ଉଜ୍ଜୈନ୍‌: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଦୁଇ ମ୍ୟାଚ୍‌କୁ ଜିତି ଭାରତ ଆଗରେ ରହିଛି। କିନ୍ତୁ କେଏଲ୍‌ ରାହୁଲ୍‌ଙ୍କ ପ୍ରଦର୍ଶନକୁ ନେଇ ଚାରିଆଡ଼େ ଆଲୋଚନା ଚାଲିଛି। ତଥାପି ଦଳ ପକ୍ଷରୁ ରାହୁଲଙ୍କ ପ୍ରତି ସମର୍ଥନ ରହୁଥିବାରୁ ଇନ୍ଦୋରରେ ସେ ତାଙ୍କ ଲୟକୁ ‌ଫେରିବେ ବୋଲି ଅନେକ ଆଶା ବାନ୍ଧିଛନ୍ତି। ଏହାରି ମଧ୍ୟରେ ରାହୁଲ୍‌ ଓ ତାଙ୍କ ପତ୍ନୀ ଅଭିନେତ୍ରୀ ଆଥିଆ ସେଟ୍ଟୀ ଉଜ୍ଜୈନସ୍ଥିତ ମ‌ହାକାଳେଶ୍ବର ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ପୂଜା କରୁଥିବା ସମୟର ଏକାଧିକ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ପୂଜାରେ ଆଥିଆ ଏକ ହଳଦିଆ ଶାଢୀ ପିନ୍ଧିଥିଲା ବେଳେ ରାହୁଲ ଧୋତି ପରିଧାନ କରିଥିଲେ। କେବଳ ରାହୁଲ ନୁ‌ହଁନ୍ତି ଚଳିତ ଶୃଙ୍ଖଳାରେ ସଫଳ ଅଲରାଉଣ୍ଡର ସାବ୍ୟସ୍ତ ହୋଇଥିବା ବାମହାତୀ ସ୍ପିନର ଅକ୍ଷର ପଟେଲ୍‌ ମଧ୍ୟ ତାଙ୍କ ପତ୍ନୀ ମେହାଙ୍କ ସହ ମହାକାଳେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।

Advertisment

ଏପରିକି ମନ୍ଦିରର ‘ଭଷ୍ମ ଆଳତୀ’ରେ ଏହି ଦମ୍ପତ୍ତି ସାମିଲ ହୋଇଥିଲେ। ଆଳତୀ ଭୋର୍‌ ୪ଟାରୁ ସାଢେ ୫ଟା ମଧ୍ୟରେ ହୋଇଥିଲା ବେଳେ ଅକ୍ଷର ଓ ମେହା ନନ୍ଦୀ ହଲ୍‌ରେ ଅନ୍ୟ ଭକ୍ତମାନଙ୍କ ସହ ତଳେ ବସିଥିବା ଦେଖାଯାଇଛି। ଏହାପରେ ସେମାନେ ମନ୍ଦିର ଗର୍ଭଗୃହକୁ ଯାଇ ଜଳାଭିଷେକ କରିଥିଲେ। ମନ୍ଦିରରେ ୨ ଘଣ୍ଟା ବିତାଇ ବାହାରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅକ୍ଷର କହିଥିଲେ ଯେ ୫ ବର୍ଷ ପୂର୍ବେ ସେ ଏହି ମନ୍ଦିରକୁ ଆସିଥିଲେ, କିନ୍ତୁ ଭଷ୍ମ ଆଳତୀରେ ସାମିଲ ହୋଇପାରିନଥିଲେ। ତେଣୁ ମୋ ଇଚ୍ଛା ଏଥର ପୂରଣ ହୋଇଛି। ଏହି ଘଟଣାକୁ କେତେକ ପ୍ରଶଂସକ ବିରାଟ କୋହଲିଙ୍କ ସହ ତୁଳନା କରିଛନ୍ତି। ଯେତେବେଳେ କୋହଲି ଫର୍ମକୁ ନେଇ ସଂଘର୍ଷ କରୁଥିଲେ, ସେତେବେଳେ ସେ ଓ ପତ୍ନୀ ଅନୁଷ୍କା ନିୟମିତ ବ୍ୟବଧାନରେ ବିଭିନ୍ନ ଆଧ୍ୟାତ୍ମିକ ସ୍ଥଳ ବୁଲିବାକୁ ଯିବା ସହ ପୂଜାର୍ଚ୍ଚନା କରୁଥିଲେ। ଏହାପରଠୁ କୋହଲି ଚମତ୍କାର ପ୍ରଦର୍ଶନ ଦେଇ ଆସୁଛନ୍ତି। ତେଣୁ ରାହୁଲ୍‌ ମଧ୍ୟ ତାଙ୍କ ଫର୍ମ ଫେରିପାଇବେ ବୋଲି ଅନେକ ପ୍ରଶଂସକ ସୋସିଆଲ୍‌ ମିଡିଆରେ ମତ ରଖିଛନ୍ତି।