ରାହୁଲ ନେବେ ଧାଓ୍ଵନଙ୍କ ସ୍ଥାନ

କେପ୍‌ଟାଉନ୍‌: କେପ୍‌ଟାଉନ୍‌ରେ ପରାଜିତ ହେବା ପରେ ଶନିବାରଠାରୁ ସେଞ୍ଚୁରିଅନ୍‌ରେ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ କ୍ରିକେଟ୍‌ ଦଳ ତା’ର ରଣନୀତିରେ କିଛିଟା ପରିବର୍ତନ କରିବାର ସଂକେତ ଦେଇଛି। ବିଶେଷ କରି ପ୍ରାରମ୍ଭିକ ଯୋଡ଼ିରେ ଅଦଳ ବଦଳ ହେବା ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଛି। ଯୁବ ତାରକା ଲୋକେଶ ରହୁଲ ଅଭିଜ୍ଞ ଶିଖର ଧାଓ୍ଵନଙ୍କ ସ୍ଥାନ ନେଇ ପାରନ୍ତି। କଳାତ୍ମକ ବ୍ୟାଟିଂ କରିବାରେ ସିଦ୍ଧହସ୍ତ ଲୋକେଶ ରାହୁଲଙ୍କୁ ପ୍ରଥମ ଟେଷ୍ଟ୍‌ରେ ନଖେଳାଇ ଅଧିନାୟକ ବିରାଟ କୋହଲି ଏବଂ ମୁଖ୍ୟ ପ୍ରଶିକ୍ଷକ ରବିଚ ଶାସ୍ତ୍ରୀ ସମାଲୋଚିତ ହେବା ପରେ ଧାଓ୍ଵନ ସେଞ୍ଚୁରିଅନରେ ଖେଳିବା ନେଇ ଆଶଙ୍କା ଦେଖା ଦେଇଛି। ରାହୁଲ ହିଁ ତାଙ୍କ ସ୍ଥାନ ନେବାର ଅଧିକ ସମ୍ଭାବନା ରହିଛି। ସେପଟେ ପଞ୍ଚମ ସ୍ଥାନରେ ଅଜିଙ୍କ୍ୟ ରାହାଣେଙ୍କୁ ନଖେଳାଇ ରୋହିତ ଶର୍ମାଙ୍କୁ ସୁଯୋଗ ଦିଆଯିବା ମଧ୍ୟ ବେଶ୍‌ ଚର୍ଚାକୁ ଆସିଥିଲା। ସେହିଭଳି ଯୁବ ଦ୍ରୁତ ବୋଲର ଯସପ୍ରୀତ ବୁମରାଙ୍କୁ ଖେଳାଇବା ବି ବିବାଦୀୟ ହୋଇ ପଡ଼ିଥିଲା। ଈଶାନ୍ତ ଶର୍ମା ଏବଂ ଉମେଶ ଯାଦବଙ୍କ ଭଳି ଅଭିଜ୍ଞ ବୋଲର ଥିଲା ବେଳେ ବୁମରାଙ୍କୁ ସୁଯୋଗ ମିଳିବା କ୍ରିକେଟ୍‌ ପଣ୍ଡିତଙ୍କ ବିସ୍ମିତ କରିଥିଲା। ସେଞ୍ଚୁରିଅନ୍‌ରେ ଏହି ସବୁ ତ୍ରୁଟି ଦୂର କରିବାକୁ କୋହଲି-ଶାସ୍ତ୍ରୀ ଯୋଡ଼ି ପ୍ରସ୍ତୁତ ହୋଇ ସାରିଥିବା ଜଣା ପଡ଼ିଛି। ତେବେ ରୋହିତଙ୍କୁ ଆଉ ଏକ ସୁଯୋଗ ଦେବାର ସଂକେତ ଦଳୀୟ ପରିଚାଳକମାନେ ଦେଇଛନ୍ତି। ଗତବର୍ଷ ରୋହିତ ୧୦ ଦିନିକିଆ ଖେଳି ୬୨.୬୭ ହାରରେ ୫୬୪ ରନ୍‌ କରିବା ପୁଣି ଥରେ ତାଙ୍କ ସପକ୍ଷରେ ଯାଇପାରେ। ଅନ୍ୟ ପକ୍ଷରେ ରାହାଣେ ୭ ଟେଷ୍ଟ ଖେଳି ୩୦୦ ରନ୍‌ କରିବା ତାଙ୍କ ବିପକ୍ଷରେ ଯିବାର ଆଶଙ୍କା ଅଧିକ।

ପରାଜୟ ପରବର୍ତୀ ପାଞ୍ଚ କଥା

ନୂଆଦିଲ୍ଲୀ: କେପ୍‌ ଟାଉନ୍‌ ଟେଷ୍ଟ୍‍ରେ ପରାଜୟ ପରେ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଥିବା ତୃତୀୟ ଟେଷ୍ଟ୍‍ ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ସେଞ୍ଚିରିଅନ୍‌ରେ ଖେଳାଯିବାକୁ ଥିବା ଏହି ଟେଷ୍ଟ୍‍ ପାଇଁ ଭାରତୀୟ ଶିବିର ୫ଟି ପ୍ରସଙ୍ଗରେ ନଜର କେନ୍ଦ୍ରୀଭୂତ କରିଛି। ଚର୍ଚାରେ ରହିଛି ଏହି ପାଞ୍ଚ ପ୍ରସଙ୍ଗ। ପ୍ରଥମତଃ ପ୍ରାରମ୍ଭିକ ଯୋଡ଼ି କେପ୍‌ଟାଉନ୍‌ରେ ମାତ୍ର ୧୬ ଓ ୩୦ ରନ୍‌ କରିଥିଲେ। ଶିଖର ଧାଓ୍ଵନ ଉଭୟ ଥର ସର୍ଟ ବଲ୍‌କୁ ପୁଲ୍‌ କରି ଆଉଟ୍‌ ହୋଇଥିବାବେଳେ ମୁରଲୀ ବିଜୟ ଗଲିକୁ ବଲ୍‌ ପଠାଇ ଫେରିଥିଲେ। ଏମାନେ ଏବେ ଠିକଣା ପ୍ରାରମ୍ଭିକ ଯୋଡ଼ିକୁ ନୁହେଁ ପ୍ରଶ୍ନ ଉଠିଛି। ବାମ-ଡାହାଣ ସମନ୍ଵୟ ଦୃଷ୍ଟିରୁ ଧାଓ୍ଵନ ନିଶ୍ଚିତ ରହୁଥିଲେ ମଧ୍ୟ ଲୋକେଶ ରାହୁଲଙ୍କ ପାଇଁ ଏବେ ବାଟ ଛାଡ଼ିବାକୁ ହେବ।

ଦ୍ୱିତୀୟରେ ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ କେପ୍‌ ଟାଉନ୍‌ରେ ନ ଖେଳାଇବାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଦେଶ ବାହାରେ ରାହାଣେଙ୍କ ହାରାହାରି ୫୩.୪୪। େଓ୍ଵଲିଂଟନ୍‌, ମେଲ୍‌ବର୍ନ, ଲଣ୍ଡନ୍‌, ଜାମାଇକା ଓ କଲମ୍ବୋ (ଦୁଇ ଥର) ଶତକ ହାସଲ କରିଛନ୍ତି ଏହି ମୁମ୍ବାଇ ବ୍ୟାଟସମ୍ୟାନ୍‌। ଘରୋଇ ମାଟିରେ କିନ୍ତୁ ତାଙ୍କ ପ୍ରଦର୍ଶନ ୩୩.୬୩ ନିରାଶ କରିଛି। ରାହାନେଙ୍କ ସଂଘର୍ଷମୟ ଜୀବନ ନୂଆ ନୁହେଁ। ଟେଷ୍ଟ୍‍ କ୍ରିକେଟ୍‌ରେ ଆଉଟ ହୋଇଥିବା ୬୪ ଥର ମଧ୍ୟରୁ ୩୫ ଥର ସ୍ପିନ୍‌ର ଶିକାର ହୋଇଛନ୍ତି। ତାଙ୍କ ସ୍ଥାନ ନେଇଥିବା ରୋହିତ ଶର୍ମା ବିଦେଶରେ ୨୫.୧୧ ହାରରେ ରନ୍‌ ସଂଗ୍ରହ କରିଛନ୍ତି। କେପ୍‌ଟାଉନ୍‌ (୧୧,୧୦)ରେ ସେ ବିଫଳ ଥିଲେ।

ରାହାଣେଙ୍କୁ ଖେଳାଇବା ପାଇଁ ଆଉ ଏକ ବାଟ ରହିଛି। ଦ୍ରୁତ ବୋଲିଂର ପ୍ରାଧାନ୍ୟ ରହୁଥିବାରୁ ଏବେ ଅନ୍ୟୁନ ଜଣେ ସ୍ପିନରଙ୍କୁ ଖେଳାଇବା କ’ଣ ଜରୁରୀ ବୋଲି ତର୍କ ଉଠିଛି। କେପ୍‌ ଟାଉନ୍‌ରେ ଭାରତ କେବଳ ଆର୍‌ ଅଶ୍ୱିନ୍‌ଙ୍କୁ ଖେଳାଇଥିଲା। ଅଶ୍ୱିନ୍‌ କେପ୍‌ ଟାଉନ୍‌ରେ ମାତ୍ର ୮ ଓଭର ବୋଲିଂ କରିଥିଲେ। ପ୍ରଥମ ପାଳିରେ ଦକ୍ଷିଣ ଆଫ୍ରିକାର ୨ ନିମ୍ନକ୍ରମ ଓ୍ଵିକେଟ୍‌ ନେଇଥିଲେ। ନିଜ ଖେଳ ଜୀବନରେ ୪ ଶତକ ଏବଂ ୧୧ ଅର୍ଧଶତକ ସହିତ ଅଶ୍ୱିନ୍‌ ମଧ୍ୟ ଜଣେ ଦକ୍ଷ ବ୍ୟାଟସମ୍ୟାନ୍‌ ବୋଲି ପ୍ରମାଣିତ କରି ସାରିଛନ୍ତି। ଶିଖର ଧାଓ୍ଵନଙ୍କ ବଦଳରେ ଲୋକେଶ ରାହୁଲଙ୍କ ସାମିଲ କରାଯିବା ଫଳରେ ଆଉ ଏକ ବିକଳ୍ପ ମଧ୍ୟ ଖୋଲା ରହିଛି।। ସଂରକ୍ଷିତ ଓ୍ଵିକେଟ ରକ୍ଷକ ପାର୍ଥିବ ପଟେଲଙ୍କୁ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଭାବେ ଖେଳାଗଲେ ମଧ୍ୟକ୍ରମରେ ରାହାଣେ ଏବଂ ରୋହିତଙ୍କୁ ଖେଳାଯାଇ ପାରିବ। ଶେଷ ଥର ପାଇଁ ୨୦୧୬ରେ ପାର୍ଥିବଙ୍କୁ ଇଂଲଣ୍ଡରେ ମିଳିଥିବା ସୁଯୋଗରେ ସେ ୪୨, ୬୭*, ୧୫ ଏବଂ ବ୍ୟକ୍ତିଗତ ଶ୍ରେଷ୍ଠ ୭୧ ରନ୍‌ କରିଥିଲେ।

କେପ୍‌ ଟାଉନ୍‌ରେ ଫିଲାଣ୍ଡର ଫୁତ୍‌କାରରେ ଉଡ଼ିଯାଇଥିବା ଭାରତ ଏବେ ପ୍ରତ୍ୟାବର୍ତନ ନଜରରେ ରହିଛି। ବିରାଟ କୋହଲିଙ୍କ ଓ୍ଵିକେଟ୍‌ ସହିତ କେପ୍‌ଟାଉନ୍‌ରେ ୯ ଓ୍ଵିକେଟ୍‌ ନେଇଥିବା ଭର୍ନାନ୍‌ ଫିଲାଣ୍ଡର୍‌ ଏଥି ପାଇଁ ଢ଼େର ଯୋଜନା କରିଥିଲେ। ସେଞ୍ଚୁରିଅନ୍‌ରେ ଭାରତୀୟ ବ୍ୟାଟସମ୍ୟାନ୍‌ଙ୍କୁ ସେମାନେ ଅଧିକ ଆହ୍ଵାନରେ ପକାଇବେ ବୋଲି ଆଶଙ୍କା କରାଯାଉଛି। ମର୍ନି ମର୍କେଲ ନିଜ ଘରୋଇ ପଡ଼ିଆରେ ଅଧିକ ବିପଜ୍ଜନକ ହୋଇପାରନ୍ତି। ସେଞ୍ଚୁରିଅନ୍‌ର ବାଉନ୍‌ସୀ ଓ୍ଵିକେଟ୍‌ ଦୃଷ୍ଟିରୁ ଈଶାନ୍ତ ଶର୍ମାଙ୍କ ଖେଳାଇବା ଉଚିତ ହେବ।

ସମ୍ବନ୍ଧିତ ଖବର