ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ରାହୁଲ ଦ୍ରାବିଡ୍‌ଙ୍କ କ୍ରିକେଟ୍‌ ଦକ୍ଷତାର ଚର୍ଚ୍ଚା ସାରା ଦୁନିଆରେ ହୋଇଥାଏ। ୫୦ ବର୍ଷୀୟ ରାହୁଲ ୧୬୪ ଟେଷ୍ଟ୍‌ ଓ ୩୪୦ ଦିନିକିଆ ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ବ କରିଛନ୍ତି। ଏହା ସହ ୨୦୦୫-୦୭ ମଧ୍ୟରେ ସେ ଟିମ୍‌ର ଅଧିନାୟକ ବି ସାଜିଥିଲେ। ଟେଷ୍ଟ୍‌ କ୍ରିକେଟ୍‌ ଇତିହାସରେ ସବୁଠାରୁ ଅଧିକ ରନ୍‌ ବନାଇଥିବା ଖେଳାଳିଙ୍କ ତାଲିକାରେ ଦ୍ରାବିଡ ୪ର୍ଥ ସ୍ଥାନରେ ରହିଛନ୍ତି। ସେହିପରି ଏକ ଦିନିକିଆ ଅନ୍ତର୍ଜାତୀୟରେ ସେ ୧୦ ହଜାର ରନ୍‌ ପାର୍‌ କରିଛନ୍ତି।

Advertisment

ରାହୁଲ ଦ୍ରାବିଡ୍‌ ବୁଧବ‌ାର(୧୧ ଜାନୁଆରି)ରେ ନିଜର ୫୦ତମ ଜନ୍ମ ଦିବସ ମନାଇଛନ୍ତି। ସେ ତାଙ୍କ ଜନ୍ମଦିନ କୋଲକାତାରେ ଭାରତୀୟ ଟିମ୍‌ ସଦସ୍ୟଙ୍କ ସହ ମନାଇଛନ୍ତି। ଗୁରୁବାର ଇଡେନ୍‌ ଗାର୍ଡେନ ପଡ଼ିଆରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ହୋଇଥିବା ମ୍ୟାଚ୍‌ ସମୟରେ ରହୁଲ ଦ୍ରାବିଡ୍‌ଙ୍କ କ୍ୟାରିୟର୍‌କୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ଏହା ମଧ୍ୟରେ ଟିଭି ସ୍କ୍ରିନ୍‌ରେ ରାହୁଲ ଦ୍ରାବିଡ୍‌ଙ୍କ ରେକର୍ଡ ବି ପ୍ରଦର୍ଶନ ହୋଇଥିଲା।

ଯେଉଁ ସମୟର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି। ପରଦାରେ ନିଜ ରେକର୍ଡ ଦେଖି ମନ ଖୋଲା ହସ ହସୁଥିବା ରାହୁଲଙ୍କୁ ଆପଣ ଭାଇରାଲ୍‌ ଭିଡିଓରେ ଦେଖି ପାରୁଥିବେ ନିଶ୍ଚୟ।

ଉଲ୍ଲେଖଯୋଗ୍ୟ, ଦ୍ରାବିଡଙ୍କୁ ୨୦୨୧ ମସିହା ନଭେମ୍ବର ମାସରେ ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ଦିଆ ଯାଇଥିଲା। ମାତ୍ର ଭାରତୀୟ କ୍ରିକେଟ୍ ଦଳର କ୍ରମାଗତ ଖରାପ ପ୍ରଦର୍ଶନକୁ ନେଇ ରାହୁଲ ଦଳର ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଦଳର ପ୍ରଦର୍ଶନରେ ହ୍ରାସ ଘଟିଥିବା ଚର୍ଚ୍ଚା ହୋଇଥିଲା।