ଅଭ୍ୟାସ ମ୍ୟାଚ୍‌ରେ ରାହାଣେଙ୍କ ଶତକ, ପୂଜାରାଙ୍କ ଅର୍ଧଶତକ

ସିଡ୍‌ନି : ରବିବାର ସିଡ୍‌ନିର ଡ୍ରୁମୋନେ ଓଭାଲଠାରେ ଭାରତ ‘ଏ’ ଏବଂ ଅଷ୍ଟ୍ରେଲିଆ ‘ଏ’ ମଧ୍ୟରେ ଏକ ତିନି ଦିନିଆ ଅଭ୍ୟାସ ମ୍ୟାଚ୍ ଆରମ୍ଭ ‌ହୋଇଥିଲା। ଏହି ମ୍ୟାଚ୍‌ରେ ଭାରତ ‘ଏ’ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦୁଇ ଯୁବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ପୃଥ୍ବୀ ସ’ ଏବଂ ଶୁବମନ ଗିଲ୍‌ କିନ୍ତୁ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ନିଷ୍ପତ୍ତିର ସମ୍ମାନ ରଖି ନଥିଲେ। ଉଭୟ ଖାତା ଖୋଲିବା ପୂର୍ବରୁ ନିଜ ନିଜ ୱିକେଟ୍ ଫିଙ୍ଗି ଦେଇ ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ଅଭ୍ୟାସ କରିବାର ଭଲ ସୁଯୋଗ ହାତଛଡ଼ା କରିଥିଲେ। ହନୁମା ବିହାରୀ ମଧ୍ୟ ମାତ୍ର ୧୫ ରନ୍ କରି ଆଉଟ୍ ହୋଇଯାଇ ଭାରତୀୟ ଶିବିରକୁ ହସ ଫେରାଇ ଆଣିବା ସୁଯୋଗକୁ ବ୍ୟର୍ଥ ଯିବାକୁ ଦେଇଥିଲେ। ଦଳ ୪୦ ରନ୍‌ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ବେଳେ ଅଭିଜ୍ଞ ରାହାଣେ ଓ ଚେତେଶ୍ବର ପୂଜାରା କିନ୍ତୁ ସାହସର ସହ ଖେଳିଥିଲେ। ପୂଜାରା ଧୈର୍ଯ୍ୟପୂର୍ଣ୍ଣ ଅର୍ଧଶତକ ଅର୍ଜନ କରିଥିଲା ବେଳେ ରାହାଣେ (୧୦୮* ରନ୍, ୨୨୮ ବଲ୍, ୧୬ ଚୌକା, ୧ ଛକା) ଚମକପ୍ରଦ ଶତକୀୟ ପାଳି ଖେଳି ସମ୍ମାନ ରଖିଥିଲେ। ତେବେ ନିମ୍ନକ୍ରମରେ ଭାରତ ‘ଏ’ ଆଉ ଏକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପ୍ରଥମ ଦିନର ଖେଳ ‌ଶେଷ ସୁଦ୍ଧା ୮ ୱିକେଟ୍ ହରାଇ ୨୩୭ ରନ୍ କରିଥିଲା।

ସଂକ୍ଷିପ୍ତ ସ୍କୋର: ଭାରତ ‘ଏ’ ୯୦ ଓଭରରେ ୨୩୭/୮ (ଅଜିଙ୍କ୍ୟ ରାହାଣେ ୧୦୮*, ଚେତେଶ୍ବର ପୂଜାରା ୫୪, ଉମେଶ ଯାଦବ ୨୪, କୁଲଦୀପ ଯାଦବ ୧୫, ଜେମ୍ସ ପାଟିନସନ୍ ୩/୫୮, ଟ୍ରାଭିସ୍ ହେଡ୍ ୨/୨୪, ମାଇକେଲ ନାସେର ୨/୫୧)।

ସମ୍ବନ୍ଧିତ ଖବର