ରାହୁଲ ସବୁଠୁ ପ୍ରଭାବୀ ଭାରତୀୟ ବ୍ୟାଟ୍ସମ୍ୟାନ୍: ସ୍ମିଥ୍

ନୂଆଦିଲ୍ଲୀ: ସାଂପ୍ରତିକ ପିଢ଼ିର ଯୁବ ଭାରତୀୟ କ୍ରିକେଟରଙ୍କ ମଧ୍ୟରେ କେଏଲ୍ ରାହୁଲ ସବୁଠାରୁ ପ୍ରଭାବୀ। ସେ ଜଣେ ଚମତ୍କାର ବ୍ୟାଟ୍ସମ୍ୟାନ୍। ସେହିଭଳି ଆଇପିଏଲ୍ ହେଉଛି ମୋର ପସନ୍ଦର କ୍ରିକେଟ୍ ପ୍ରତିଯୋଗିତା ବୋଲି ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ କହିଛନ୍ତି। ରାହୁଲଙ୍କୁ ପରୋକ୍ଷରେ ‌ସେ ସମସ୍ତ ଭାରତୀୟ ଯୁବ ତାରକାଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି କହିଛନ୍ତି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଜଣେ କିଂବଦନ୍ତି ଖେଳାଳି ଭାବେ ବର୍ଣ୍ଣନା କରିଛନ୍ତି ସ୍ମିଥ୍। ଧୋନିଙ୍କୁ ମଧ୍ୟ ସେ ମିଷ୍ଟର କୁଲ୍ ଭାବେ ସମ୍ବୋଧନ କରିଛନ୍ତି। ଆଇପିଏଲ୍ ଖେଳିବାର ଅଭିଜ୍ଞତାକୁ ବର୍ଣ୍ଣନା କରିବାକୁ ଯାଇ ସ୍ମିଥ୍ କହିଛନ୍ତି ଯେ ଆଇପିଏଲ୍ ଖେଳିବା‌ର ଅଭିଜ୍ଞତା ସବୁଠାରୁ ନିଆରା।

ଏଥିରେ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଓ ବୋଲରଙ୍କ ସହିତ ଏବଂ ସେମାନଙ୍କ ବିପକ୍ଷରେ ଖେଳିବାର ସୁଯୋଗ ମିଳିଥାଏ। ଭାରତର ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ନେଇ ମଧ୍ୟ ସେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ‘‘ଏହାକୁ ମୁଁ ଚାତକ ଭଳି ଅପେକ୍ଷା କରି ରହିଛି। ଏହା ଏକ ଚମତ୍କାର ଶୃଙ୍ଖଳା ହେବ’’। ସେପଟେ ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ଼ଙ୍କୁ ସ୍ମିଥ୍ ଜଣେ ସଚ୍ଚା ଭଦ୍ରଲୋକ ଭାବେ ବର୍ଣ୍ଣନା କରିଛନ୍ତି। ସୂଚନାଯୋଗ୍ୟ ଯେ ଯୁବ ତାରକା ରାହୁଲ ଭାରତ ପକ୍ଷରୁ ୩୬ ଟେଷ୍ଟ୍, ୩୨ ଦିନିକିଆ ଓ ୪୨ ଟ୍ବେଣ୍ଟି-୨୦ ଖେଳିଛନ୍ତି। ପାଳି ଆରମ୍ଭ କରିବା ସହ ସେ ମଧ୍ୟ ସୀମିତ ଓଭର କ୍ରିକେଟ୍‌ରେ ୱିକେଟ୍ ରକ୍ଷକ ଦାୟିତ୍ବ ତୁଲାଇ ଆସୁଛନ୍ତି।

ସମ୍ବନ୍ଧିତ ଖବର