ବିସିସିଆଇ ନୈତିକ ଅଧିକାରୀଙ୍କ ସମ୍ମୁଖରେ ହାଜର ହେଲେ ଦ୍ରାବିଡ଼

ନୂଆଦିଲ୍ଲୀ: ଦ୍ବୈତ ସ୍ବାର୍ଥ ଅଭିଯୋଗରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼ ଗୁରୁବାର ବିସିସିଆଇ ନୈତିକ ଅଧିକାରୀ ଜଷ୍ଟିସ୍ ଜି‌କେ ଜୈନଙ୍କ ସମ୍ମୁଖରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି। ଆରବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନଙ୍କ ଉଦାହରଣ ଦେଇ ପ୍ରଶାସନିକ ସମିତି (ସିଓଏ) ଏହି ଅବସରରେ ଦ୍ରାବିଡ଼ଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିବା ଜଣାପଡ଼ିଛି। ସିଓଏ ମୁଖ୍ୟ ବିନୋଦ ରାଏ ଏକ ପତ୍ର ଜରିଆରେ ଗୋଟିଏ ସଂସ୍ଥାରୁ ଛୁଟି ନେଇ ଅନୁପସ୍ଥିତ ଥିଲା ବେଳେ ଅନ୍ୟ ସଂସ୍ଥା ସହ ଜଡ଼ିତ ହେବା କିଭଳି ଦ୍ବୈତ ସ୍ବାର୍ଥର ଅନ୍ତର୍ଭୁକ୍ତ ନୁହେଁ, ତାହା ଜଷ୍ଟିସ୍ ଜୈନଙ୍କୁ ଜଣାଇଥିଲେ। ଏହି କ୍ରମରେ ଶ୍ରୀ ରାଏ ରାଜନଙ୍କ ସହ ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନାଗରିୟାଙ୍କ ମାମଲା ଉଠାଇଥିଲେ। ରାଜନ ସିକାଗୋ ବିଶ୍ବବିଦ୍ୟାଳୟରୁ ଛୁଟି ନେଇ ଆରବିଆଇ ଗର୍ଭନର ପଦ ଗ୍ରହଣ କରିଥିଲେ। ସେହିଭଳି ପାନାଗରିୟା କଲମ୍ବୋ ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ କରୁଥିଲା ବେଳେ ସେଠାରୁ ଛୁଟି ‌ନେଇ ନିତି ଆୟୋଗରେ ଯୋଗ ଦେଇଥିଲେ। ସେତେବେଳେ ସେମାନେ ନିଜ ମୂଳ ନିଯୁକ୍ତି ଦାତାଙ୍କଠାରୁ ବେତନ ନେଉ ନଥିଲେ। ଠିକ୍ ସେହିଭଳି ଦ୍ରାବିଡ଼ ମଧ୍ୟ ଇଣ୍ଡିଆ ସିମେଣ୍ଟଠାରୁ କୌଣସି ଆର୍ଥିକ ସୁବିଧା ସୁଯୋଗ ନେଉ ନାହାନ୍ତି। ବୋଲି ଶ୍ରୀ ରାଏ ଦର୍ଶାଇଥିଲେ। ସିଓଏ ପତ୍ର ସତ୍ତ୍ବେ ଦ୍ରାବିଡ଼ଙ୍କୁ ଜଷ୍ଟିସ୍ ଜୈନ ଇଣ୍ଡିଆ ସିମେଣ୍ଟ୍ସରୁ ଇସ୍ତଫା ଦେବାକୁ କହିବାର ସମ୍ଭାବନା କିନ୍ତୁ ଅଧିକ। ତେବେ ବିସିସିଆଇ ଏହି ନିଷ୍ପତ୍ତି ନିଜ ୱେବସାଇଟରେ ପ୍ରକାଶ କରିବା ପରେ ହିଁ ସବୁ କିଛି ସ୍ପଷ୍ଟ ହେବ। ବିସିସିଆଇର ପୂର୍ବତନ ଅଧିକାରୀ ମୟଙ୍କ ପାରେଖ ମୁମ୍ବାଇ କ୍ରିକେଟ୍ ସଂଘରେ ୬ଟି କ୍ଲବ୍ ଚଳାଉଥିବା ଅଭିଯୋଗ ନେଇ ପକ୍ଷ ରଖିବାକୁ ଜଷ୍ଟିସ୍ ଜୈନ ବିସିସିଆଇକୁ ୩ ସପ୍ତାହର ସମୟ ଦେଇଛନ୍ତି।

ସମ୍ବନ୍ଧିତ ଖବର