ଏବଂ ମନ ଆପଣଙ୍କ ସହ ଲୁଚକାଳି ଖେଳିଥାଏ। ଆପଣ ଭାବନ୍ତି କେବଳ ମୋ ସହିତ ହିଁ କାହିଁକି ଏଭଳି ଘଟୁଛି? ଏଣୁ ଏକଥା ସବୁବେଳେ ମନେ ରଖନ୍ତୁ, ଯେଉଁମାନେ ସହାନୁଭୂତି ଦେଖାଉଛନ୍ତି, ସେମାନଙ୍କଠାରୁ ଦୂରେଇ ରୁହନ୍ତୁ। କେବଳ ନିଜେ ଓ ନିଜ ସହ ରୁହନ୍ତୁ’’।

ଅଷ୍ଟ୍ରେଲିଆ ମାଟିରେ ଭାରତକୁ ଐତିହାସିକ ଶୃଙ୍ଖଳା ବିଜୟ ଉପହାର ଦେଇଥିବା ଅଧିନାୟକ ଅଜିଙ୍କ୍ୟ ରାହାଣେ ୨୦୧୮ ମସିହାରେ ଭୁବନେଶ୍ବରରେ ଆୟୋଜିତ ଏକାମ୍ର କ୍ରୀଡ଼ା ସାହିତ୍ୟ ଉତ୍ସବରେ ଅନ୍ୟତମ ବକ୍ତା ଭାବେ ଯୋଗଦେଇ ଏଭଳି ମତବ୍ୟକ୍ତ କରିଥିଲେ। ସେତେବେଳେ ରାହାଣେଙ୍କ ଏହି କଥା ଉପସ୍ଥିତ ଶ୍ରୋତାଙ୍କ ମନକୁ ଏଭଳି ଭାବେ ଛୁଇଁ ଯାଇଥିଲା ଯେ ସେମାନେ ଠିଆ ହୋଇ ତାଙ୍କୁ ଅଭିବାଦନ ଜଣାଇଥିଲେ। ପାଖାପାଖି ଦୁଇବର୍ଷ ତଳେ ରାହାଣେ କହିଥିବା ଏହି କଥା କିନ୍ତୁ ବ୍ରିସବେନ୍‌ରେ ସତ ହୋଇଛି। ଭାରତୀୟ ଦଳ ଅସଂଖ୍ୟ କ୍ରିକେଟ୍ ବିଶେଷଜ୍ଞ, ବହୁ କ୍ରୀଡ଼ା ପଣ୍ଡିତଙ୍କ ଭବିଷ୍ୟବାଣୀକୁ ନ ଶୁଣି ନିଜ ଦକ୍ଷତା ଉପରେ ଭରସା କରିଥିଲା। ଅସାଧ୍ୟକୁ ସାଧ୍ୟ କରି ଅଷ୍ଟ୍ରେଲିଆର ଅଭେଦ୍ୟ ଦୁର୍ଗ ବ୍ରିସବେନ୍ ପଡ଼ିଆରେ ସ୍ମରଣୀୟ ବିଜୟ ହାସଲ କରି କ୍ରିକେଟ୍ ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା।

ଧୋନିଙ୍କ ସହ ତୁଳନା
ଭାରତୀୟ କ୍ରିକେଟ୍ ଦଳର ଐତିହାସିକ ଶୃଙ୍ଖଳା ବିଜୟ ପରେ କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବ ଶୈଳୀକୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହ ତୁଳନା କରାଯାଉଛି। ଧୋନି ଯେମିତି କଠିନ ସମୟରେ ବରଫ ଭଳି ଥଣ୍ଡା ରହି, ନିଜ ଭାବନାକୁ ଜାଣିବାକୁ ଦିଅନ୍ତି ନାହିଁ, ଠିକ୍ ସେହିଭଳି ରାହାଣେ ମଧ୍ୟ ଚଳିତ ଗସ୍ତରେ ସ୍ଥିତପ୍ରଜ୍ଞ ରହିଥିଲେ। ପ୍ରତିକ୍ରିୟାଶୀଳ ନହୋଇ ମନେ ମନେ ନିଜ ରଣନୀତିକୁ ଆହୁରି ଶାଣିତ କରିବାକୁ ଚେଷ୍ଟା କରିଥିଲେ। ଯାହାର ଫଳ ଦଳକୁ ମିଳିଥିଲା। ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ସେ ଯେଭଳି ଭାବେ ସାହସିକ ଅଧିନାୟକତ୍ବର ପରିଚୟ ଦେଲେ, ତାହା ମଧ୍ୟ ବହୁ ପୂର୍ବତନ କ୍ରିକେଟରଙ୍କୁ ପ୍ରଭାବିତ କରିଛି।

ବିଶେଷ କରି ବ୍ରିସବେନ୍ ଟେଷ୍ଟ୍‌ର ପଞ୍ଚମ ଦିନରେ ଭାରତୀୟ ଦଳ ତାଙ୍କ ନେତୃତ୍ବରେ ଯେଭଳି ଭାବେ ଡ୍ର’ ପାଇଁ ନଖେଳି ବିଜୟ ପାଇଁ ପ୍ରୟାସ କଲା, ତାହା ସମସ୍ତଙ୍କ ମନ କିଣି ନେଇଛି। ଦଳୀୟ ଖେଳାଳିଙ୍କ ସମର୍ଥନ ଏବଂ ସମ୍ମାନ ତାଙ୍କ ସହ ଥିବା ମଧ୍ୟ ଏହି ମ୍ୟାଚ୍ ପରବର୍ତ୍ତୀ ଉତ୍ସବ ପାଳନରୁ ସ୍ପଷ୍ଟ ହୋଇଛି। ନିଜଠାରୁ ନିଜ ଦଳର ଖେଳାଳିଙ୍କୁ ଆଗରେ ରଖିବାର କଳା ବି ରାହାଣେଙ୍କୁ ସ୍ବତନ୍ତ୍ର କରିଛି। ଶୃଙ୍ଖଳା ବିଜୟ ପରେ ଯେତେବେଳେ ତାଙ୍କୁ ବର୍ଡର-ଗାଭାସ୍କର ଟ୍ରଫି ଉତ୍ତୋଳନ କରିବା ଲାଗି ଡକାଗଲା, ସେତେବେଳେ ରାହାଣେ ସିଂହ ଭଳି ଗର୍ଜନ କରିନଥିଲେ। ବରଂ ଜଣେ ସଚ୍ଚା ନେତା ଭଳି ଦଳର ଯୁବ ଓ ଉଦୀୟମାନ ଖେଳାଳିମାନଙ୍କୁ ଟ୍ରଫି ତୋଳି ଧରିବା ପାଇଁ ସଙ୍କେତ ଦେଇ ନିଜ ମହାନତାର ଆଉ ଏକ ପରିଚୟ ଦେଇଥିଲେ। ଯାହା ଧୋନିଙ୍କ ନେତୃତ୍ବରେ ଭାରତ ୨୦୧୧ ବିଶ୍ବକପ୍ ଜିତିବା ମୁହୂର୍ତ୍ତକୁ ମନେ ପକାଇ ଦେଇଥିଲା।

ସମ୍ବନ୍ଧିତ ଖବର