ରାହୁଲ ଦ୍ରାବିଡ଼ଙ୍କ ବଡ଼ପଣ, କହିଲେ ସମସ୍ତଙ୍କୁ ମିଳୁ ସମାନ ପରିମାଣରେ ରାଶି

ଜୁନିଅର୍‌ ଟିମ୍‌ ବିଶ୍ୱକପ୍‌ ଚମ୍ପିଅନ୍‌ ହେବା ପରେ ବିସିସିଆଇ ପକ୍ଷରୁ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ପୂର୍ବତନ ଲୋକପ୍ରିୟ କ୍ରିକେଟର ତଥା ଜୁନିଅର ଟିମ୍‌ ଇଣ୍ଡିଆର କୋଚ୍‌ ରାହୁଲ ଦ୍ରାବିଡ଼ ପୁଣି ଥରେ ବଡ଼ଲୋକର ପରିଚୟ ଦେଇଛନ୍ତି। ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ୍‌ରେ ଚମ୍ପିଅନ୍‌ ହେବା ପରେ ଭାରତୀୟ ଟିମ୍‌କୁ ପୁରସ୍କାର ଦେବା ପାଇଁ ବିସିସିଆଇ ଘୋଷଣା କରିଛି। ଟିମ୍‌ର ମୁଖ୍ୟ କୋଚ୍‌ ଦ୍ରାବିଡ଼ଙ୍କୁ ସବୁଠାରୁ ଅଧିକ ୫୦ ଲକ୍ଷ, ଖେଳାଳିଙ୍କୁ ୩୦-୩୦ଲକ୍ଷ ଓ ସହଯୋଗୀ କର୍ମଚାରୀଙ୍କୁ ୨୦-୨୦ଲକ୍ଷ ଟଙ୍କା ପୁରସ୍କାର ଦେବାକୁ ବିସିସିଆଇ ଘୋଷଣା କରିଛି।

ସହଯୋଗୀ ଦଳରେ ବୋଲିଂ କୋଚ ପାରସ ମହାମ୍ବରେ, ଫିଲ୍ଡିଙ୍ଗ କୋଚ୍‌ ଅଭୟ ଶର୍ମା, ଫିଜିଓଥେରେପିଷ୍ଟ ଯୋଗେଶ ପରମାର, ଟ୍ରେନ୍‌ର ଆନନ୍ଦ ଦାତେ, ମେସର(ମାଲିସ କରିବା), ମଙ୍ଗେଶ ଗାୟକଓ୍ଵାଡା ଓ ଭିଡ଼ିଓ ବିଶ୍ଲେଷଜ୍ଞ ଦେବରାଜ ରାଉତ ସାମିଲ ଅଛନ୍ତି।

ବିସିସିଆଇ ପକ୍ଷରୁ ଏକ ଭିନ୍ନ ଶୈଳୀରେ ଘୋଷଣା କରାଯାଇଥିବା ପୁରସ୍କାର ରାଶି ନେଇ ଦ୍ରାବିଡ଼ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ନିଜ ପାଇଁ ଘୋଷଣା କରାଯାଇଥିବା ପୁରସ୍କାର ରାଶି ଖେଳାଳି ଓ ସହଯୋଗୀଙ୍କ ତୁଳନାରେ ବହୁତ ଅଧିକ। ଏକ ରିପୋର୍ଟ ଅନୁସାରେ ଦ୍ରାବିଡ଼ ଖେଳାଳି ଓ ସହଯୋଗୀଙ୍କୁ ସମ ପରିମାଣରେ ପୁରସ୍କାର ରାଶି ଦିଆଯିବା ପାଇଁ ଦାବି କରିଛନ୍ତି।

ଦ୍ରାବିଡ଼ କହିଛନ୍ତି, ଟିମ୍‌ ସହିତ ଜଡ଼ିତ ସମସ୍ତ କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ସମସ୍ତେ ଏକାଠି ହୋଇ କାମ କରିଛନ୍ତି ଓ ଭାରତ ଚମ୍ପିଅନ ହୋଇଛି। ସେମାନଙ୍କୁ ମଧ୍ୟ ସମାନ ପରିମାଣରେ ପୁରସ୍କାର ମିଳିବା ଦରକାର।

ସମ୍ବନ୍ଧିତ ଖବର