ଶାସ୍ତ୍ରୀଙ୍କୁ ରାହାଣେଙ୍କ କଟାକ୍ଷ! ‘ଅଷ୍ଟ୍ରେଲିଆରେ ମୁଁ ନିଷ୍ପତ୍ତି ‌ନେଲି, ‌ଶ୍ରେୟ ଅନ୍ୟ କେହି ନେଇଗଲେ’

ନୂଆଦିଲ୍ଲୀ: ଗତବର୍ଷର ଅଷ୍ଟ୍ରେଲିଆ ଗସ୍ତରେ କାମଚଳା ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ମେଲବର୍ଣ୍ଣ କ୍ରିକେଟ୍ ପଡ଼ିଆରେ ଐତିହାସିକ ବିଜୟ ହାସଲ କରିଥିଲା ଭାରତ। ଅଷ୍ଟ୍ରେଲିଆରେ ଲଗାତାର ଶୃଙ୍ଖଳା ଜିତିବାର ବିରଳ ସଫଳତା ବି ପାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ୍ ଟେଷ୍ଟ୍‌ରେ ଭାରତୀୟ ଦଳ ମାତ୍ର ୩୬ ରନ୍‌ରେ ଅଲଆଉଟ୍ ହୋଇଯିବାର ଘୋର ବିପର୍ଯ୍ୟୟ ପରେ ପରେ ନିୟମିତ ଅଧିନାୟକ ବିରାଟ କୋହଲି ବ୍ୟକ୍ତିଗତ କାରଣ ପାଇଁ ସ୍ବଦେଶ ଫେରି ଆସିଥିଲେ। ତିନି ଜଣ ପ୍ରମୁଖ ଖେଳାଳି ବି ଦଳ ବାହାରେ ଥିଲେ। ଏଭଳି ଏକ ଘଡ଼ସନ୍ଧି ମୁହୂର୍ତ୍ତରେ ରାହାଣେ ଦ୍ବିତୀୟସ୍ତରୀୟ ଭାରତୀୟ ଦଳର ମଙ୍ଗ ଧରି ମେଲବର୍ଣ୍ଣରେ ୮ ୱିକେଟ୍‌ରେ ମହତ୍ବପୂର୍ଣ୍ଣ ବିଜୟ ହାସଲ କରିଥିଲେ। ୨ ଟେଷ୍ଟ୍ ପରେ ସ୍ଥିତି ୧-୧ ଥିଲାବେଳେ ତୃତୀୟ ଟେଷ୍ଟ୍‌କୁ ଭାରତ ଅମୀମାଂସିତ ରଖିଥିଲା। ଶେଷରେ ବ୍ରିସବନ୍ ଟେଷ୍ଟ୍‌କୁ ୩ ୱିକେଟ୍‌ରେ ଜିତି ୨-୧ରେ ଶୃଙ୍ଖଳା ବିଜୟ ହାସଲ କରିଥିଲା। ଏକ ଟେଲିଭିଜନ୍ କାର୍ଯ୍ୟକ୍ରମରେ ଯୋଗଦେଇ ରାହାଣେ ସେହି ସ୍ମରଣୀୟ ଶୃଙ୍ଖଳାରେ ଭାରତର ପ୍ରଦର୍ଶନ ଏବଂ ସେ ନେଇଥିବା ନିଷ୍ପତ୍ତିର ଶ୍ରେୟ କିଭଳି ଆଉ ଜଣେ ନେଇଯାଇଥିଲେ ତା’ ଉପରୁ ପରଦା ଉଠାଇଛନ୍ତି। ଏହି ଅବସରରେ ସେ ସଂପୃକ୍ତ ବ୍ୟକ୍ତିଙ୍କ ନାଁ ନେଇନଥିଲେ। ତେବେ ପରୋକ୍ଷରେ ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ଯେ ଆକ୍ରମଣ କରୁଛନ୍ତି ତାହା ତାଙ୍କ କଥାରୁ ସ୍ପଷ୍ଟ ବାରି ହୋଇଯାଉଥିଲା।

‘‘ ଅଷ୍ଟ୍ରେଲିଆ ବିଜୟ ପରେ କିଛି ଲୋକ ଗଣମାଧ୍ୟମ ସମ୍ମୁଖରେ ମୁଁ ଏମିତି କରିଥିଲି, ସେମିତି କରିଥିଲି ବୋଲି ବାହାସ୍ଫୋଟ ମାରିଥିଲେ। ପ୍ରକୃତରେ କିନ୍ତୁ ସେହି ନିଷ୍ପତ୍ତିଗୁଡ଼ିକ ମୁଁ ନେଇଥିଲି। ପଡ଼ିଆ ଭିତରେ ଯାହା ଠିକ୍ ଭାବିଥିଲି କରିଥିଲି। ହେଲେ ଶ୍ରେୟ ଆଉ ଜଣେ ନେଉଥିଲେ। ଏଥିନେଇ ଆମେ ବିସିସିଆଇ ସହ ଆଲୋଚନା ବି କରିଥିଲୁ। ତାଙ୍କ କଥାରେ ମୋତେ ସେତେବେଳେ ବହୁତ ହସ ଲାଗୁଥିଲା। ମୁଁ ଏହି ବିଷୟରେ କେବେ ବି କାହାକୁ କିଛି କହିନି। ମୋ ବିଷୟରେ ବି ଅଧିକାଂଶ ସମୟ ଚୁପ୍ ରହିଛି। କେବେ ବି ନିଜକୁ ପ୍ରଶଂସା କରିନି। ହେଲେ ସେଠି କ’ଣ କରିଥିଲି, ମୁଁ ତାହା ଭଲ ଭାବରେ ଜାଣିଥିଲି’’ ବୋଲି କହିଥିଲେ ରାହାଣେ। ଖରାପ ଫର୍ମ ପାଇଁ ଏବେ ସମାଲୋଚିତ ହେଉଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ତାଙ୍କ ଉପରେ ପଡ଼େ ନାହିଁ ବୋଲି ଏହି ଅବସରରେ ସ୍ପଷ୍ଟ କରି ଦେଇଥିଲେ ସେ।

ସମ୍ବନ୍ଧିତ ଖବର