ଭୁବନେଶ୍ୱର: ସୁପର କପ୍ ଫୁଟ୍ବଲ୍ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାର ଶୁକ୍ରବାର ତୃତୀୟ ମ୍ୟାଚ୍ରେ ଇଣ୍ଡିଆନ୍ ଆରୋଜକୁ ମାତ୍ ଦେଇ ମୁମ୍ବାଇ ସିଟି ଏଫସି ମୁଖ୍ୟ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛି। କଳିଙ୍ଗ ଷ୍ଟାଡିୟମ୍ରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ମୁମ୍ବାଇ ଦଳ ୨-୧ ଗୋଲ୍ରେ ଇଣ୍ଡିଆନ୍ ଆରୋଜ୍କୁ ପରାସ୍ତ କରିଥିଲା। ମ୍ୟାଚ୍ର ପ୍ରଥମାର୍ଧରେ ଉଭୟ ଦଳ କଡ଼ା ସଂଘର୍ଷ କରିଥିଲେ ମଧ୍ୟ କେହି କାହାରିକୁ ଗୋଲ୍ ଦେବାକୁ ସମର୍ଥ ହୋଇନଥିଲେ। ଫଳରେ ପ୍ରଥମାର୍ଧ ଗୋଲ୍ଶୂନ୍ୟ ଭାବେ ଶେଷ ହୋଇଥିଲା। ଆରୋଜ୍ ଦ୍ୱିତୀୟାର୍ଧରେ ମୁମ୍ବାଇ ସିଟି ଗୋଲ୍ପୋଷ୍ଟ୍ ଉପରକୁ ଘନ ଘନ ଆକ୍ରମଣ କରିଥିଲା। ତିନି ତିନିଟି ସୁଯୋଗ ପାଇଥିଲେ ମଧ୍ୟ ଏହାକୁ ଗୋଲ୍ରେ ରୂପାନ୍ତରିତ କରିବାରେ ବିଫଳ ହୋଇଥିଲା। ତେବେ ଶୁକ୍ରବାର ୧୮ ବର୍ଷ ବୟସରେ ପାଦ ଦେଇଥିବା ରାହୁଲ କାନ୍ନୋଲି ପ୍ରବୀଣ ୭୭ ମିନିଟ୍ରେ ଗୋଲ୍ ଦେଇ ଆରୋଜ୍କୁ ଆଗୁଆ କରି ନେଇଥିଲେ। ନିର୍ଧାରିତ ସମୟର ଶେଷ ମିନିଟ୍ ପର୍ଯ୍ୟନ୍ତ ଆରୋଜ୍ ଆଗୁଆ ରହିଥିଲେ ମଧ୍ୟ ଇଞ୍ଜୁରି ସମୟ ପ୍ରଥମ ମିନିଟ୍ରେ ମୁମ୍ବାଇକୁ ଏକ ପେନାଲ୍ଟି ସୁଯୋଗ ମିଳିଥିଲା। ଏହାକୁ କାମେରୁନ୍ ତାରକା ଆଚିଲେ ଏମାନା ଏଜିମ୍ବି ଗୋଲ୍ରେ ପରିଣତ କରି ସ୍ଥିତି ୧-୧କୁ ଆଣିଥିଲେ। ଫଳାଫଳ ପାଇଁ ୩୦ ମିନିଟ୍ର ଅତିରିକ୍ତ ସମୟ ଖେଳା ଯାଇଥିଲା। ଏଥିରେ ମୁମ୍ବାଇ ଦଳ ଆକ୍ରମଣାତ୍ମକ ଖେଳି ବଲ୍କୁ ଆରୋଜ୍ ପଟେ ରଖିଥିଲା। ଅତିରିକ୍ତ ସମୟର ପ୍ରଥମାର୍ଧ ଶେଷ ହେବାର ଗୋଟିଏ ମିନିଟ୍ ପୂର୍ବରୁ ବ୍ରାଜିଲୀୟ ଖେଳାଳି ଭର୍ତନ ଲିଆଣ୍ଡ୍ରୋ ଦସ୍ ସାନ୍ତୋସ୍ ପିଣ୍ଟୋ ଗୋଲ୍ ଦେଇ ମୁମ୍ବାଇକୁ ବିଜୟ ଦିଗରେ ଅଗ୍ରସର କରିଥିଲେ। ଦ୍ୱିତୀୟାର୍ଧରେ ଆରୋଜ୍ ଦଳ ଆକ୍ରମଣ କରିଥିଲେ ମଧ୍ୟ ଗୋଲ୍ ଦେବାକୁ ସକ୍ଷମ ନ ହୋଇ ମ୍ୟାଚ୍ ହାତ ଛଡ଼ା କରିଥିଲା। ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବାର୍ଥ ଡେ ବୟ ଆରୋଜ୍ର ରାହୁଲ କାନ୍ନୋଲି ପ୍ରବୀଣଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର କ୍ରୀଡ଼ା ବିଭାଗ ଓଏସ୍ଡି ଚଞ୍ଚଲ୍ ରାଣା ପ୍ରଦାନ କରିଥିଲେ। ମାର୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଥିବା ମୁଖ୍ୟ ପର୍ଯ୍ୟାୟରେ ମୁମ୍ବାଇ ସିଟି ଅପ୍ରେଲ୍ ୫ ତାରିଖରେ ଇଷ୍ଟ୍ ବେଙ୍ଗଲକୁ ଭେଟିବ।
ରାକେଶଙ୍କୁ ମିଳିଲାନି ସୁଯୋଗ
ଏକମାତ୍ର ଓଡ଼ିଆ ଖେଳାଳି ଭାବେ ମୁମ୍ବାଇ ସିଟି ଦଳରେ ଥିବା ରାକେଶ ଓରାମଙ୍କୁ କଳିଙ୍ଗ ଷ୍ଟାଡିୟମରେ ସୁଯୋଗ ମିଳିଲାନି। ନିଜ ଘରୋଇ ପଡ଼ିଆରେ ଖେଳିବାର ଆଶା ରଖିଥିବା ଏହି ଓଡ଼ିଆ ଖେଳାଳିଙ୍କୁ ବାହାରେ ବସିବାକୁ ପଡ଼ିଥିଲା। ରାକେଶଙ୍କ ଖେଳ ଦେଖି ନପାରି ଘରୋଇ ଦର୍ଶକ ନିରାଶ ହୋଇଥିଲେ।
ଚେନ୍ନାଇ ଚିତ୍ପଟାଙ୍ଗ
ଶୁକ୍ରବାର ସୁପର୍ କପ୍ ଫୁଟ୍ବଲ୍ ପ୍ରତିଯୋଗିତାର ଶେଷ ଯୋଗ୍ୟତା ମ୍ୟାଚ୍ରେ ଏଟିକେର ଗୋଲ୍ ବର୍ଷାରେ (୪-୧) ଚେନ୍ନାଇ ସିଟି ଏଫ୍ସି ଚିଟ୍ପଟାଙ୍ଗ ଦେଇଛି। ଏହି ବିଜୟ ସହ ଏଟିକେ ନିଜ ପାଇଁ ପ୍ରି-କ୍ୱାର୍ଟର୍ ଫାଇନାଲ୍ ସ୍ଥାନ ସୁରକ୍ଷିତ କରି ନେଇଥିଲା ବେଳେ ଚେନ୍ନାଇ ବିଦାୟ ନେଇଛି। ଏଟିକେ ଆସନ୍ତା ମାସ ୩ ତାରିଖ ପ୍ରି-କ୍ୱାର୍ଟର୍ ଫାଇନାଲ୍ରେ ଏଫ୍ସି ଗୋଆକୁ ଭେଟିବ। ଶୁକ୍ରବାରର ଦ୍ୱିତୀୟ ମ୍ୟାଚ୍ ଆରମ୍ଭରୁ ସାମାନ୍ୟ ବର୍ଷା ହୋଇଥିଲା। କୋହଲା ପାଗରେ ଉଭୟ ଦଳର ଖେଳାଳି ଟିକେ ଜୋସ୍କୁ ଆସିଲା ବେଳେ ୩୬ ମିନିଟ୍ରେ ଗୋଟିଏ ଫ୍ଲଡ୍ ଲାଇଟ୍ ଜଳି ନଥିଲା। ଫଳରେ ମ୍ୟାଚ୍କୁ ରେଫରି ୬ ମିନିଟ୍ ପାଇଁ ବନ୍ଦ ରଖିଥିଲେ। ଫ୍ଲଡ୍ ଲାଇଟ୍ ସଜଡ଼ାଯିବା ପରେ ମ୍ୟାଚ୍ ଆରମ୍ଭ ସାଙ୍ଗକୁ ପଡ଼ିଆ ମଧ୍ୟରେ ଗୋଲ୍ ମଧ୍ୟ ଆରମ୍ଭ ହୋଇଥିଲା। ୩୭ତମ ମିନିଟ୍ରେ ଏକ କର୍ନରକୁ ହିତେଶ ଶର୍ମା ଗୋଲ୍ରେ ପରିଣତ କରି ଏଟିକେକୁ ୧-୦ରେ ଆଗୁଆ କରିଥିଲେ। ଅବଶ୍ୟ ଏହି ଖୁସି ଏଟିକେର ବେଶି ସମୟ ରହିନଥିଲା। ପ୍ରଥମ ଇଂଜୁରି ସମୟର ୫ ମିନିଟ୍ରେ ଏକ କର୍ନର୍କୁ ଫ୍ରାନ୍ସର ଚେନ୍ନାଇ ଖେଳାଳି ମୁଣ୍ଡରେ ଗୋଲ୍ ପୋଷ୍ଟ୍କୁ ପଠାଇ ସ୍ଥିତି ସମାନ କରିଦେଇଥିଲେ। କିନ୍ତୁ ଦ୍ୱିତୀୟାର୍ଧରେ ଏଟିକେ ଗୋଲ୍ ବର୍ଷା ଆରମ୍ଭ କରି ଦେଇଥିଲା। ୫୭ ମିନିଟ୍ରେ ପର୍ତୁଗାଲର ଜେଚିମା, ୭୪ ମିନିଟ୍ରେ ଭାରତୀୟ ତାରକା ଆଶୁତୋଷ ମେହେତା ଏବଂ ୮୨ ମିନିଟ୍ରେ ଅଧିନାୟକ ଆୟର୍ଲାଣ୍ଡ୍ ତାରକା ରବର୍ଟ କିଆନେ ଗୋଟିଏ ଲେଖାଏଁ ଗୋଲ୍ ଦେଇ ଏଟିକେକୁ ବଡ଼ ବିଜୟ ଭେଟି ଦେଇଥିଲେ। ବିଜୟୀ ଦଳର ଦକ୍ଷିଣ ଆଫ୍ରିକା ଖେଳାଳି ଶିବଙ୍ଗାକୋଙ୍କେ ଏମ୍ବାଥା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ମାଗଣା ଟିକେଟ୍ ସତ୍ତ୍ୱେ ସିଟ୍ ଖାଲି
ପ୍ରଥମ ଦିନ ଷ୍ଟାଡିୟମ ପ୍ରାୟ ଖାଲି ପଡ଼ିବା ପରେ ଦ୍ୱିତୀୟ ଦିନ ୪,୦୦୦ ଟିକେଟ୍ ମାଗଣା ବାଣ୍ଟିବାର ବ୍ୟବସ୍ଥା ହୋଇଥିଲା। ଏହା ସତ୍ୱେ ପୂର୍ବ ଦିନ ପରି ଷ୍ଟାଡିୟମ ଖାଲି ପଡ଼ିଥିଲା। ଏହି ୪,୦୦୦ ଟିକେଟ୍ର ଅଧାରୁୁ କିଛି ଅଧିକ ସରିଥିଲା। ଇଣ୍ଡିଆନ୍ ଆରୋଜ୍ ଏବଂ ମୁମ୍ବାଇ ସିଟି ମଧ୍ୟରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍ ବେଳେ ଷ୍ଟାଡିୟମ କିଛି ଭର୍ତ୍ତି ଲାଗିଥିଲା। ଦ୍ୱିତୀୟ ମ୍ୟାଚ୍ ବେଳେ ପାଗ କୋହଲା ହେବାରୁ ଆଉ ଷ୍ଟାଡିୟମକୁ ଅଧିକ ଦର୍ଶକ ଆସି ନ ଥିଲେ।
ଫ୍ଲଡ୍ ଲାଇଟ୍ ପାଇଁ ୬ ମିନିଟ୍ ବନ୍ଦ
ଶୁକ୍ରବାର ଶେଷ ମ୍ୟାଚ୍ରେ ଫ୍ଲଡ୍ ଲାଇଟ ୬ ମିନିଟ୍ ପାଇଁ ବାଧା ଦେଇଥିଲା। ଏଟିକେ ଏବଂ ଚେନ୍ନାଇ ସିଟି ଏଫ୍ସି ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ର ୩୬ ମିନିଟ୍ରେ ଗୋଟିଏ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯାଇଥିଲା। ଯାହାପାଇଁ ରେଫରି ପ୍ରାୟ ୬ ମିନିଟ୍ ପର୍ଯ୍ୟନ୍ତ ଖେଳକୁ ବନ୍ଦ ରଖିଥିଲେ। ଫ୍ଲଡ୍ ଲାଇଟ୍ ସଜଡ଼ାଯିବା ପରେ ପୁଣି ଥରେ ଖେଳ ଆରମ୍ଭ ହୋଇଥିଲା।