ରାହାଣେଙ୍କ ଶତକ ଦେଲା ବଡ଼ ଆଶା, କ୍ୟାଚ୍‌ ଡ୍ରପରୁ ଫାଇଦା

ମଙ୍କଡ ଓ ସଚିନଙ୍କ ପରେ ରାହାଣେ

ମେଲ୍‌ବର୍ନ: ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ସଂଜମୀ ଶତକ ଏବଂ ରବୀନ୍ଦ୍ର ଜାଦେଜାଙ୍କ ସହ ଅତୁଟ ଶତକୀୟ ଭାଗୀଦାରି ବଳରେ ଭାରତ ନିର୍ଣ୍ଣାୟକ ଅଗ୍ରଣୀ ପଥରେ ଅଗ୍ରସର‌ ହୋଇଛି। ଶନିବାର ଭାରତୀୟ ବୋଲରମାନେ ମିଳିତ ପ୍ରଦର୍ଶନ କରି କଙ୍ଗାରୁ ସେନାକୁ ୧୯୫ରେ ସୀମିତ ରଖିଦେଇଥିବା ‌ବେଳେ ଭାରତ ରବିବାର ବର୍ଷା ବାଧାପ୍ରାପ୍ତ ଦ୍ବିତୀୟ ଦିନରେ ୫ ୱିକେଟ୍ ହରାଇ ୨୭୭ ରନ୍ ସଂଗ୍ରହ କରିନେଇଛି। ହାତରେ ୫ ୱିକେଟ୍ ଥାଇ ଭାରତ ୮୨ ରନ୍‌ ଅଗ୍ରଣୀ ନେଇସାରିଛି। ପୂର୍ବ ପାଳିରେ ଭାରତ ୩୬ ରନ୍‌ରେ ସୀମିତ ରହିଥିବାରୁ ଏବେ ମେଲବର୍ନ ଆଧିପତ୍ୟ ଭ୍ରମଣକାରୀ ଦଳକୁ ଶୃଙ୍ଖଳାରେ ପ୍ରତ୍ୟାବର୍ତନ କରିବାର ସୁଯୋଗ ଦେଇଛି।

ରବିବାର ସକାଳେ ଭାରତ ୩୬/୧ରୁ ଖେଳିଥିଲା। ପଦାର୍ପଣକାରୀ ଯୁବ ତାରକା ଶୁବମନ ଗିଲ୍‌ (୪୫, ୬୫ ବଲ୍‌, ୮ ‌ଚୌକା) ନିଜ ସ୍ବାଭାବିକ ବ୍ୟାଟିଂ କରିଥିଲେ ମଧ୍ୟ ଅର୍ଧଶତକରୁ ବଞ୍ଚିତ ହୋଇଥିଲେ। ପ୍ୟାଟ୍ କମିନ୍ସଙ୍କ ବୋଲିଂରେ ଟିମ୍ ପେନ୍‌ ୱିକେଟ ପଛରେ କ୍ୟାଚ୍‌ ନେଇଥିଲେ। ନିଜର ପରବର୍ତୀ ଓଭରରେ କମିନ୍ସ ମଧ୍ୟ ସମାନ ଢଙ୍ଗରେ ଭାରତର ନିର୍ଭରଯୋଗ୍ୟ ଚେତେଶ୍ବର ପୂଜାରା (୧୭)ଙ୍କୁ ଆଉଟ୍ କରିଥିଲେ। ୬୪ ରନ୍‌ରେ ଭାରତ ୩ ୱିକେଟ୍ ହରାଇ ଦେଇଥିଲା। ଏହି ସମୟରେ ଅଜିଙ୍କ୍ୟ ରାହାଣେଙ୍କ ‌ଧୈର୍ଯ୍ୟ ଓ ଶାନ୍ତ ସ୍ବଭାବର ବ୍ୟାଟିଂ ଭାରତ ଭାଗ୍ୟରେ ବଡ଼ ପରିବର୍ତନ ଆଣିଥିଲା। ହନୁମା ବିହାରୀ (୨୧, ୬୬ ବଲ) ଏବଂ ଆକ୍ରମଣାତ୍ମକ ଋଷବ ପନ୍ତ୍ (୨୯, ୪୦ ବଲ୍‌)ଙ୍କ ସହ ରାହାଣେ ଦୁଇଟି (୫୨ ଓ ୫୭) ଅର୍ଧଶତକୀୟ ଭାଗୀଦାରି ଗଢ଼ିଥିଲେ। ପ୍ରଥମ ଦୁଇ ଅଧିବେଶନରେ ଭାରତ ଦୁଇଟି‌ ଲେଖାଏଁ ୱିକେଟ୍ ହରାଇଥିଲା। ଚା’ପାନ ବିରତି ପୂର୍ବରୁ ସାମୟିକ ବର୍ଷା ହୋଇଥିଲା। ବିରତି ପରେ ରାହାଣେ ଏବଂ ଜାଦେଜା ବଢ଼ିଆ ଭାଗୀଦାରି ଗଢ଼ି ପୁରୁଣା ଓ ନୂଆ ବଲ୍‌କୁ ଠିକଣା ଭାବେ ମୁକାବିଲା କରିଥିଲେ। ଅତୁଟ ଷଷ୍ଠ ୱିକେଟ୍‌ ଭାଗୀଦାରି ପାଇଁ ଏମାନେ ୧୦୪* ରନ୍‌ ସଂଗ୍ରହ କରିସାରିଛନ୍ତି। କମିନ୍ସଙ୍କ ବୋଲିଂରେ ରାହାଣେ ବ୍ୟାକ୍‌ୱାର୍ଡ ପଏଣ୍ଟ୍‌ ଅଞ୍ଚଳରେ ଚୌକା ମାରି ନିଜ ୧୨ତମ ଟେଷ୍ଟ୍ ଶତକ ପୂର୍ଣ୍ଣ କରିଥିଲେ। ଶତକ ହାସଲ ପୂର୍ବରୁ ଏବଂ ପରେ କ୍ୟାଚ୍‌ ହାତଛଡ଼ାରୁ ଜୀବନଦାନ ପାଇଥିଲେ ମଧ୍ୟ ରାହାଣେ ଏକ ସ୍ମରଣୀୟ ଶତକ ହାସଲ କରିନେଇଛନ୍ତି। ରାବୀନ୍ଦ୍ର ଜାଦେଜା ମଧ୍ୟ ୧୦୪ ବଲ୍ ଖେଳି ୪୦* ରନ୍‌ରେ ଅପରାଜିତ ରହିବା ଭାରତକୁ ନିର୍ଣ୍ଣାୟକ ଅଗ୍ରଣୀ ବାଟ ଦେଖାଇଛି।

ମଙ୍କଡ ଓ ସଚିନଙ୍କ ପରେ ରାହାଣେ
ରବିବାର ମେଲବର୍ନ କ୍ରିକେଟ୍ ଗ୍ରାଉଣ୍ଡରେ ଅପରାଜିତ ଶତକ ହାସଲ କରିଥିବା ଅଜିଙ୍କ୍ୟ ରାହାଣେ ବିରଳ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଦୁଇଟି ଦ୍ବାଦଶର ସଂଯୋଗ ପାଇଛନ୍ତି ଏହି ଭାରତୀୟ ଅଧିନାୟକ। ନିଜ ଟେଷ୍ଟ୍ ଜୀବନର ଦ୍ବାଦଶ ଶତକ ହାସଲ କରିଥିବା ବେଳେ ଦ୍ବାଦଶ ଭାରତୀୟ ଅଧିନାୟକ ଭାବେ ଶତକ ପୂର୍ଣ୍ଣ କରିଛନ୍ତି। ମେଲବର୍ନ କ୍ରିକେଟ୍ ଗ୍ରାଉଣ୍ଡ୍ (ଏମ୍‌ସିଜି)ରେ ଦୁଇଟି ଶତକ ହାସଲ କରିବାରେ ରାହାଣେ ଦ୍ବିତୀୟ ଭାରତୀୟ ହୋଇଛନ୍ତି। ପୂର୍ବରୁ କେବଳ ବିନୁ ମଙ୍କଡ ଏମ୍‌ସିଜିରେ ଦୁଇ ଥର ତିନି ଅଙ୍କ ଛୁଇଁଥିଲେ। ସେହିଭଳି ଅଷ୍ଟ୍ରେଲିଆ ମାଟିରେ ଶତକ ହାସଲ କରିବାରେ ରାହ‌ାଣେ ପଞ୍ଚମ ଭାରତୀୟ ହୋଇଛନ୍ତି। ମେଲ୍‌ବର୍ନରେ ଶତକ ହାସଲ କରିବାରେ ତେନ୍ଦୁଲକର (୧୯୯୯)ଙ୍କ ପରେ ରାହାଣେ ଦ୍ବିତୀୟ ଭାରତୀୟ। ପୂର୍ବରୁ ମହମ୍ମଦ ଆଝାରୁଦ୍ଦିନ୍ (୧୦୬, ଆଡିଲେଡ୍‌, ୧୯୯୧-୯୨), ସଚିନ ତେନ୍ଦୁଲକର (୧୧୬, ଏମ୍‌ସିଜି, ୧୯୯୯-୨୦୦୦), ସୌରଭ ଗାଙ୍ଗୁଲି (୧୪୪, ଗାବା, ୨୦୦୩-୦୪) ଥରେ ଲେଖାଏଁ ଏବଂ ବିରାଟ କୋହଲି ୪ ଥର (୧୧୫ ଓ ୧୪୧-ଆଡିଲେଡ୍‌, ୧୪୭ ଏସ୍‌ସିଜି ୨୦୧୪-୧୫ ଏବଂ ୧୨୩-ପର୍ଥ, ୨୦୧୮-୧୯) ଅଷ୍ଟ୍ରେଲିଆରେ ଶତକ ହାସଲ କରିବାର ଗୌରବ ରଖିଛନ୍ତି।

କ୍ୟାଚ୍‌ ଡ୍ରପରୁ ଫାଇଦା
ଆଡିଲେଡ୍‌ରେ ଭାରତ ଏକାଧିକ କ୍ୟାଚ୍‌ ଛାଡ଼ି ପ୍ରଥମ ପାଳିରେ ସୁଯୋଗ ଛାଡ଼ିଥିଲା। ଏବେ ସମାନ ଦଶାରେ ପଡ଼ିଛି ଅଷ୍ଟ୍ରେଲିଆ। ଭାରତର ପ୍ରଥମ ପାଳିରେ ଅଦ୍ୟାବଧି ୪ କ୍ୟାଚ୍‌ ଛାଡ଼ି ସାରିଛନ୍ତି ଅଷ୍ଟ୍ରେଲିଆ ଖେଳାଳି। ସବୁଠୁ ଅଧିକ ଫାଇଦା ମିଳିଛି ଅଜିଙ୍କ୍ୟ ରାହାଣେଙ୍କୁ। ବ୍ୟକ୍ତିଗତ ଭାବେ ୭୩ ଏବଂ ୧୦୪* ରନ୍‌ରେ ଥିବାବେଳେ ଦୁଇ ଥର ରାହାଣେଙ୍କୁ ଜୀବନ ଦାନ ମିଳିଛି। ସେ ୭୩ ରନ୍‌ରେ ଥିବାବେଳେ ଦ୍ବିତୀୟ ନୂଆ ବଲ୍‌ରେ ଷ୍ଟାର୍କ ବୋଲିଂ କରୁଥିଲେ, ଦ୍ବିତୀୟ ସ୍ଲିପ୍‌ରେ କିନ୍ତୁ ଷ୍ଟିଭେନ୍ ସ୍ମିଥ୍‌ ସୁଯୋଗ ହାତଛଡ଼ା କରି ଦେଇଥିଲେ। ସେହିଭଳି ଚୌକା ମାରି ଶତକ ଏବଂ ଆଉ ଏକ ଚୌକା ସହ ଶତକୀୟ ଭାଗୀଦାରି ପୂର୍ଣ୍ଣ କରିବାର କିଛି ସମୟ ପରେ ରାହାଣେ ବର୍ତିଯାଇଥିଲେ। ବର୍ଷା ପାଇଁ ଖେଳ ବନ୍ଦ ହେବାର ଶେଷ ବଲ୍‌ରେ ରାହାଣେ ଏକ ସହଜ କ୍ୟାଚ୍ ଦେଇଥିଲେ। ଟ୍ରାଭିସ୍ ହେଡ୍‌ ଏହାକୁ ଧରି ନେଇଥିଲେ ମଧ୍ୟ କହୁଣି ମାଟିରେ ବାଜିଯିବାରୁ ବଲ୍‌ଟି ବାହାରିଯାଇଥିଲା।

ୱାର୍ନର ତୃତୀୟ ଟେଷ୍ଟ୍ ଖେଳିବା ନେଇ ଆଶଙ୍କା
ତଳି ପେଟ ଆଘାତରେ ଜର୍ଜରିତ ଅଷ୍ଟ୍ରେଲୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ନର ଭାରତ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ୍ ଖେଳି ପାରିନାହାନ୍ତି। ଜାନୁଆରି ୭ ତାରିଖରୁ ସିଡ୍‌ନିରେ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ୍‌ରେ ସେ ଖେଳିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ଏହି ସଙ୍କେତ ଅଷ୍ଟ୍ରେଲୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗର ଦେଇଛନ୍ତି। ‘‘ୱାର୍ନରଙ୍କ ଭଳି ସଚ୍ଚା ପେସାଦାର ଆଉ କେହିନାହାନ୍ତି। ମ୍ୟାଚ୍ ଫିଟ୍ ହେବା ଲାଗି ଯାହା ଦରକାର ସେ ସବୁ କରୁଛନ୍ତି। ମେଲବର୍ନ ଟେଷ୍ଟ୍‌ର ଦିନକ ପୂର୍ବରୁ ସେ ବ୍ୟାଟିଂ କରୁଥିବା ଆମେ ଦେଖିଛୁ। ହେଲେ ତଳିପେଟ ଯନ୍ତ୍ରଣା ଏବେ ବି ତାଙ୍କୁ ବହୁ କଷ୍ଟ ଦେଉଛି।‌ ସେ ଏବେ ପୂର୍ଣ୍ଣ ଫିଟନେସ୍ ପାଇବାର ଅତି ନିକଟରେ ପହଞ୍ଚି ଯାଇଛନ୍ତି। ତେବେ ସିଡ୍‌ନି ଟେଷ୍ଟ୍‌ରେ ସେ ଖେଳିବେ କି ନାହିଁ, ତାହା ଏବେଠାରୁ କହିହେବ ନାହିଁ।

ସମ୍ବନ୍ଧିତ ଖବର