ମୁମ୍ବାଇ: ପ୍ରଥମ ଖେଳାଳି ଭାବେ ଶତକୀୟ ଆଇପିଏଲ୍ ମ୍ୟାଚ୍ରେ କେଏଲ୍ ରାହୁଲଙ୍କ ଶତକ ଏବଂ ଭାରତୀୟ ଦ୍ରୁତ ବୋଲର ଅଭେସ୍ ଖାନ୍ଙ୍କ ଚମକପ୍ରଦ ବୋଲିଂ ବଳରେ ଶନିବାର ନବାଗତ ଲକ୍ଷ୍ନୌ ସୁପର୍ ଜିଆଣ୍ଟ୍ସ ୧୮ ରନ୍ରେ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏଥିସହ ମୁମ୍ବାଇ ଇଣ୍ଡିଆନ୍ସର ଜାହାଜ ନିଜ ସହରରେ ହିଁ ବୁଡ଼ିବା ଆରମ୍ଭ କରିଛି। ପ୍ରଥମ ୬ରୁ ୬ ହାରି ପଏଣ୍ଟ ଖାତା ଖୋଲିବାରେ ସକ୍ଷମ ହୋଇପାରିନାହିଁ। ଅନ୍ୟତମ ନୂଆ ଦଳ ଗୁଜରାଟ ଟାଇଟନ୍ସ ଭଳି ଲକ୍ଷ୍ନୌ ସୁପର୍ ଜିଆଣ୍ଟ୍ସ ଚତୁର୍ଥ ବିଜୟ ସହ ପ୍ରଥମ ଦୁଇ ସ୍ଥାନରେ ରହିଛି। ଶନିବାର ବିଶୃଙ୍ଖଳିତ ବୋଲିଂ ଓ ଫିଲ୍ଡିଂ କରି ୧୯୯ ରନ୍ ବ୍ୟୟ କରିବା ପରେ ମୁମ୍ବାଇ ୧୮୧/୯ରେ ସୀମିତ ରହିଯାଇଥିଲା। ରୋହିତ ଶର୍ମା, ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, କିରଣ ପୋଲାର୍ଡ ପ୍ରମୁଖ କେହି ବଡ଼ ପାଳି ନଖେଳିବା ଏହି ଦଳକୁ ୧୦ ଦଳୀୟ ଲିଗ୍ରେ ଶେଷ ସ୍ଥାନରେ ସଂଘର୍ଷ କରିବାକୁ ବାଧ୍ୟ କରିଛି। ଶନିବାର ସ୍ମରଣୀୟ ପାଳି ଖେଳିଥିବା ଅଧିନାୟକ କେଏଲ୍ ରାହୁଲ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ମୁମ୍ବାଇ ଇଣ୍ଡିଆନ୍ସ ଶନିବାର ବ୍ରାବର୍ଣ୍ଣ ଷ୍ଟାଡିୟମ୍ରେ ଟସ୍ ଜିତିଥିଲା। ସୁପର୍ ଜିଆଣ୍ଟସ୍ ପ୍ରଥମ ୱିକେଟ୍ ପାଇଁ ୫.୩ ଓଭରରେ ୫୨ ରନ୍ ସଂଗ୍ରହ କରିବା ପରେ ଆଉ ପଛକୁ ଫେରିନଥିଲା। କ୍ବିଣ୍ଟନ୍ ଡି’କକ୍, ମନୀଷ ପାଣ୍ଡେ, ମାର୍କସ ଷ୍ଟୋଇନିସ, ଦୀପକ ହୁଦା ପ୍ରମୁଖ ଛୋଟ ଛୋଟ ଅବଦାନ ଦେଇଥିବା ବେଳେ ପାଳି ସାରା ଅପରାଜିତ ରହି କେଏଲ୍ ରାହୁଲ ଅଧିନାୟକର ଦାୟିତ୍ବ ତୁଲାଇଥିଲେ। ୩୩ ବଲ୍ରୁ ଅର୍ଦ୍ଧଶତକ ହାସଲ କରିବା ପରେ ବରବର୍ତୀ ୨୩ ବଲ୍ରୁ ଦ୍ବିତୀୟ ୫୦ ରନ୍ ଯୋଡ଼ି ଶତକ ହାସଲ କରିଥିଲେ। ଲକ୍ଷ୍ନୌ ୧୯୯ ରନ୍ର ଆହ୍ବାନଭରା ସ୍କୋର୍ ଛିଡ଼ା କରିଥିବା ବେଳେ ଯଶପ୍ରୀତ୍ ବୁମରା (୪-୦-୨୪-୦) ଓ ଜୟଦେବ ଉନାଦକତ (୪-୦-୩୨-୨) ଭଲ ବୋଲିଂ କରିଥିଲେ।
ଜବାବରେ ଅଭେସ୍ ଖାନ୍ ପ୍ରଥମରୁ ମୁମ୍ବାଇକୁ ଯୁଗଳ ଝଟ୍କା ଦେବା ପରେ ରୋହିତ ଶର୍ମାଙ୍କ ଦଳ ଭାଗୀଦାରି ଗଢ଼ିନପାରି ପରାଜୟ ସ୍ବୀକାର କରିଥିଲା। ବ୍ରେଭିସ୍, ସୂର୍ଯ୍ୟକୁମାର, ତିଲମ ବର୍ମା, କିରଣ ପୋଲାର୍ଡ ସଭିଏଁ ଭଲ ଆରମ୍ଭ ପାଇଥିଲେ ମଧ୍ୟ କେହି ମ୍ୟାଚ୍ ବିଜୟୀ ପାଳି ଖେଳିପାରିନଥିଲେ। ଦୁଇ ଦଳ ମଧ୍ୟରେ ଅଭେସ୍ ଖାନ୍ (୪-୦-୩୦-୩) ପୁଣି ନିର୍ଣ୍ଣାୟକ ସାଜିଥିଲେ।
ଶତକୀୟ ମ୍ୟାଚ୍ରେ ରାହୁଲଙ୍କ କୀର୍ତ୍ତିମାନଭରା ଶତକ
ମୁମ୍ବାଇ: ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ଅଧିନାୟକ କେଏଲ୍ ରାହୁଲ ନିଜ ଶତକୀୟ ଆଇପିଏଲ୍ ମ୍ୟାଚ୍କୁ ସ୍ମରଣୀୟ କରିଛନ୍ତି। ୧୦୦ତମ ମ୍ୟାଚ୍ରେ ଶତକ ଅର୍ଜନ କରିବାରେ ଆଇପିଏଲ୍ ଇତିହାସର ପ୍ରଥମ ଖେଳାଳି ହୋଇଛନ୍ତି ସେ। ସେହିଭଳି ଶନିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୫୬ ବଲ୍ରୁ ତୃତୀୟ ଆଇପିଏଲ୍ ଶତକ ହାସଲ କରି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହବାଗଙ୍କ ଭଳି ଖେଳାଳିଙ୍କୁ ଟପି ଯାଇଛନ୍ତି ରାହୁଲ। ଊନ୍ନବିଂଶ ଓଭରରେ ଟାଇମଲ୍ ମିଲ୍ସଙ୍କୁ ଚୌକା ମାରି ତିନି ଅଙ୍କ ଛୁଇଁଥିବା ରାହୁଲ ଅଧିନାୟକ ଭାବେ ଆଇପିଏଲ୍ ଶତକ ହାସଲ କରିବାରେ ଏବେ ଆର୍ସିବିର ପୂର୍ବତନ ଅଧିନାୟକ ବିରାଟ କୋହଲି (୫ ଶତକ)ଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଆଦାମ ଗିଲକ୍ରିଷ୍ଟ, ସଞ୍ଜୁ ସାମସନ୍, ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହବାଗ ଆଇପିଏଲ୍ରେ ଅଧିନାୟକ ଭାବେ ଗୋଟିଏ ଲେଖାଏଁ ଶତକ ହାସଲ କରିଥିଲେ। କୌଣସି ଗୋଟିଏ ଆଇପିଏଲ୍ ଦଳ ବିପକ୍ଷରେ ଦୁଇଟି ଶତକ ହାସଲ କରିବାରେ କ୍ରିସ୍ ଗେଲ୍ (ବନାମ ପଞ୍ଜାବ କିଙ୍ଗ୍ସ), ବିରାଟ କୋହଲି (ଗୁଜରାଟ ଲାୟନ୍ସ), ଡେଭିଡ୍ ୱାର୍ଣ୍ଣର (କୋଲକାତା ନାଇଟ୍ ରାଇଡର୍ସ)ଙ୍କ ପରେ ଚତୁର୍ଥ ଖେଳାଳି ହୋଇଥିଲେ ରାହୁଲ। ୨୯ ବର୍ଷୀୟ ରାହୁଲ ଶନିବାର ଶତକ ହାସଲ କରିବା ଲାଗି ୯ ଚୌକା ଏବଂ ୫ ଛକା ମାରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/4h6fh465fs4h65fs465fhfhhffh.jpg)